ଫ୍ରେଞ୍ଚ ଓପନ୍‌ : ପ୍ଲିସ୍କୋଭା ପରାସ୍ତ; ପ୍ରିକ୍ବାର୍ଟରରେ ଫେଡେରର

ପ୍ୟାରିସ : ଚଳିତ ସିଜିନର ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନ୍‌ର ଷଷ୍ଠ ଦିନରେ ମହିଳା ଓ ପୁରୁଷ ସିଙ୍ଗଲ୍‌ସରେ ଏକାଧିକ ବିପର୍ଯ୍ୟୟ ଘଟିଛି। ମହିଳା ସିଙ୍ଗଲ୍‌ସରେ କ୍ୟାରୋଲିନା ପ୍ଲିସ୍କୋଭା, ଏଲିନା ଶ୍ବିତୋଲିନାଙ୍କ ସମେତ ୪ ଜଣ ସିଡେଡ୍‌ ଖେଳାଳି ତୃତୀୟ ରାଉଣ୍ଡରେ ପରାସ୍ତ ହୋଇଥିବାବେଳେ ପୁରୁଷ ସିଙ୍ଗଲ୍‌ସରେ ୨୨ଶ ସିଡ୍‌ ଲୁକାସ ପୌଲିଙ୍କୁ ନିରାଶ ହେବାକୁ ପଡିଛି। ଅପରପକ୍ଷରେ ରୋଜର ଫେଡେରର, ଆନାସ୍ତାସିଆ ସେବାସ୍ତୋଭା ପ୍ରମୁଖ ପ୍ରିକ୍ବାର୍ଟର ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।
ଶୁକ୍ରବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‌ସ ୩ୟ ରାଉଣ୍ଡ ମ୍ୟାଚରେ କ୍ରୋଏସିଆର ପେଟ୍ରା ମାଟ୍ରିକ ସିଧାସଳଖ ୬-୩, ୬-୩ ସେଟ୍‌ରେ ୨ୟ ସିଡ୍‌ ମାନ୍ୟତାପ୍ରାପ୍ତ ଚେକ୍‌ ରିପବ୍ଲିକ୍‌ର କ୍ୟାରୋଲିନା ପ୍ଲିସ୍କୋଭାଙ୍କୁ ପରାସ୍ତ କରିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‌ସରେ ଏହା ସବୁଠାରୁ ବଡ ବିପର୍ଯ୍ୟୟ। ଅନ୍ୟ ଏକ ୩ୟ ରାଉଣ୍ଡ ମ୍ୟାଚରେ ୧୯ ନମ୍ବର ସିଡ୍‌ ସ୍ପେନର ଗାର୍ବାଇନ ମୁଗୁରୁଜା ୬-୩, ୬-୩ ସେଟ୍‌ରେ ୯ମ ସିଡ୍‌ ୟୁକ୍ରେନର ଏଲିନା ଶ୍ବିତୋଲିନାଙ୍କୁ ପରାସ୍ତ କରିଥିବାବେଳେ ଚେକ୍‌ ରିପବ୍ଲିକ୍‌ର ମାର୍କେଟା ଭୋଣ୍ଡ୍ରୁସୋଭା ୬-୪, ୬-୪ ସେଟ୍‌ରେ ୨୮ଶ ସିଡ୍‌ ସ୍ପେନର କାର୍ଲା ସ୍ବାରେଜ ନାଭାରୋଙ୍କୁ ଓ ୧୨ଶ ସିଡ୍‌ ଲାଟ୍‌ଭିଆର ଆନାସ୍ତାସିଆ ସେବାସ୍ତୋଭା ୬-୭, ୬-୪, ୧୧-୯ ସେଟ୍‌ରେ ୨୦ଶ ସିଡ୍‌ ବେଲଜିୟମର ଇଭ୍‌ଜିନିୟା ମର୍ଟନ୍‌ସଙ୍କୁ ହରାଇ ପ୍ରିକ୍ବାର୍ଟରରେ ପ୍ରବେଶ କରିଛନ୍ତି। ଅପରପକ୍ଷରେ ୧୪ଶ ସିଡ୍‌ ଆମେରିକାର ମାଡିସନ କେୟିସ ଏକ ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ଅଷ୍ଟ୍ରେଲିଆର ପ୍ରିସିଲା ହୋନ୍‌ଙ୍କୁ ୭-୫, ୫-୭, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି।
ଶୁକ୍ରବାର ପୁରୁଷ ସିଙ୍ଗଲ୍‌ସ ତୃତୀୟ ରାଉଣ୍ଡ ମ୍ୟାଚରେ ୩ୟ ସିଡ୍‌ ମାନ୍ୟତାପ୍ରାପ୍ତ ସ୍ବିଜରଲାଣ୍ଡର ରୋଜର ଫେଡେରର ୬-୩, ୬-୧, ୭-୬ ସେଟ୍‌ରେ ନରୱେର କାସ୍‌ପର ରୁଡ୍‌ଙ୍କୁ ପରାସ୍ତ କରିଥିବାବେଳେ ସ୍ଲୋଭାକିଆର ମାର୍ଟିନ କ୍ଲିଜାନ ୭-୬, ୨-୬, ୬-୩, ୩-୬ ଓ ୯-୭ ସେଟ୍‌ରେ ୨୨ଶ ସିଡ୍‌ ଫ୍ରାନ୍ସର ଲୁକାସ ପୌଲିଙ୍କୁ ହରାଇଛନ୍ତି।

Comments are closed.