ହାଇଦରାବାଦଠାରୁ ଓଡ଼ିଶା ଏଫ୍‌ସି ପରାସ୍ତ

ବାମ୍ବୋଲିମ୍ (ଗୋଆ) : ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ୭ମ ସଂସ୍କରଣରେ ସୋମବାର ଅଭିଯାନ ଅାରମ୍ଭ କରିଛି ଓଡ଼ିଶା ଏଫ୍‌ସି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସିକୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ଆରିଡେନ୍ ଜିଜସ୍ ସାଣ୍ଟାନାଙ୍କ ପେନାଲ୍‌ଟି ଗୋଲ୍‌ ବଳରେ ଓଡ଼ିଶା ଏଫ୍‌ସିକୁ ୧-୦ ଗୋଲ୍‌ରେ ହାଇଦରବାଦ ଏଫ୍‌ସି ପରାସ୍ତ କରିଛି। ବିଜୟରୁ ହାଇଦରବାଦ ୩ ପଏଣ୍ଟ ପାଇଛି। ଆସନ୍ତା ୨୯ରେ ଜାମ୍‌ସେଦପୁର ଏଫ୍‌ସି ବିପକ୍ଷରେ ଓଡ଼ିଶା ଏଫ୍‌ସି ୨ୟ ମ୍ୟାଚ୍‌ ଖେଳିବ।
ପ୍ରଥମାର୍ଦ୍ଧରେ ହାଇଦରାବାଦ ଏଫ୍‌ସି ଓଡ଼ିଶା ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ୫ମ ମିନିଟରେ ହାଇଦରାବାଦର ଆରିଡେନ୍ ଜିଜସ୍ ସାଣ୍ଟାନାଙ୍କ ହେଡର ଗୋଲ୍‌ପୋଷ୍ଟ ବାହାରେ ଚାଲି ଯାଇଥିଲା। ୨ ମିନିଟ ପରେ ଏହି ଦଳର ଆକାଶ ମିଶ୍ରଙ୍କ ସଟ୍‌କୁ ଓଡ଼ିଶା ଏଫ୍‌ସି ଗୋଲ୍‌ରକ୍ଷକ ଅର୍ଶଦୀପ ସିଂହ ରୋକି ଦେଇଥିଲେ। ୧୨ ମିନିଟ​ରେ ହାଇଦରାବାଦର ନିଖିଳ ପୂଜାରିଙ୍କ ସଟ୍‌ ମଧ୍ୟ ଗୋଲ୍‌ପୋଷ୍ଟ ବାହାରେ ଥିଲା। ହାଇଦରାବାଦ ଏଫ୍‌ସି ୩୫ ମିନିଟରେ ଆଗୁଆ ହୋଇ ଯାଇଥିଲା। ପେନାଲ୍‌ଟି ଏରିଆରେ ଓଡ଼ିଶା ଏଫ୍‌ସିର ଷ୍ଟିଭେନ୍ ଟେଲର ହ୍ୟାଣ୍ଡ୍‌ବଲ କରିବା ଯୋଗୁଁ ହାଇଦରାବାଦକୁ ପେନାଲ୍‌ଟି ମିଳିଥିଲା। ଏଥରୁ ହାଇଦରାବାଦର ସ୍ପାନିସ୍ ଖେଳାଳି ଆରିଡେନ୍ ଜିଜସ୍ ସାଣ୍ଟାନା ଗୋଲ୍‌ଦେଇ ଦଳକୁ ଆଗୁଆ କରିଥିଲେ। ୪୧ ମିନିଟରେ ଓଡ଼ିଶା ଏଫ୍‌ସିକୁ ପ୍ରଥମ ସୁ​‌େ​‌ଯାଗ ମିଳିଥିଲା। ଓଡ଼ିଶା ଏଫ୍‌ସିର ସ୍ପାନିସ୍ ଖେଳାଳି ମାନୁଏଲ୍‌ ଓନ୍ୟୁ ସିଧା ହାଇଦରାବାଦର ଗୋଲ୍‌ରକ୍ଷକ ସୁବ୍ରତ ପଲ୍‌ଙ୍କ ହାତକୁ ସଟ୍‌ ମାରିଥିଲେ। ୪୪ ମିନିଟରେ ହାଇଦରାବାଦର ଆରିଡେନ୍ ସାଣ୍ଟାନା ସଟ୍ ମାରିଥିଲେ ହେଁ ଏହାକୁ ଓଡ଼ିଶା ଏଫ୍‌ସିର ଗୋଲ୍‌ରକ୍ଷକ ଅର୍ଶଦୀପ ସିଂହ ରୋକିଥିଲେ। ପ୍ରଥମାର୍ଦ୍ଧରେ ପ୍ରାଧାନ୍ୟ ବିସ୍ତାରକରି ହାଇଦରାବାଦ ୧-୦ରେ ଆଗୁଆ ରହିଥିଲା। ୫୩ ମିନିଟରେ ଓଡ଼ିଶା ଏଫ୍‌ସିକୁ ପ୍ରଥମ କର୍ଣ୍ଣର ମିଳିଥିଲେ ହେଁ ଏହା ବେକାର ହୋଇଥିଲା। ୫୮ ମିନିଟରେ ମାନୁଏଲ୍‌ ଓନ୍ୟୁଙ୍କ ଗୋଲ୍‌ ଅଭିମୁଖୀ ସଟ୍‌ ଦୁର୍ବଳ ଥିଲା। ପରେ ହାଇଦରାବାଦର ହଲିରଚଣ ନାର୍ଜାରିଙ୍କ ଶକ୍ତିଶାଳୀ ସଟ୍‌ ଗୋଲ୍‌ପୋଷ୍ଟ ଉପରେ ଚାଲି ଯାଇଥିଲା। ୮୧ ମିନିଟରେ ବିପଜ୍ଜନକ ଖେଳ ପାଇଁ ଓଡ଼ିଆ ଡିଫେଣ୍ଡର ଶୁଭମ୍ ଷଡ଼ଙ୍ଗୀଙ୍କୁ ହଳଦିଆ କାର୍ଡ ଦେଖା ଯାଇଥିଲା। ୮୬ ମନିଟରେ ହାଇଦରାବାଦର ଲିଷ୍ଟନ୍ କୋଲାସୋଙ୍କ ସଟ୍‌ ବାର୍ ଉପରେ ଚାଲି ଯାଇଥିଲା।

Comments are closed.