ଲମ୍ବିଛି ମାୟାବିନୀଙ୍କ ମାୟା ଜାଲ

ବିଭିନ୍ନ ବାହାନାରେ ଠକୁଛନ୍ତି , ୧୦ଦିନରେ ବନ୍ଧା ହେଲେଣି ୨ ମାୟାବିନୀ

ଉତ୍ତର ଭୁବନେଶ୍ୱର : ରାଜଧାନୀରେ ମାୟାବିନୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଭିନ୍ନ ଆଳ ଦେଖାଇ ସେମାନେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ଓ ଗହଣା। ଏଭଳି ଘଟଣା ଏବେ କମିସନରେଟ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଗତ ୧୦ଦିନ ଭିତରେ ୨ଜଣ ମାୟାବିନୀଙ୍କୁ କମିସନରେଟ ପୁଲିସ ବାନ୍ଧି ଅଦାଲତ ଚାଲଣ କରିସାରିଲାଣି।
ଗତ ୧୦ତାରିଖରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡ଼ା ଓରଫ ପିଙ୍କି ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଆକାଉଣ୍ଟ ଖୋଲି ନିଜର ରୂପ, ପରିଚୟ ବଦଳାଇ ସୁନ୍ଦରୀ ତରୁଣୀଙ୍କ ଫଟୋ ସ୍ଥାନିତ କରି ଲୋକଙ୍କୁ ନିଜ ମାୟାଜାଲରେ ଫସାଉଥିଲେ। ପରବର୍ତ୍ତୀ ସମୟରେ ସମ୍ପର୍କ ଯୋଡ଼ିବା ଭଳି ବାହାନା କରି କାହାକୁ ଚାକିରି କରାଇଦେବା, କାହାକୁ ଚଳଚ୍ଚିତ୍ରରେ ଅଭିନୟ ସୁଯୋଗ ଦେବା ଭଳି ବିଭିନ୍ନ ବାହାନାରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲେ। ଏଭଳି ଦୁଇଜଣଙ୍କଠାରୁ ସାଢ଼େ ୬ଲକ୍ଷରୁ ଅଧିକ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବାବେଳେ ପୁଲିସ ଅଭିଯୋଗକୁ ଗ୍ରହଣ କରି ପିଙ୍କିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧ଲକ୍ଷ ୩୩ହଜାର ଟଙ୍କା ଜବତ କରିଥିଲା। ତେବେ ସେହି ଘଟଣା ମନରୁ ଲିଭି ନଥିବାବେଳେ ୧୦ଦିନ ବ୍ୟବଧାନରେ ପୁଣି ଜଣେ ମହିଳା ବୀମା କରାଇବା ବାହାନାରେ ଘରକୁ ଆସି ବନ୍ଧୁତ୍ୱ ସ୍ଥାପନ କରି ରାତ୍ରିଯାପନ ପରେ ନିଶାଦେଇ ଲୁଟି ନେଉଥିବା ଘଟଣା ପଦାକୁ ଆସିଛି। ସେହି ମହିଳା ପିଉ ବିଶ୍ବାସଙ୍କୁ କମିସନରେଟ ପୁଲିସ ପୁରୀରୁ ଗିରଫ କରିଥିବାବେଳେ ତାଙ୍କ ନିକଟରୁ ୨୫ହଜାର ଟଙ୍କା ଓ ୪୦ଗ୍ରାମ୍‌ ସୁନା ଗହଣା ଜବତ କରିଥିଛି।
ସୂଚନା ଅନୁସାରେ ମାୟାବିନୀ ପିଉ ବୀମା କମ୍ପାନୀ ଏଜେଣ୍ଟ ପରିଚୟ ଦେଇ ସହିଦନଗର ଥାନା ବାଙ୍କୁଆଳ ଅଞ୍ଚଳର ଜୟକୃଷ୍ଣ ଦାସମହାପାତ୍ରଙ୍କୁ ଚୂନ ଲଗାଇ ଫେରାର ହୋଇଯାଇଥିଲେ। ଗତ ୯ ତାରିଖରେ ଜୟକୃଷ୍ଣ ବାଙ୍କୁଆଳସ୍ଥିତ ତାଙ୍କ ବହୁତଳ କୋଠାରେ ଥିବାବେଳେ ମାୟାବିନୀ ଜଣକ ଏକ ଘରୋଇ କଲେଜରେ କାର୍ଯ୍ୟ କରୁଥିବା ଓ ବୀମା କରାଇଦେବା କହି ସେହି କୋଠାରେ ରାତ୍ରିଯାପନ କରିଥିଲେ। କଥାରେ କଥାରେ ବନ୍ଧୁତା ସ୍ଥାପନ କରି ଖାଦ୍ୟରେ ନିଶା ମିଶାଇ ଜୟକୃଷ୍ଣଙ୍କୁ ଚେତାଶୂନ୍ୟ କରିଦେଇଥିଲେ। ପରେ ମହିଳା ଜଣକ ତାଙ୍କଠାରେ ଥିବା ସମସ୍ତ ସୁନା ଅଳଙ୍କାର, ଏଟିଏମ୍‌ କାର୍ଡ, ପର୍ସ, ୨୭ହଜାର ଟଙ୍କା ଆଦି ବିଭିନ୍ନ ସାମଗ୍ରୀ ଧରି ଫେରାର ହୋଇଯାଇଥିଲେ। ପିଉଙ୍କ ନାମରେ ପଶ୍ଚିମବଙ୍ଗରେ ଏକାଧିକ ଏପରି ଅଭିଯୋଗ ରହିଥିବା ଏବଂ ସେ ଏକାଧିକ ବାର ଗିରଫ ହୋଇ ଜାମିନରେ ଆସିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ସେ ମଧ୍ୟ ପୁରୀରେ କିଛି ସେବକଙ୍କୁ ଏପରି ଠକିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ ପୁଲିସ ଜିମାରେ ଆଣିବା ପାଇଁ ଯୋଜନା କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ତାଙ୍କ ବ୍ୟାଙ୍କ ଆକଉଣ୍ଟ, ମୋବାଇଲ ଫୋନ୍‌ ଆଦି ଯାଞ୍ଚ କରାଯିବା ସହିତ ସେ କେଉଁ କେଉଁ ସ୍ଥାନରେ ଏପରି ଘଟଣା ଘଟାଇଛନ୍ତି ଜାଣିବା ପାଇଁ ପୁଲିସ ଅଧିକ ତଦନ୍ତ କରିବ ବୋଲି ସୂଚନା ମିଳିଛି।

Comments are closed.