ଟାଇଟାନିକ୍ ଦୁର୍ଘଟଣାରୁ ବର୍ତ୍ତିଥିବା ୩ କୁକୁର

୧୯୧୨, ଏପ୍ରିଲ୍‌ ୧୫ରେ ଟାଇଟାନିକ୍ ଜାହାଜ ଦୁର୍ଘଟଣା ଘଟିଥିଲା। ୧୦୮ ବର୍ଷ ଏଇ ଘଟଣାକୁ ଅତିବାହିତ ହୋଇଯାଇଛି, କିନ୍ତୁ ଚର୍ଚ୍ଚା ବର୍ତ୍ତମାନ ପର୍ଯ୍ୟନ୍ତ ଥମିନାହିଁ। ନିକଟରେ ଏକ ଆମେରିକୀୟ ଖବରକାଗଜ ଟାଇଟାନିକ୍ ଦୁର୍ଘଟଣାରୁ ବର୍ତ୍ତିଥିବା ୩ କୁକୁରଙ୍କ ସମ୍ପର୍କରେ ଖବର ପ୍ରକାଶ କରିିଥିଲା। ଯାତ୍ରା ସମୟରେ କେବଳ ଧନିକ ବର୍ଗର ଲୋକ ହିଁ ନିଜ ପୋଷ୍ୟଜନ୍ତୁ କୁକୁର ଓ ବିଲେଇଙ୍କୁ ସାଥିରେ ନେବାର ନିୟମ ଥିଲା। ପ୍ରଥମ ଶ୍ରେଣୀର ଧନିକ ବର୍ଗର ଯାତ୍ରୀଙ୍କ ସହ ୧୨ଟି କୁକୁର ଜାହାଜ ଯାତ୍ରା କରିବାର ସୁଯୋଗ ପାଇଥିବାର ତଥ୍ୟରୁ ଜଣାପଡ଼ିଛି। ପ୍ରତ୍ୟେକ ନିଜ ପୋଷା କୁକୁରଙ୍କୁ ପରିବାର ସଦସ୍ୟ ଭଳି ମନେ କରୁଥିଲେ। ଏମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଟିକଟ୍ ବ୍ୟବସ୍ଥା ହୋଇଥିଲା। ଜାହାଜ ବୁଡ଼ିବା ସମୟରେ ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିବା ମହିଳା ଓ ପିଲାଙ୍କୁ ପ୍ରଥମେ ଲାଇଫ୍‌ବୋଟ୍‌ରେ ଯିବାର ବନ୍ଦୋବସ୍ତ ହୋଇଥିଲା। ସେହି ସମୟରେ କେତେଜଣ ମହିଳା ସେମାନଙ୍କ ପୋଷାକକୁକୁରଙ୍କୁ ମଧ୍ୟ ସାଥିରେ ନେବାକୁ ଜିଦ୍ କରିଥିଲେ। ମହିଳା ଯାତ୍ରୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଜାହାଜର କ୍ୟାପେଟନ୍ ମଧ୍ୟ ସମ୍ମତି ଦେଇଥିଲେ, କିନ୍ତୁ ଗୋଟିଏ କୁକୁରଟି ଖୁବ୍ ବଡ଼ ହୋଇଥିବାରୁ ଲାଇଫ୍ ବୋଟ୍‌ରେ ଯିବାକୁ ଅନୁମତି ମିଳିନଥିଲା। କାରଣ କ୍ୟାପଟେନ୍ ବୁଝାଇଥିଲେ ବର୍ତ୍ତମାନ ସମୟରେ ପ୍ରଥମେ ମଣିଷଙ୍କ ରକ୍ଷା ଜରୁରୀ। ନେଦରଲ୍ୟାଣ୍ଡର ଜଣେ ମହିଳା ଶିଳ୍ପପତି ଯାତ୍ରା କରୁଥିଲେ, ସେ କିନ୍ତୁ ନିଜ ୨ କୁକୁରଙ୍କୁ ନ ନେଇ ଲାଇଫ୍‌ବୋଟ୍‌କୁ ଯିବେନାହିଁ ବୋଲି ସ୍ପଷ୍ଟ କରିଥିଲେ। ପରେ କ୍ୟାପଟେନ୍ କୁକୁରଙ୍କ ଛୋଟ ଆକାର ଦେଖି ସେମାନଙ୍କୁ ଲାଇଫ୍‌ବୋଟ୍‌ରେ ମାଲିକାଣୀଙ୍କ ସହ ଯିବାକୁ ଅନୁମତି ଦେଇଥିଲେ। ଅନ୍ୟ ଜଣେ ଲଣ୍ଡନର ଧନିକ ବ୍ୟକ୍ତି ନିଜ ପୋଷା କୁକୁର ସହ ଲାଇଫ୍‌ ବୋଟ୍‌ରେ ଚଢ଼ିବାର ସୁଯୋଗ ପାଇଥିଲେ। ନ୍ୟୁୟର୍କର ଜନୈକ ଦମ୍ପତି ନିଜ ପୋଷା କୁକୁର ସହ ଟାଇଟାନିକ୍‌ରେ ବୁଡ଼ି ପ୍ରାଣ ହରାଇଥିଲେ; କାରଣ ସେମାନଙ୍କ କୁକୁରକୁ ଲାଇଫ୍‌ ବୋଟ୍‌ରେ ଯିବାକୁ ଅନୁମତି ମିଳିନଥିଲା। ଜାହାଜ ଦୁର୍ଘଟଣାରୁ ବର୍ତ୍ତିଥିବା ଏଇ ୩ କୁକୁରଙ୍କୁ ନେଇ ସେ ସମୟରେ ଗଣମାଧ୍ୟମରେ ଜୋର୍ ଚର୍ଚ୍ଚା ହୋଇଥିଲା।

Comments are closed.