ଶପଥ ନେଲେ ସୁପ୍ରିମକୋର୍ଟର ୪ ନୂଆ ବିଚାରପତି, ୧୧ ବର୍ଷ ପରେ ପୂର୍ଣ୍ଣ ହେଲା ନିର୍ଦ୍ଧାରିତ ସଂଖ୍ୟା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ୪ ନୂଆ ବିଚାରପତି ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗୋଇ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହ ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ ନିର୍ଦ୍ଧାରିତ ସଂଖ୍ୟା (୩୧) ପୂର୍ଣ୍ଣ ହୋଇଛି। ଏହି ନୂଆ ବିଚାରପତି ହେଲେ ଜଷ୍ଟିସ୍‍ ଅନିରୁଦ୍ଧ ବୋଷ, ଜଷ୍ଟିସ୍‍ ଏଏସ୍‍ ବୋପନ୍ନା, ଜଷ୍ଟିସ୍‍ ବିଆର ଗଭାଇ ଓ ଜଷ୍ଟିସ୍‍ ସୂର୍ଯ୍ୟକାନ୍ତ। କଲେଜିୟମ କିଛି ଦିନ ତଳେ ଉପରୋକ୍ତ ଜଜଙ୍କ ନାମର ସୁପାରିଶ କେନ୍ଦ୍ର ପାଖକୁ ପଠାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ୪ ଜଜଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ ପୂର୍ବକ ନୋଟିସ୍‍ ଜାରି କରିଥିଲେ।
କେନ୍ଦ୍ର ସରକାର ୨୦୦୮ରେ ସୁପ୍ରିମକୋର୍ଟଙ୍କ ଜଜ ସଂଖ୍ୟା ୨୬ରୁ ୩୧କୁ ବୃଦ୍ଧି କରିଥିଲେ। ଏହା ପରଠାରୁ କୌଣସି ନା କୌଣସି ଜଜ ପଦ ଖାଲି ରହୁଥିଲା। ଏବେ ପ୍ରଥମ ଥର ସୁପ୍ରିମକୋର୍ଟର ଧାର୍ଯ୍ୟ ଜଜଙ୍କ ସଂଖ୍ୟା ପୂର୍ଣ୍ଣ ହୋଇଛି।
ବରିଷ୍ଠତା କ୍ରମରେ ଜଷ୍ଟିସ୍‍ ଗଭାଇ ୨୦୨୫ରେ ୬ ମାସ ପାଇଁ ପ୍ରଧାନ ବିଚାରପତି ହେବେ। ଜଷ୍ଟିସ୍‍ (ଅବସରପ୍ରାପ୍ତ) ବାଲକୃଷ୍ଣନଙ୍କ ପରେ ଗଭାଇ ଅନୁସୂଚିତ ଜାତିର ଦ୍ୱିତୀୟ ପ୍ରଧାନ ବିଚାରପତି ହେବେ। ଏହାପରେ ଜଷ୍ଟିସ୍‍ ସୂର୍ଯ୍ୟକାନ୍ତ ତାଙ୍କ ଉତ୍ତରାଧିକାରୀ ଭାବେ ୨୦୨୫ ନଭେମ୍ବରରୁ ୨୦୨୭ ଫେବୃଆରୀ ପର୍ଯ୍ୟନ୍ତ ପ୍ରଧାନ ବିଚାରତି ପଦ ସମ୍ଭାଳିବେ। ଜଷ୍ଟିସ୍‍ ଗଭାଇ ବମ୍ବେ ହାଇକୋର୍ଟର ବିଚାରପତି, ଜଷ୍ଟିସ୍‍ ସୂର୍ଯ୍ୟକାନ୍ତ ହିମାଚଳପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିଲେ। ଜଷ୍ଟିସ୍‍ ବୋଷ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ ଓ ବରିଷ୍ଠତାରେ ସେ ୧୨ ନମ୍ବର ସ୍ଥାନରେ ଅଛନ୍ତି। ଜଷ୍ଟିସ୍‍ ବୋପନ୍ନା ଗୁଆହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ ଓ ସେ ବରିଷ୍ଠତାରେ ୩୬ ନମ୍ବର ସ୍ଥାନରେ ଅଛନ୍ତି।

Comments are closed.