ନିଯୁକ୍ତିର ପ୍ରଥମ ଦିନରୁ କରୋନା ​​ରୋଗୀଙ୍କୁ ବଞ୍ଚାଉଥିବା ଡାକ୍ତର ଶେଷରେ କରୋନାରେ ଜୀବନ ହାରିଲେ

କରୋନା ମହାମାରୀର କାୟା ପୁଣି ଥରେ ଦେଶରେ ବ୍ୟାପିବାରେ ଲାଗିଛି। କୋଭିଡ ଯୋଦ୍ଧାମାନେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କ୍ରମାଗତ ଭାବରେ ନିଜ ଜୀବନକୁ ବିପଦରେ ପକାଉଛନ୍ତି। ନିକଟରେ ସାଗରରେ ଥିବା ବୁନ୍ଦେଲଖଣ୍ଡ ସରକାରୀ ମେଡିକାଲ କଲେଜର ୨୬ ବର୍ଷ ବୟସ୍କ ଡାକ୍ତର ଶୁଭମ ଉପାଧ୍ୟାୟ ନିଜେ ଏହି ଭୟଙ୍କର ମହାମାରୀର ଶିକାର ହୋଇଛନ୍ତି। ତେବେ ସେ ନିଜେ ଲୋକଙ୍କୁ ରକ୍ଷା କରିବା ପାଇଁ ଏହି ମାରାତ୍ମକ ଜୀବାଣୁ ସହିତ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।

ବୁଧବାର ଭୋପାଳର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି। ସୂଚନାଯୋଗ୍ୟ, ଏହା ଡକ୍ଟର ଶୁଭମଙ୍କର ପ୍ରଥମ ନିଯୁକ୍ତି ଥିଲା। ଚାକିରରେ ଯୋଗ ଦେବାର ପ୍ରଥମ ଦିନରୁ ସେ କୋଭିଡ ରୋଗୀଙ୍କୁ ବଞ୍ଚାଇବାରେ ନିୟୋଜିତ ହୋଇଥିଲେ। ଏହି ସମୟ ମଧ୍ୟରେ ସେ ନିଜେ ସଂକ୍ରମଣର ଶିକାର ହୋଇଥିଲେ। ଅବସ୍ଥା ଆହୁରି ଖରାପ ହେବା ପରେ ତାଙ୍କୁ ନଭେମ୍ବର ୧୦ରେ ଭୋପାଳର ଭିଭା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କର ଦେହାନ୍ତ ହୋଇଛି।

ଡକ୍ଟର ଶୁଭମଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭୀର ସମବେଦନା ଜଣାଇଛନ୍ତି। ଚିରାୟୁ ମେଡିକାଲ କଲେଜ ନିର୍ଦ୍ଦେଶକ ଡକ୍ଟର ଅଜୟ ଗୋଏଙ୍କା କହିଛନ୍ତି ଯେ ୨୬ ବର୍ଷିୟ ଡାକ୍ତର ଶୁଭମ ଉପାଧ୍ୟାୟ ବୁଧବାର ଆମ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ସେ କରୋନା ଭୂତାଣୁ ସଂକ୍ରମିତ ହୋଇ ୧୦ ନଭେମ୍ବରରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଫୁସଫୁସ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସେ କହିଛନ୍ତି । ଆମେ ବହୁ ଚେଷ୍ଟା କରିଥିଲୁ କିନ୍ତୁ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହୋଇନଥିଲା।

ଡକ୍ଟର ଶୁଭମଙ୍କ ସହକର୍ମୀ ଡାକ୍ତର ଉମେଶ ପଟେଲ କହିଛନ୍ତି ଯେ ଉପାଧ୍ୟାୟ ଚଳିତ ବର୍ଷ ଏପ୍ରିଲ ୮ରେ ବୁନ୍ଦେଲଖଣ୍ଡର ସାଗରର ମେଡିକାଲ କଲେଜରେ ଚୁକ୍ତିଭିତ୍ତିକ ଡାକ୍ତର ଭାବରେ ଡ୍ୟୁଟିରେ ଯୋଗ ଦେଇଥିଲେ। ସେ ସେଠାରେ କୋଭିଡ -୧୯ ମେଡିକାଲ ଅଫିସର ଥିଲେ । ସେ କହିଛନ୍ତି ଯେ ଅକ୍ଟୋବର ୨୮ରେ ସେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ସେବେଠାରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ସେ ସାଗରର ବୁନ୍ଦେଲଖଣ୍ଡ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ।

Comments are closed.