ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ; ୧୨ ଘଣ୍ଟା ଧରି ପଚରାଉଚରା ପରେ ଗିରଫ କଲା ଇଡି

ମୁମ୍ବଇ : ଶେଷରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହୋଇଛନ୍ତି । ଲାଞ୍ଚ ଏବଂ ବେଆଇନ ଅର୍ଥ କାରବାର ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ (୭୧)ଙ୍କୁ ସୋମବାର ବିଳମ୍ବିତ ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ଏହାପୂର୍ବରୁ ଇଡି ଦେଶମୁଖଙ୍କୁ ୧୨ ଘଣ୍ଟା ଧରି ପଚରାଉଚରା କରିଥିଲା । ଦେଶମୁଖ ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଦକ୍ଷିଣ ମୁମ୍ବାଇର ବଲାର୍ଡ ଇଷ୍ଟେଟରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହା ପରେ ଇଡି ସହ ନିର୍ଦ୍ଦେଶକ ତାସିନ୍ ସୁଲତାନ ଏବଂ ତାଙ୍କ ଦଳ ଦେଶମୁଖଙ୍କୁ କ୍ରମାଗତ ପଚରାଉଚରା କରିଥିଲେ।

ଜଣେ ଇଡି ଅଧିକାରୀଙ୍କ କହିବାନୁସାରେ, ମହାରାଷ୍ଟ୍ର  ପୁଲିସରେ ୧୦୦ କୋଟି ଟଙ୍କାର ଲାଞ୍ଚ କାରବାର ସହ ବଳପୂର୍ବକ ଅର୍ଥ ଆଦାୟ ଏବଂ  ବେଆଇନ ଅର୍ଥ କାରବାର ଆଇନ ଅଧୀନରେ ଦେଶମୁଖଙ୍କ ବିବୃତ୍ତି ରେକର୍ଡ କରାଯାଇଛି । ଇଡି ଏହି ମାମଲାରେ ପୂର୍ବରୁ ଦେଶମୁଖଙ୍କୁ ପାଞ୍ଚ ଥର ଡକାଇଥିଲା, କିନ୍ତୁ ସେ ଥରେ ହେଲେ ମଧ୍ୟ ହାଜର ହୋଇନଥିଲେ । ଦେଶମୁଖ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଆଇନଗତ ସୁରକ୍ଷା ପାଇଁ ଚେଷ୍ଟା ଜାରି ରଖିଥିଲେ ଏବଂ ମାସ ମାସ ଧରି ନିଖୋଜ ହୋଇଯାଇଥିଲେ । ଗତ ସପ୍ତାହରେ ବମ୍ବେ ହାଇକୋର୍ଟ, ଇଡି ସମନ ବନ୍ଦ କରିବାକୁ ମନା କରିବା ପରେ ତାଙ୍କ ପାଖରେ ଅନୁସନ୍ଧାନକାରୀ ସଂସ୍ଥାରେ ହାଜର ହେବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା।

ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପାରମବୀର ସିଂହ, ଦେଶମୁଖ ମୁମ୍ବଇର କନିଷ୍ଠ ପୁଲିସ ଅଧିକାରୀଙ୍କ ମାଧ୍ୟମରେ ପବ୍, ବାର ଏବଂ ରେଷ୍ଟୁରାଣ୍ଟରୁ ମାସକୁ ୧୦୦ କୋଟି ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ କରିଥିଲେ । ଏହି ମାମଲା ହାଇକୋର୍ଟ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ଏହା ପରେ ଏହି କ୍ଷେତ୍ରରେ ଇଡିର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ମାମଲାରେ ଦେଶମୁଖଙ୍କ ବ୍ୟକ୍ତିଗତ ସହକାରୀ କୁନ୍ଦନ ସିନ୍ଦେ ଏବଂ ବ୍ୟକ୍ତିଗତ ସଚିବ ସଞ୍ଜୀବ ପାଲାଣ୍ଡେଙ୍କୁ ଗିରଫ କରାଯାଇଛି।

ଦେଶମୁଖ  ହଠାତ୍ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇଥିଲେ। ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ଦେଶମୁଖ ଏକ ଭିଡିଓ ଜାରି କରି ପଚାରିଥିଲେ ଯେ ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପାରମବୀର ସିଂହ କେଉଁଠାରେ ଅଛନ୍ତି। ଟିଏ କି ତାଙ୍କ ବିରୋଧରେ ୧୦୦ କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ କରିଛନ୍ତି । ତାଙ୍କୁ ୧୨ ଘଣ୍ଟା ଧରି ଇଡି କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା।

Comments are closed.