ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ମେଧା ତାଲିକା ପ୍ରକାଶ ନ କରିବା ଘଟଣାକୁ ୪ଟି ସଂଗଠନର ବିରୋଧ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଏହା ସହିତ ଅନୁବନ୍ଧିତ ରାଜ୍ୟର ୪୮ଟି ମହିଳା ମହାବିଦ୍ୟାଳୟଗୁଡିକର ୟୁଜି, ପିଜି ଓ ବି.ଇଡି ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଟପ୍ପର ତାଲିକା ପ୍ରକାଶିତ ନକରିବା ଘଟଣାରେ ଏ.ଆଇ.ଡି.ଏସ୍‍.ଓ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ସଂଗଠନର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ଓ ସମ୍ପାଦକ ସୁବାସ ନାୟକ ଏହି ଘଟଣାକୁ ନିନ୍ଦା କରିବା ସହିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ଖାମଖିଆଲି ମନୋଭାବ ଫଳରେ ଛାତ୍ରୀମାନଙ୍କ କ୍ୟାରିୟର ଓ ଭବିଷ୍ୟତ ପ୍ରଭାବିତ ହେଉଥିବା ଅଭିଯୋଗ କରିଛନ୍ତି।

ଚଳିତ ବର୍ଷ ଯୁକ୍ତ ତିନି ଷଷ୍ଠ ସେମିଷ୍ଟର ପରୀକ୍ଷା ସମୟରେ ମଧ୍ୟ ବିଭ୍ରାଟ ଘଟିଥିଲା। ପରୀକ୍ଷା ପୂର୍ବରୁ କଲେଜଗୁଡିକୁ ପଠାଯାଇଥିବା ପ୍ରଶ୍ନ ପତ୍ରରେ ଯେ କୌଣସି ୩ଟି ପ୍ରଶ୍ନର ଉତ୍ତର ଦେବାକୁ ଲେଖା ଯାଇଥିବା ବେଳେ ପରୀକ୍ଷା ଦିନ କିଛି ସମୟ ପୂର୍ବରୁ କଲେଜଗୁଡିକୁ ମାତ୍ର ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ମେଲ୍‍ କରାଯାଇଥିଲା। ଫଳରେ ପରୀକ୍ଷାର୍ଥୀମାନେ ଦ୍ୱନ୍ଦରେ ପଡିଥିଲେ। ଏପରିକି ଅନେକ କଲେଜ ଓ ଛାତ୍ରୀମାନେ ପରିବର୍ତ୍ତିତ ନିୟମାବଳୀ ସମ୍ପର୍କରେ ପରୀକ୍ଷା ସରିବା ପରେ ଜାଣିବାକୁ ପାଇଥିଲେ। ତେଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ଖାମଖିଆଲି ମନୋଭାବ ତ୍ୟାଗ କରି ଅବିଳମ୍ବେ ମେଧା ତାଲିକା ପ୍ରକାଶ କରିବାକୁ ଏଆଇଡିଏସଓ ପକ୍ଷରୁ ଦୃଢ ଦାବୀ କରାଯାଇଛି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ମଧ୍ୟ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଅନ୍ୟ ସମସ୍ତ ବିଶ୍ଵବିଦ୍ୟାଳୟ ଟପ୍ପର ତାଲିକା ପ୍ରକାଶ କରିଥିବା ବେଳେ ରମାଦେବୀ ବିଶ୍ଵବିଦ୍ୟାଳୟ ଟପ୍ପର ତାଲିକା କାହିଁକି ପ୍ରକାଶ କରିନାହିଁ ବୋଲି ଏବିଭିପି ପ୍ରଶ୍ନ କରିଛି। ପୂର୍ବରୁ ପରୀକ୍ଷାରେ ତ୍ରୁଟି ଓ ୧୫ ମିନିଟ୍ ପୁର୍ବରୁ ପ୍ରଶ୍ନପତ୍ର ବଦଳିବା ଭଳି ବିଭିନ୍ନ ସମସ୍ୟା ଏହି ପରୀକ୍ଷା ସମୟରେ ଦେଖା ଦେଇଥିଲା। ତେବେ କର୍ତ୍ତୁପକ୍ଷ ଟପ୍ପର ତାଲିକାରେ ବିଳମ୍ବ କରିବା ହେରେଫରର ସମ୍ଭାବନାକୁ ଦର୍ଶାଇ ଦେଇଛି ବୋଲି ସନ୍ଦେହ ପ୍ରକାଶ ପାଇଛି। ତେଣୁ ପରୀକ୍ଷା ଫଳ ସାଙ୍ଗରେ ଟପ୍ପର ତାଲିକା କାହିଁକି ପ୍ରକାଶ କରି ନାହାନ୍ତି ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପ୍ରଶ୍ନ ଉଠାଇଛି ଏବଂ ଯଥାଶୀଘ୍ର ଏହି ଟପ୍ପର ତାଲିକା ବିନା ହେରଫେରରେ ପ୍ରକାଶ କରାଯାଉ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରମାଦେବୀ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ଶାଖା ସଭାପତି ଲିନା ନନ୍ଦିତା ପରିଡ଼ା ଦାବି କରିଛନ୍ତି।

ସେହିପରି ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗର ଟପ୍ପର ତାଲିକା ପ୍ରକାଶିତ ହୋଇଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଟପ୍ପର୍‍ ତାଲିକା ପ୍ରକାଶ ନ କରାଯିବା ପଛରେ ପରୀକ୍ଷା ନିୟନ୍ତ୍ରକଙ୍କ ନ୍ୟସ୍ତସ୍ୱାର୍ଥ ଜଡ଼ିତ ଥିବା ମନେ ହେଉଥିବା ଏଆଇଏସ୍‍ଏଫ୍‍ କହିଛି। ଏହା ପୂର୍ବରୁ ପରୀକ୍ଷା ପରିଚାଳନା ତୃଟି ପାଇଁ ହଜାର ହଜାର ଛାତ୍ରୀ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଭଳି ବାରମ୍ବାର ପରୀକ୍ଷା ବିଭ୍ରାଟ ଅନେକ ମେଧାବୀ ଛାତ୍ରୀଙ୍କ ଭବିଷ୍ୟତକୁ ନଷ୍ଟ କରୁଥିବା ସତ୍ୱେ ସରକାର ଏପର୍ଯ୍ୟନ୍ତ ପରୀକ୍ଷା ନିୟନ୍ତ୍ରକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣାକୁ ଏଆଇଏସ୍‍ଏଫ୍‍ ଦୃଢ଼ ନିନ୍ଦା କରିଛି। ଅବିଳମ୍ବେ ଟପ୍ପର ତାଲିକା ପ୍ରକାଶ କରିବା ସହ ପରୀକ୍ଷା ନିୟନ୍ତ୍ରକଙ୍କ ମନମୁଖୀ ପରିଚାଳନା ଉପରେ ଉଚ୍ଚସ୍ତରୀୟ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଆଇଏସ୍‍ଏଫ୍‍ ଦାବି କରିଛି।

ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି। ନ ହେଲେ ଆଗାମୀ ଦିନରେ ସଂଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଅନ୍ୟ ପକ୍ଷରେ ସୋମବାର ଦିନ ଟପ୍ପର ତାଲିକା ପ୍ରକାଶ ପାଇବ ବୋଲି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜ ମିଶ୍ର କହିଥିବା ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଜଣାଇଛନ୍ତି। ଏହି ସମସ୍ୟା ନେଇ ସେ କୁଳପତିଙ୍କ ସହ ଆଲୋଚନା କରିଥିବା ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Comments are closed.