ମୁମ୍ବଇରେ ପହଞ୍ଚିଲେ ପୂର୍ବତନ ପୁଲିସ ଆୟୁକ୍ତ ପରମ ବୀର ସିଂହ

ମୁମ୍ବଇ: ଉତ୍କୋଚ ଗ୍ରହଣ ଏବଂ କଳା ଟଙ୍କା କାରବାର ମାମଲାରେ ଅଭିଯୁକ୍ତ ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପରମ ବୀର ସିଂହ ଶେଷରେ ମୁମ୍ବଇରେ ଆସି ପହଞ୍ଚିଛନ୍ତି । ନିଜ କାର୍ଯ୍ୟାଳୟ ଏବଂ ଏହି ମାମଲାର ତଦନ୍ତରୁ ଏପର୍ଯ୍ୟନ୍ତ ଦୂରରେ ରହିଥିବା ଏବଂ ସ୍ଥାନୀୟ ଏକ ଅଦାଲତ ଦ୍ୱାରା ପଳାତକ ଘୋଷିତ ହୋଇଥିବା ପରମ ବୀର ୨୩୧ ଦିନ ପରେ ଗୁରୁବାର ମୁମ୍ବଇରେ ପହଞ୍ଚିଛନ୍ତି । ଜଣାଯାଁଇଛି ଯେ ଶ୍ରୀ ସିଂହ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସଙ୍ଗୀନ ଅଭିଯୋଗ ଆଣିବା ପରେ ତାଙ୍କୁ ମୁମ୍ବଇ ପୁଲିସ ଆୟୁକ୍ତରୁ ଗୃହରକ୍ଷୀ ବିଭାଗର ମହାନିର୍ଦ୍ଦେଶକ ଭାବରେ ମଇମାସରେ ବଦଳି କରାଯାଇଥିଲା । ସେବେଠାରୁ ସେ ଫେରାର ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ପତ୍ର ଲେଖି ପରମ ବୀର ଅଭିଯୋଗ କରିଥବଲେ ଯେ ଅନିଲ ଦେଶମୁଖ ମୁମ୍ବଇ ପୁଲିସ ବାହିନୀର ଅଧିକାରୀମାନଙ୍କୁ ମହାନଗରରେ ଥିବା ବାର ଓ ରେଷ୍ଟୁରାଣ୍ଟଗୁଡିକରୁ ବଳପୂର୍ବକ ୧୦୦ କୋଟି ଟଙ୍କା ଆଦାୟ କରିବାକୁ କହିଥିଲେ । ଅନ୍ୟ ଏକ ଘଟଣାରେ ପରମ ବୀର ଦାବି କରିଥିଲେ ଯେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସଞ୍ଜୟ ପାଣ୍ଡେ ତାଙ୍କୁ ଡାକି ସେ ଦେଶମୁଖଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗର ରଫା ଦଫା କରିବାକୁ କହିଥିଲେ । ଏହା ପୂର୍ବରୁ ବମ୍ବେ ହାଇକୋର୍ଟ ପରମ ବୀରଙ୍କୁ ନୋଟିସ ଜାରି କରି ସେ କେଉଁଠାରେ ଅଛନ୍ତି ତାହା ଜଣାଇବାକୁ ୩୦ ଦିନ ସମୟ ଦେଇଥିଲେ । ଜଣାଯାଇଛି ଯେ ପରମ ବୀର ସଂପ୍ରତି ହାଜର ହେବାପରେ ତାଙ୍କୁ ସିବିଆଇ ଏବଂ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଗଠିତ ଚାଣ୍ଡିୱାଲ କମିଶନ ଜେରା କରିବା ସମ୍ଭାବନା ରହିଛି ।

Comments are closed.