ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ସଂଜୀବ ସାହୁ

ଅନୁଗୋଳ  : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସଂଜୀବ ସାହୁ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳ ସଭାପତିଙ୍କ ପାଖକୁ ପଠାଇ ଦେଇଛନ୍ତି ।

ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ବୁଧବାର  ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକର ପୂର୍ବତନ  ବିଧାୟକ ସଞ୍ଜୀବ କୁମାର ସାହୁ । ବୁଧବାର ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସେ ଏହା ଘୋଷଣା କରିବା ସହ ତାଙ୍କର ବ୍ୟକ୍ତିଗତ କାରଣରୁ ଏହି ଇସ୍ତଫା ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି । ସେ ବୀରମହାରାଜପୁରରୁ ୨ ଥର ଓ ଆଠମଲ୍ଲିକରୁ ୨ ଥର ଜିତି  ୪ ଥର ପାଇଁ ବିଧାୟକ ହୋଇଥିଲେ। ସେ ଆଠମଲ୍ଲିକରୁ ୨୦୦୯ ଏବଂ ୨୦୧୪ ମସିହାରେ  ବିଧାୟକ ହୋଇଥିଲେ। ବିଜେଡ଼ିର ପୂର୍ବତନ କ୍ଷମତାକେନ୍ଦ୍ର ପ୍ୟାରୀମୋହନ ମହାପାତ୍ରଙ୍କ ଅତି ଘନିଷ୍ଠ ଭାବେ ପରିଗଣତି ହୋଇଥିବାରୁ ତାଙ୍କ ମନ୍ତ୍ରୀପଦ ହରାଇବାକୁ ପଡିଥିଲା । ପ୍ରଥମେ ସେ ଉପ ନିର୍ବାଚନରେ ନିର୍ବାଚିତ ହୋଇ ବିଧାୟକ ହେବାପରେ,୨୦୦୯ ମସିହାରେ ସେ ୧୮ହଜାର ୯୮୧ଖଣ୍ଡ ଭୋଟ୍‌ରେ କଂଗ୍ରେସର ମୌସୁମୀ ପ୍ରଧାନଙ୍କୁ ପରାସ୍ତ କରିଥିଲେ।୨୦୧୪ ମସିହାରେ କଂଗ୍ରେସର ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ ୧୯ହଜାର ୫୩୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ। ତଥାପି ୨୦୧୯ ମସିହାରେ ବିଜେଡ଼ି ସଞ୍ଜୀବଙ୍କ ବଦଳରେ ରମେଶ ଚନ୍ଦ୍ର ସାଏଙ୍କୁ ଟିକେଟ୍‌ ଦେଇଥିଲା। ଏହା ପରଠୁ ସଞ୍ଜୀବ ଅସନ୍ତୁଷ୍ଟ ଥିଲେ। ସଂଜୀବ ଶିକ୍ଷକତାରୁ ଇସ୍ତଫା ଦେଇ ତାଙ୍କ  ରାଜନୀତି ଜୀବନ ଆରମ୍ଭ କରିଥିଲେ । ଆରମ୍ଭରୁ ଜନତା ଦଳରେ ହିଁ ରହିଥିଲେ। ୧୯୮୮ ମସିହାରେ ସେ ବିରମହାରାଜପୁର ନିର୍ବାଚନ ମଣ୍ଡଳୀର ଜନତା ଦଳ ସଭାପତି ଥିଲେ । ୧୯୯୦ ମସିହାରେ ଅବିଭକ୍ତ ଢ଼େଙ୍କାନାଳ ଜିଲାର ଜନତା ଦଳ ଉପସଭାପତି ପଦବୀରେ ରହିଥିଲେ। ୧୯୮୪-୮୫ ମସିହାରେ ଅଙ୍ଗପଡ଼ା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ସେହି ଥର ହିଁ କିଶୋରନଗର ବ୍ଲକର ଉପାଧ୍ୟକ ପଦବୀ ହାତେଇଥିଲେ। ୨୦୦୬ରୁ ୨୦୦୮ ମସିହା ପର୍ଯ୍ୟନ୍ତ ରାଜ୍ୟ ପଞ୍ଚାୟତିରାଜ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ଦାୟିତ୍ବ)ରେ ରହିଥିଲେ। ୨୦୦୮ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଯୋଗାଯୋଗ ଏବଂ ୨୦୦୯ରୁ ୨୦୧୨ ମସିହା ପର୍ଯ୍ୟନ୍ତ ବାଣିଜ୍ୟ ଏବଂ ପରିବହନ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ। ତେବେ ୨୦୧୨ ମିଡନାଇଟ୍‌ ଅପରେସନରେ ପ୍ୟାରୀମୋହନ ମହାପାତ୍ରଙ୍କୁ ବିଜେଡ଼ିରୁ ତଡ଼ାଯିବା ପରେ ଶକ୍ତିହୀନ ହୋଇପଡ଼ିଥିଲେ ସଞ୍ଜୀବ। ତଥାପି ଦଳ ତାଙ୍କୁ ୨୦୧୪ ମସିହା​ରେ‌ ଆଠମଲ୍ଲିକରୁ ଟିକେଟ୍‌ ଦେଇଥିଲା । ବିଧାୟକ ଥିବା ସମୟରେ ୧୨ଟି ବିଭିନ୍ନ ବିଧାନସଭା କମିଟିର ସଦସ୍ୟ ମଧ୍ୟ ରହିଥିଲେ । ଇସ୍ତପା ଦେବାପରେ ସେ କେଉଁ ଦଳରେ ଯୋଗଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିନଥିଲେ ମଧ୍ୟ ବିଜେପିରେ ଯୋଗ ଦେବେ ବୋଲି ତାଙ୍କ ନିକଟତମ ମହଲରେ ଚର୍ଚ୍ଚା ହେଉଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଅସନ୍ତୁଷ୍ଟ ମାନେ ଦଳ ବଦଳ କରିବେ ବୋଲି ଆଶା କରାଯାଉଥିବା ବେଳେ ସଂଜୀବ ଆଜି ଦଳ ଛାଡିଛନ୍ତି

Comments are closed.