ଜି-୨୦ ଶିଖର ବୈଠକ: ଜଳବାୟୁ ଓ କୋଭିଡ ମୁକାବିଲା ଉପରେ ମୋଦୀଙ୍କ ଗୁରୁତ୍ୱ

ଇଟାଲୀର ରୋମରେ ଆରମ୍ଭ ହୋଇଥିବା ଷୋଡ଼ଶ ଜି-୨୦ ଶିଖର ବୈଠକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳବାୟୁ ପ୍ରସଙ୍ଗ ଓ ବିଶ୍ୱ ବ୍ୟାପି କୋଭିଡ ମୁକାବିଲା ଉପରେ ଗୁରୁତ୍ୱ ଦେଇଛନ୍ତି। ଆଜି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି.ସି. ଲୁଙ୍ଗଙ୍କ ସହ କଥାବାର୍ତ୍ତା ବେଳେ ଉଭୟ ନେତା ଆଗାମୀ ଜଳବାୟୁ ସମ୍ବନ୍ଧିତ ସମ୍ମିଳନୀ କୋପ୨୬ରେ ଜଳବାୟୁ ମୁକାବିଲା ଉପରେ ବିସ୍ତୃତ ଆଲୋଚନା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଉଭୟ ନେତା ବିଶ୍ଵବ୍ୟାପୀ ଦେଖା ଦେଇଥିବା କୋଭିଡ ମହାମାରୀର ମୁକାବିଲା ନିମନ୍ତେ କିଭଳି ଟୀକାକରଣକୁ ତ୍ୱରାନ୍ୱିତ କରାଯାଇ ପାରିବ ଓ ଜଟିଳ ରୋଗ ପାଇଁ ଔଷଧ ବ୍ୟବସ୍ତା କରାଯାଇ ପାରିବ, ସେ ସମ୍ପର୍କରେ ଆଲୋଚନା କରିଛନ୍ତି।

ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ଭାରତୀୟ ଲୋକଙ୍କୁ ସିଙ୍ଗାପୁର ସରକାର ଯୋଗାଇ ଦେଇଥିବା ସହାୟତା ପାଇଁ ପ୍ରଶଂସା କରିଛନ୍ତି। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ମଧ୍ୟ ଭାରତରେ କୋଭିଡ ଟୀକାକରଣ ଦ୍ରୁତ ଗତିରେ ଚାଲିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଉଭୟ ନେତା ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଆଗାମୀ ଦିନରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଉଚ୍ଚ ସ୍ତରକୁ ନେବ ବୋଲି ଆଶା ପ୍ରକାଶ କରିଛନ୍ତି।

ଏଥିରେ ଜି-୨୦ ସଦସ୍ୟ ଦେଶଗୁଡ଼ିକର ରାଷ୍ଟ୍ର ମୁଖ୍ୟ, ୟୁରୋପୀୟ ସଂଘ ଦେଶଗୁଡ଼ିକର ରାଷ୍ଟ୍ର ମୁଖ୍ୟ, ଆମନ୍ତ୍ରିତ ଦେଶଗୁଡ଼ିକର ରାଷ୍ଟ୍ର ମୁଖ୍ୟ ଓ ଆନ୍ତର୍ଜାତିକ ସଂଗଠନ ଗୁଡ଼ିକର ମୁଖ୍ୟମାନେ ଯୋଗ ଦେଉଛନ୍ତି। ଚଳିତ ବର୍ଷର ଜି୨୦ ଶିଖର ବୈଠକର ଶୀର୍ଷକ “ଜନସାଧାରଣ, ବିଶ୍ୱ ଓ ସମୃଦ୍ଧି” ରହିଛି। ଶିଖର ବୈଠକରେ ଅର୍ଥନୈତିକ ଓ ସ୍ୱାସ୍ଥ୍ୟ କ୍ଷେତ୍ରର ସୁଧାର, ଜଳବାୟୁ ପରିବର୍ତ୍ତନ ଓ ସ୍ଥାୟୀ ବିକାଶ ଉପରେ ଗୁରୁତ୍ୱାରୋପ କରାଯିବ।

ଆଜିର ଅଧିବେଶନରେ ବିଶ୍ୱ ଅର୍ଥନୀତି ଓ ବିଶ୍ୱ ସ୍ୱାସ୍ଥ୍ୟ ବିଷୟରେ ଉପରେ ଆଲୋଚନା ହୋଇଛି। ନେତାମାନେ ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଓ ବିଶ୍ୱର ଜନସାଧାରଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ବିଷୟ ଉପରେ ଆଲୋଚନା କରିଛନ୍ତି। କୋଭିଡ୍‍ ମୁକାବିଲା ପାଇଁ ଆବଶ୍ୟକ ରୋଗ ନିରୁପଣ ଯନ୍ତ୍ରପାତି, ପ୍ରତିଷେଧକ, ଯୋଗାଣ ଶୃଙ୍ଖଳ ଉତ୍ପାଦନ ସୁବିଧାଗୁଡ଼ିକର ସମାନୁପାତିକ ତଥା ଶସ୍ତାରେ ଉପଲବ୍ଧ କରାଯିବାକୁ ଭାରତ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛି। ପରସ୍ପରର କୋଭିଡ୍‍ ସାର୍ଟିଫିକେଟ୍‍ ଗୁଡ଼ିକୁ ସ୍ୱୀକୃତି ପ୍ରଦାନ ପାଇଁ ମଧ୍ୟ ଭାରତ କରିଛି। ଜି୨୦ ଶିଖର ବୈଠକରେ ଯୋଗଦେବା ଅବସରରେ ଶ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍, ଫ୍ରେଞ୍ଚ୍‍ ରାଷ୍ଟ୍ରପତି ଏମାନୁଏଲ୍‍ ମାକ୍ରନ୍‍, ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ବୋରିଶ ଜନ୍‍ସନ୍‍ ଓ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡୋଙ୍କ ସମେତ ବିଶ୍ୱର ବଡ଼ ବଡ଼ ନେତାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି।

ଆସନ୍ତାକାଲି ଶ୍ରୀ ମୋଦୀ ସ୍ପେନ୍‍ ପ୍ରଧାନମନ୍ତ୍ରୀ ଓ ଜର୍ମାନୀ ଚାନ୍‍ସେଲରଙ୍କ ସହ ଦ୍ୱିପକ୍ଷିୟ କଥାବାର୍ତ୍ତା କରିବେ। ଜି-୨୦ ଶିଖର ବୈଠକରେ ଆସନ୍ତାକାଲିର ଅଧିବେଶନରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ଏବଂ ସ୍ଥାୟୀ ବିକାଶ ପ୍ରସଙ୍ଗ ଉପରେ ଆଲୋଚନା ହେବ।

Comments are closed.