ହ୍ରାସ ପାଉଛି ବନାଗ୍ନି, କଡ଼ାକଡ଼ି ହେବ ପାଟ୍ରୋଲିଂ

ବନାଗ୍ନି ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ବର: ପ୍ରଚଳିତ ବନାଗ୍ନିକ ପ୍ରତିହତ ଓ ପ୍ରଶମିତ କରିବା ନିମନ୍ତେ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ଥିରୀକୃତ କରାଯାଇ ଓଡ୍ରାଫ୍ ବଳଙ୍କୁ ରାଜ୍ୟସାରା ବନାଗ୍ନିର ପ୍ରଶମନ ନିମନ୍ତେ ସହାୟତା ଯୋଗାଇବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଏହି ଦଳ ଇତ୍ୟବସରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ପହଞ୍ଚି ଯାଇଛନ୍ତି। ରାଜ୍ୟର ମୁଖ୍ୟ ସଚିବ ଆଜି ପୂର୍ବାହ୍ନରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କ ସହ ବନାଗ୍ନି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସମ୍ପୃକ୍ତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା କର୍ମଚାରୀଙ୍କୁ ବନାଗ୍ନିର ବିସ୍ତାରକୁ ରୋକିବା ଓ ନିର୍ବାପନ ନିମନ୍ତେ ସମସ୍ତ ଉଦ୍ୟମ ଜାରି ରଖିବାକୁ ତଥା ରାତ୍ରୀକାଳୀନ ପାଟ୍ରୋଲିଂ କୁ ତୀବ୍ରତର କରିବା ସହ ଯଥାଶୀଘ୍ର ସମ୍ଭବ ପ୍ରାପ୍ତ ବନାଗ୍ନି ସତର୍କ ସୂଚନା ଗୁଡିକୁ ତଦାରଖ କରି ପାହାଡ ଅଂଚଳର ବନାଗ୍ନିକୁ ପ୍ରାଥମିକତା ପ୍ରଦାନ କରି ବିହୀତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଏହାଛଡା ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ନିମନ୍ତେ ପିଆର୍‌ଆଇ ଅନୁଷ୍ଠାନର ସ୍ଥାନୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଭିଏସ୍‌ଏସ୍‌ / ଇଡିସି ଗୁଡିକୁ ଏହି କାର୍ଯ୍ୟରେ ଜଡିତ କରିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହାଛଡା ସାମ୍ପ୍ରତିକ ବନାଗ୍ନି ପରିସ୍ଥିତିକୁ ଅଧିକ ପ୍ରଭାବଶାଳୀଭାବେ ମୁକାବିଲା ତଥା ଫଳପ୍ରସୁ କରିବା ପାଇଁ ଅଧିକ ଲୋକ ଓ ଯାନ୍ତ୍ରିକ ବଳ ନିୟୋଜନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଅଛି। ରାଜ୍ୟ ସାରା ଅଧିକ ୧୦୦ ଗୋଟି ଦଳକୁ ସ୍ଥାନ ବିଶେଷରେ ଆବଶ୍ୟକତା ଅନୁସାରେ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି। ଏହା ସହ ଅଧିକ ୭୦୦ ଗୋଟି ବ୍ଲୋୟର ବନାଗ୍ନି ନିର୍ବାପନ କାର୍ଯ୍ୟରେ ଯଥାଶୀଘ୍ର ଲଗାଇବାର ବ୍ୟବସ୍ଥା କରାଯାଉଅଛି।


ଏହାଛଡା ଜଙ୍ଗଲ ସଂଲଗ୍ନରେ ଥିବା ୩୦୦୦ ଗ୍ରାମକୁ ବନାଗ୍ନି ପ୍ରଶମନ ଓ ପ୍ରତିହତରେ ସହାୟତା ନିମନ୍ତେ ପ୍ରୋତ୍ସାହନ ଦେବାରେ ବ୍ୟବସ୍ଥା କରାଯାଉଅଛି। ଏଥି ସହିତ ପିଆର୍‌ଆଇ ଇନ୍‌ଷ୍ଟିଚ୍ୟୁସନ୍ସ ଗୁଡିକର ଲୋକ ବଳକୁ ଜଙ୍ଗଲ ସଂଲଗ୍ନ ଗ୍ରାମବାସୀମାନଙ୍କୁ ବନାଗ୍ନିର ଭୟାଭୟତା ଓ ବିନାଶ ପ୍ରତି ସଚେତନ କରିବା ସହ ବନାଗ୍ନି ନିର୍ବାପନ କାର୍ଯ୍ୟ ପ୍ରତି ସମ୍ବେଦନଶୀଳ କରିବା ନିମନ୍ତେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରାଯାଇଅଛି। ବିଭିନ୍ନ ଇଲାକାରେ ସ୍ଥାନୀୟ ବନଖଣ୍ଡ ଅଧିକାରୀ ସ୍ଥାନୀୟ କୃଷି ଅଧିକାରୀଙ୍କ ସହାୟତାରେ ଜଙ୍ଗଲ ସଂଲଗ୍ନ ଗ୍ରାମଗୁଡିକରେ କୃଷି ବର୍ଜ୍ୟବସ୍ତୁର ଅବହେଳିତ ଦହନର ନିରାକରଣ ନିମନ୍ତେ ପଦକ୍ଷେପ ନେବା ସହ ଆବଶ୍ୟକତାସ୍ଥଳେ ପାଣିଟାଙ୍କିର ବ୍ୟବହାର କରି ବନାଗ୍ନିକୁ ଆୟତ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଅଛି। କ୍ଷେତ୍ର କର୍ମଚାରୀଙ୍କର ସମୟପଯୋଗୀ ନିରନ୍ତର ପ୍ରଚେଷ୍ଟା ଫଳରେ ବିଗତ ଦୁଇ ଦିନରେ ଫାୟାର ପଏଣ୍ଟ୍‌ର ସଂଖ୍ୟାରେ ତା ୦୭.୦୩.୨୦୨୧ର ୬୨୫୮ ସଂଖ୍ୟାରୁ ତା ୦୮.୦୩.୨୦୨୧ର ୩୨୫୮କୁ ହ୍ରାସ ପାଇଅଛି। ବିଗତ ୨୪ ଘଣଟାର ରିର୍ପୋଟିଂ ଅବଧିରେ ଶତକଡା ୯୫ ଭାଗରୁ ଅଧିକ ଫାୟାର ପଏଣ୍ଟର ବନାଗ୍ନିକୁ ନିର୍ବାପିତ କରାଯାଇଛି। ରାଜ୍ୟ ସରକାର ଜନସାଧାରଣଙ୍କୁ ବନ ବିଭାଗ ଓ ଅନ୍ୟ ବିଭାଗର କର୍ମଚାରୀଙ୍କୁ ବନାଗ୍ନି ନିର୍ବାପନ କାର୍ଯ୍ୟରେ ସହଯୋଗ ପ୍ରଦାନ ନିମନ୍ତେ ନିବେଦନ କରୁଅଛନ୍ତି।

Comments are closed.