ଛାତ୍ରଙ୍କ ପ୍ରାଣ ନେଲା ‘ଫ୍ରି ଫାୟାର’ ଖେଳ

କେନ୍ଦୁଝର ସଦର: ଅନ୍‌ଲାଇନ ପାଠପଢ଼ା ପାଇଁ ବାପା କିଣି ଦେଇଥିବା ମୋବାଇଲରେ ‘ଫ୍ରି ଫାୟାର’ ଖେଳ ଖେଳି ଜଣେ ଦଶମ ଶ୍ରେଣୀ ଛାତ୍ର ପ୍ରାଣ ହରାଇବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ଘଟିଛି ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଖୁପାଳ ଗ୍ରାମରେ। କୁଅଁର ଖଣ୍ଡାଙ୍କ ପୁଅ ଅଗସ୍ତି ଖଣ୍ଡା (୧୫) ମନୋହରପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ​ରେ ପାଠ ପଢୁଥିଲେ। ବାପା କୁଅଁର ପୁଅର ଅନ୍‌ଲାଇନରେ ପାଠ ପଢା ପାଇଁ ଧାର ଉଦ୍ଧାର କରି ଏହି ମୋବାଇଲ କିଣି ଦେଇଥିଲେ; କିନ୍ତୁ ପୁଅ ପାଠ ନ ପଢ଼ି ଏହି ବିପଜ୍ଜନକ ଖେଳ ମୋବାଇଲରେ ଖେଳି ମାନସିକ ସ୍ଥିତି ହରାଇ ବସିଥିଲେ।

ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ କେନ୍ଦ୍ରକୁ ନିଆଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଅଗସ୍ତିଙ୍କର ସେଠାରେ ମୃତ୍ୟୁ ଘଟିଛି।

Comments are closed.