ଫ୍ରେଞ୍ଚ ଓପନ ୧୯ତମ ଗ୍ରାଣ୍ଡସ୍ଲାମ ଜିତିଲେ ଜୋକୋଭିକ୍

ପ୍ୟାରିସ୍: ବିଶ୍ବର ଏକ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ସର୍ବିଆର ନୋଭାକ୍ ଜୋକୋଭିକ୍ ବର୍ଷର ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ବିଭାଗରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ରାତିରେ ରୋଲାଣ୍ଡ ଗାରୋସ୍ରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଜୋକୋଭିକ୍ ବିଶ୍ବ ମାନ୍ୟତାର ୫ ନମ୍ବର ସ୍ଥାନରେ ଥିବା ଗ୍ରୀସ୍ର ଷ୍ଟିଫାନୋସ୍ ସିସିପାସ୍ଙ୍କୁ ୩-୨ ସେଟ୍ରେ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି। ଏଥିସହିତ ଜୋକୋଭିକ୍ କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିଥିବା ସିସିପାସ୍ଙ୍କୁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେମିଫାଇନାଲରେ ଜର୍ମାନୀର ଆଲେକଜାଣ୍ଡାର ଜେରେଭ୍ ପରାସ୍ତ କରିଥିବା ସିସିପାସ୍ ଓ କ୍ଲେ କୋର୍ଟର ରାଜା ଭାବେ ପରିଚିତ ସ୍ପେନର ରାଫେଲ ନାଦାଲଙ୍କୁ ପରାସ୍ତ କରିଥିବା ଜୋକୋଭିକଙ୍କ ମଧ୍ୟରେ ମ୍ୟାଚ ୪ ଘଣ୍ଟା ଧରି ଚାଲିଥିଲା।

ସିସିପାସ୍ ପ୍ରଥମ ସେଟ୍କୁ ଟାଇବ୍ରେକର ୭-୬(୮-୬)ରେ ଓ ଦ୍ବିତୀୟ ସେଟ୍କୁ ୬-୨ରେ ଜିତି ନେଇଥିଲେ। ତୃତୀୟ , ଚତୁର୍ଥ ଓ ପଞ୍ଚମ ସେଟ୍ରେ ଜୋକୋଭିକ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ ଛଡାଇ ଆଣିଥିଲେ। ତୃତୀୟ ସେଟ୍କୁ ଜୋକୋଭିକ୍ ୬-୩ରେ ଜିତି ନେଇଥିଲେ। ଚତୁର୍ଥ ସେଟ୍ରେ ମଧ୍ୟ ଜୋକୋଭିକ୍ଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ଉକ୍ତ ସେଟ୍କୁ ଜୋକୋଭିକ୍ ୬-୨ରେ ଜିତି ସେଟ୍ ୨-୨ ସ୍ତରକୁ ଆଣିଥିଲେ। ଅନ୍ତିମ ସେଟ୍ ମ୍ୟାଚ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଜୋକୋଭିକ୍ ଉକ୍ତ ସେଟ୍କୁ ୬-୪ରେ ଜିତିବାରେ ସକ୍ଷମ ହୋଇଥିଲେ। ପ୍ରଥମ ଦୁଇ ସେଟ୍ରେ ପରାଜିତ ହେବା ପରେ ଜୋକୋଭିକ୍ଙ୍କ ପ୍ରତ୍ୟାବର୍ତ୍ତନ ସିସିପାସଙ୍କ ଆଶାକୁ ଧୂଳିସାତ୍ କରିଦେଇଥିଲା। ଜୋକୋଭିକ୍ ଏହି ଟାଇଟଲ ସହ ୫୦ ବର୍ଷରେ ପ୍ରଥମ ପୁରୁଷ ଖେଳାଳି ଭାବେ ୪ଟି ଯାକ ଗ୍ରାଣ୍ଡସ୍ଲାମ ଦୁଇଥର ଜିତିବାରେ ସକ୍ଷମ ହୋଇଛନ୍ତି। ପୂର୍ବରୁ ଜୋକୋଭିକ୍ ୨୦୧୬ରେ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସରେ ଚମ୍ପିଆନ ହୋଇଥିଲେ।

Comments are closed.