ଖାଦ୍ୟ ସୁରକ୍ଷା ଓ ଆଧୁନିକ ଜ୍ଞାନକୌଶଳ

ବୈଷୟିକ ଜ୍ଞାନକୌଶଳର ଦ୍ବାହି ଦେଇ ଦରିଦ୍ରଙ୍କୁ ଭୋକଉପାସରେ ରଖିବା ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ପକ୍ଷେ ଅନୁଚିତ

ଏହା ନିଶ୍ଚିତ ସତ୍ୟ ଯେ ଭାରତ ଭଳି ଦେଶରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ କରିବା ଏକ ସହଜ ବ୍ୟାପାର ନୁହେଁ। ବିଶେଷକରି କେବଳ ମାତ୍ର ଭାରତରେ ଏହି ସ୍ବତନ୍ତ୍ର କ୍ଷେତ୍ରରେ ଚାରିଗୋଡ଼ିଆ ମୂଷାଙ୍କ ଅପେକ୍ଷା ଦୁଇଗୋଡ଼ିଆ ମୂଷାଙ୍କ ପ୍ରାଦୁର୍ଭାବ ଅଧିକ ଯାହାକୁ ସମୂଳ ବିନାଶ କରିବା କଷ୍ଟକର । ସରକାର ଯେତେ ଯାହା କଲେ ବି ଏହି ସଂସ୍ଥା ସଂପୂର୍ଣ୍ଣ ସ୍ବଚ୍ଛ ହେବାର ସମ୍ଭାବନା ବହୁତ କମ୍‌ । ତେବେ ସରକାର ଏହାକୁ ବୈଷୟିକ ଜ୍ଞାନକୌଶଳ ଦ୍ବାରା ସ୍ମାର୍ଟ କ୍ଷେତ୍ରରେ ପରିଣତ କରିବାକୁ ଏବେ ଚେଷ୍ଟିତ ।
କହିବାକୁ ଗଲେ ସାଧାରଣ ବଣ୍ଟନ ବ୍ୟବସ୍ଥାର ଅୟମାରମ୍ଭ ଅନେକ ଦିନ ତଳୁ ଅର୍ଥାତ୍‌ ପ୍ରାୟ ୧୯୬୦ ମସିହାରୁ ଆରମ୍ଭ। ପୂର୍ବରୁ ଯାହା ଥିଲା ଦାତବ୍ୟ ବ୍ୟବସ୍ଥା ତାହା ପରେ ପରେ ନ୍ୟାୟାଳୟର ପ୍ରଚେଷ୍ଟାରେ ପରିଣତ ହେଲା ନାଗରିକ ମାନଙ୍କ ଅଧିକାରଭୁକ୍ତ ବ୍ୟବସ୍ଥା, ଯାହାକୁ ୨୦୧୩ରେ ଖାଦ୍ୟ ସୁରକ୍ଷା ଆଇନରେ ପରିଣତ କରାଗଲା । ପ୍ରଧାନ ଉଦ୍ଦେଶ୍ୟ ଥିଲା ଦରିଦ୍ର ଜନତାଙ୍କୁ ଉପଯୁକ୍ତ ସୁଷମ ଖାଦ୍ୟ ବଣ୍ଟନ । ତେବେ କାଗଜକଲମରେ ଏହି ଯୋଜନା ୭୫ ଭାଗ ଗ୍ରାମାଞ୍ଚଳ ଏବଂ ୫୦ ଭାଗ ସହରାଞ୍ଚଳ ଜନତାଙ୍କୁ ଖାଦ୍ୟ ଯୋଗାଣ କରିବାରେ ସହାୟକ ହୋଇପାରିଛି। ଏକ ଦଶନ୍ଧି ପୂର୍ବରୁ ଏହି ଯୋଜନା ଯାହା ଥିଲା, ବର୍ତ୍ତମାନ ସେଥିରେ ଅନେକ ପରିବର୍ତ୍ତନ ଘଟିଛି ଏବଂ ଆହୁରି ଅନେକ ପରିବର୍ତ୍ତନ ବାକି ଅଛି। ‘ଗୋଟିଏ ଦେଶ, ଗୋଟିଏ ରେସନ କାର୍ଡ’ ଯୋଜନା ପ୍ରଣୀତ ହେଲେ ଆଶା କରାଯାଏ ଯେ ଅନେକ ଦୁର୍ନୀତିର ବାଟ ଛାଏଁଛାଏଁ ବନ୍ଦ ହୋଇପାରିବ। ଏହା ସହ ପ୍ରବାସୀମାନେ ମଧ୍ୟ ଦେଶର ଯେ କୌଣସି ସ୍ଥାନରେ ଥାଇ ଏହି ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ଉଠାଇବାକୁ ସକ୍ଷମ ହୋଇ ପାରିବେ। ଅନ୍ୟ ପକ୍ଷରେ କହିବାକୁ ଗଲେ ଆଉ ଜଣେହେଲେ ବୁଭୁକ୍ଷୁ ଜନତା ଖାଦ୍ୟ ଅଭାବରୁ ଯନ୍ତ୍ରଣା ଭୋଗିବେ ନାହିଁ। ହୁଏତ ଏହା ଭାରତୀୟଙ୍କ ପାଇଁ ଭବିଷ୍ୟତର ନିଶ୍ଚିତ ସୁନେଲି ଯୋଜନା।
ଏହି ଯୋଜନା ଯେ ନିଶ୍ଚିତ ଫଳବତୀ ହେବ ତାହା କହିବା କଷ୍ଟକର। ଏହା ନ ହୋଇପାରିଲେ ମୂଳ ଯୋଜନା ଯେ ପଣ୍ଡ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଏହି ଯୋଜନା ପାଇଁ ଅନେକ ସମସ୍ୟା ରହିଛି । ପ୍ରଥମତଃ ୨୦୧୧ ଜନଗଣନା ଅନୁସାରେ ଏହି ରେସନ କାର୍ଡ ପ୍ରଦାନ କରାଯାଇଛି । ଭାରତ ଭଳି ଏକ ଅତ୍ୟଧିକ ଜନସଂଖ୍ୟା ବୃଦ୍ଧି ଘଟୁଥିବା ଦେଶରେ ଦଶ ବର୍ଷ ତଳର ଜନସଂଖ୍ୟା ଆଧାରରେ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରିବା ଆଦୌ ବିଜ୍ଞତାର କାର୍ଯ୍ୟ ନୁହେଁ । ୨୦୧୧ ଜନଗଣନା ଅନୁଯାୟୀ ଆମର ଜନସଂଖ୍ୟା ୧୨୧ କୋଟି ଥିବା ବେଳେ ବର୍ତ୍ତମାନ ଏହା ନିଶ୍ଚିତ ଭାବେ ୧୪୦ରେ ପହଞ୍ଚିଥିବାର ଆଶା କରାଯାଏ। ବିଶିଷ୍ଟ ଅର୍ଥ​‌େ​‌ନୖତିଜ୍ଞ ଜଁା ଦ୍ରେଜ୍‌ ଏବଂ ରୀତିକା ଖେଡ଼ାଙ୍କ ମତରେ କୋଭିଡ-୧୯ ମହାମାରୀ ପୂର୍ବରୁ ପ୍ରାୟ ୧୦ କୋଟି ଜନତା ଏହି ଯୋଜନାରୁ ବଞ୍ଚିତ ହୋଇଥିଲେ । ତେବେ କୋଭିଡ ମହାମାରୀ ଦ୍ବାରା ଆମର ଅର୍ଥନୀତି ଭୀଷଣ ଭାବରେ କ୍ଷତିଗ୍ରସ୍ତ ହେବାରୁ ପ୍ରାୟ ୨୩ କୋଟି ଜନତା ଏବେ ଖାଦ୍ୟାଭାବର ସମ୍ମୁଖୀନ ହୋଇଛନ୍ତି। ସେ ଯାହା ହେଉ ଅଜିମ୍‌ ପ୍ରେମଜୀ ବିଶ୍ୱବିଦ୍ୟାଳୟ ରିପୋର୍ଟ ଅନୁସାରେ ଭାରତର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଦାରିଦ୍ର୍ୟ ଯଥାକ୍ରମେ ୧୫ ଏବଂ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଯଦି ବେକାରି ସମସ୍ୟା କଥା ଚିନ୍ତା କରାଯାଏ ତେବେ ଏହା ସମସ୍ତଙ୍କର ଉଚ୍ଚ ରକ୍ତଚାପକୁ ଆହୁରି ସାଂଘାତିକ ଭାବେ ବୃଦ୍ଧି କରିବାରେ ସହାୟକ ହେବ। ବୃଷ୍ଟିପାତରେ ଅନିୟମିତତା, ମୌସୁମି ବାୟୁର ଲୁଚକାଳି ଖେଳ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗ୍ରାମାଞ୍ଚଳର କୃଷି ଉତ୍ପାଦନ ଏବଂ ଅର୍ଥନୀତି ଯଥେଷ୍ଟ ପ୍ରଭାବିତ ହୋଇଛି। ତେବେ ସହରାଞ୍ଚଳର ଅର୍ଥନୀତିର ଅବସ୍ଥା ମଧ୍ୟ କମ ସଙ୍କଟାପନ୍ନ ନୁହେଁ ।
କୋଭିଡ-୧୯ ମହାମାରୀ ପୂର୍ବରୁ ଉତ୍ପାଦନ କ୍ଷେତ୍ର ପ୍ରାୟ ୪ କୋଟି ଜନତାଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା; କିନ୍ତୁ କୋଭିଡ ମହାମାରୀ ପରେ ଏହି କ୍ଷେତ୍ରରେ ଅଗଷ୍ଟ ୨୦୨୧ ସୁଦ୍ଧା ପ୍ରାୟ ୨.୮ କୋଟି ଜନତା ନିୟୋଜିତ ଅଛନ୍ତି । ସୁତରାଂ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ସୁବିଧା ହ୍ରାସ ପାଉଛି । କେବଳ ମାତ୍ର ନିଯୁକ୍ତି କ୍ଷେତ୍ର ନୁହେଁ; ସବୁ କ୍ଷେତ୍ର କୋଭିଡ ଯୋଗୁଁ କ୍ଷତିଗ୍ରସ୍ତ ହେବାରୁ ଦେଶର ମୋଟ ସାମଗ୍ରିକ ଘରୋଇ ଆୟ ମଧ୍ୟ ହ୍ରାସ ପାଇଛି। ଆମର ଯେଉଁ ଶିଳ୍ପଗୁଡିକ ଗ୍ରାମାଞ୍ଚଳର ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରନ୍ତି, ଯଥା, ନିର୍ମାଣ, ସେବା, ମନୋରଞ୍ଜନ ଇତ୍ୟାଦି, ସେଗୁଡିକର ଅବସ୍ଥା ମଧ୍ୟ ସାଂଘାତିକ ହୋଇ ପଡିଛି। ଏପରିକି ଠିକ ନିଯୁକ୍ତି ତଥ୍ୟ ମଧ୍ୟ ହାସଲ କରିବା ସମ୍ଭବ ନୁହେଁ। ସଙ୍ଗଠିତ କ୍ଷେତ୍ରରେ ବେତନ ବୃଦ୍ଧି ଘଟିବାବେଳେ ଅଣସଙ୍ଗଠିତ କ୍ଷେତ୍ରରେ ବେତନ କଥା ଛାଡ, ନିଯୁକ୍ତି ହ୍ରାସ ପାଇବା ସହ ବେତନ ମଧ୍ୟ ହ୍ରାସ ପାଇବା ଏକ ସମସ୍ୟା ପାଲଟିଛି। କହିବା ବାହୁଲ୍ୟ ଯେ ଏହି ଅଣସଙ୍ଗଠିତ କ୍ଷେତ୍ରରେ ଅନେକ ସ୍ଥାୟୀ ନିଯୁକ୍ତି ଅସ୍ଥାୟୀ ନିଯୁକ୍ତିରେ ମଧ୍ୟ ପରିଣତ ହୋଇସାରିଛି। ଏହି ସବୁ ବିଷୟ ସୂଚାଇଦିଏ ଯେ କୋଭିଡ ମହାମାରୀ ପରେ ଆମର ଅଧିକାଂଶ ଜନତା କିପରି ଦୁର୍ଦ୍ଦଶା ଭୋଗ କରୁଛନ୍ତି।
୨୦୨୦ରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ବୟଂ ଖାଦ୍ୟ ସଙ୍କଟକୁ ବିଚାରକୁ ନେଇ ସରକାରଙ୍କୁ ନି​‌େ​‌ର୍ଦଶ ପ୍ରଦାନ କରିଥିଲେ ଯେ କ୍ଷୁଧାତୁର ଜନତାଙ୍କୁ ଅବିଳମ୍ବେ ଖାଦ୍ୟ ପ୍ରଦାନ କରି ସେମାନଙ୍କ ଜୀବନ ବଞ୍ଚାଯାଉ। ଏପରି କି ସେମାନଙ୍କ ତଥ୍ୟ ରେସନ କାର୍ଡରେ ଥାଉ କିମ୍ବା ନ ଥାଉ ସେମାନଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରାଯିବା ଉଚିତ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁସାରେ ସରକାର ରେସନ କାର୍ଡ ନ ଥିବା ପ୍ରାୟ ୮ କୋଟି ଜନତାଙ୍କୁ ଦୁଇ ମାସ ଧରି ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରିଥିଲେ; କିନ୍ତୁ କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଇଥିଲା; କାରଣ ସେହି ଅନୁସାରେ ଅଧିକ ଖାଦ୍ୟଶସ୍ୟ ଯୋଗାଣ କରାଯାଇ ନଥିଲା।
ଜଣେ ସାଧାରଣ ବ୍ୟକ୍ତିଙ୍କ ପକ୍ଷରେ ଗୋଟିଏ ରେସନ କାର୍ଡ ହାସଲ କରିବା ଏତେ ସହଜସାଧ୍ୟ କାର୍ଯ୍ୟ ନୁହେଁ । ବାସିନ୍ଦା ପ୍ରମାଣ ପତ୍ର କିମ୍ବା ବିଦ୍ୟୁତ୍‌ ବିଲ୍‌ ଏବଂ ଅନ୍ୟ ସମସ୍ତ ପରିଚୟ ପତ୍ର ମଧ୍ୟବିତ୍ତ କିମ୍ବା ଉଚ୍ଚ ମଧ୍ୟବିତ୍ତ ପରିବାର ପକ୍ଷରେ ସମ୍ଭବ ଯାହା ଅତିଶୟ ଦରିଦ୍ରଙ୍କ ପକ୍ଷରେ ଆଦୌ ସମ୍ଭବ ନୁହେଁ । ଏହା ସହ କୋଭିଡ ତାଲାବନ୍ଦ ଯୋଗୁଁ, ସ୍ଥାନାନ୍ତର ସହ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଓ ପ୍ରବାସୀମାନଙ୍କର ଆଗମନ ହେତୁ ସେମାନଙ୍କର ବାସସ୍ଥାନର ସ୍ଥାୟୀ ଠିକଣା ମଧ୍ୟ କିଛି ନାହିଁ। ଯଦି ସରକାର କେବଳ ୨୦୧୧ର ଜନସଂଖ୍ୟା ତଥ୍ୟ ଅଧାରରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ କରାନ୍ତି, ତେବେ କେତେ ପ୍ରକୃତ ହିତାଧିକାରୀ ଏହି ବ୍ୟବସ୍ଥାରୁ ବାଦ ପଡିବେ ତାହା ଆକଳନ କରିବା କଷ୍ଟକର ହେବ ।
ଯଦି ଆମେ ୨୦୧୧-୧୨ ର ଜାତୀୟ ନମୁନା ସର୍ବେକ୍ଷଣ ଖାଉଟି ତଥ୍ୟକୁ ବିଚାରକୁ ନେବା ତେବେ ଜଣାଯିବ ଯେ କେତେ ଜନତା ପୁଣି ଦାରିଦ୍ର୍ୟ ବଳୟ ପରିଧି ଭିତରକୁ ଠେଲି ହୋଇଯାଇଛନ୍ତି। ସରକାର ମଧ୍ୟ ଏ ବିଷୟରେ ଜ୍ଞାତ, କିନ୍ତୁ ଅର୍ଥନୀତିର ଦୁରବସ୍ଥା ଯୋଗୁଁ ସଂପୂର୍ଣ୍ଣ ଉପାୟହୀନ। ତେବେ ବାସ୍ତବତାକୁ ଆମକୁ ସମ୍ମୁଖୀନ ହେବାକୁ ପଡିବ। କେବଳ ନିୟମ, ତଥ୍ୟ ଇତ୍ୟାଦିକୁ ବିଚାରକୁ ନେଲେ ପ୍ରକୃତ ଦରିଦ୍ର ହିତାଧିକାରୀ ଦୁଇ ବେଳା ଖାଦ୍ୟ ପାଇବାରୁ ବଞ୍ଚିତ ହେବେ ଏଥିରେ ସନ୍ଦେହ ନାହିଁ ।
ସମସ୍ତେ ଜାଣିଥିବେ ଯେ ଆମ ଦେଶରେ ବଳକା ଖାଦ୍ୟ ଶସ୍ୟର ଅଭାବ ନାହିଁ । ଯଦି ହିସାବ କରାଯାଏ ତେବେ ଭାରତୀୟ ଖାଦ୍ୟ ନିଗମର ଗୋଦାମ ଗୃହଗୁଡିକରେ ପ୍ରାୟ ୧୦ କୋଟି ମେଟ୍ରିକ ଟନର ବଳକା ଖାଦ୍ୟଶସ୍ୟ ରହିଥାଏ। ଏହି ସମୟରେ ସରକାର ଭାବିବା ଉଚିତ ଯେ ଦରିଦ୍ରଙ୍କ ନିମନ୍ତେ ସବୁ ପ୍ରକାରର କାର୍ଯ୍ୟ କରାଯିବା ଉଚିତ। ଅନ୍ୟ ପକ୍ଷରେ ଏହି ସହାୟତା ନିମନ୍ତେ ଦରିଦ୍ରମାନେ ମଧ୍ୟ ଚିନ୍ତା କରିବେ ଯେ ସେମାନେ ସରକାରଙ୍କ ସହ ଅଛନ୍ତି ଏବଂ ସାହାଯ୍ୟ ସହଯୋଗ ମଧ୍ୟ ପାଉଛନ୍ତି। ବୈଷୟିକ ଜ୍ଞ।ନକୌଶଳର ଦ୍ବାହି ପ୍ରଦାନ କରି ଦରିଦ୍ରଙ୍କୁ ଭୋକ ଉପାସରେ ରଖିବା ନିଶ୍ଚିତ ଭାବେ ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ପକ୍ଷେ ଅନୁଚିତ। ଅନ୍ୟ ପକ୍ଷରେ ନୂତନ ଯୋଜନା ଯୋଗୁଁ ମଧ୍ୟ ସରକାର ସାର୍ବଜନୀନ ମଙ୍ଗଳକୁ ଉପେକ୍ଷା କରିବା ସହ ଦରିଦ୍ରବର୍ଗଙ୍କୁ ଉପେକ୍ଷା କରିବା ମଧ୍ୟ ଅନୁଚିତ । ସରକାର ‘ସ୍ମାର୍ଟ’ ଯୋଜନା ପ୍ରଣୟନ କରିବା ଉଚିତ, କିନ୍ତୁ ଦରିଦ୍ରଙ୍କ ପ୍ରତି ହୃଦୟହୀନ ହେବା ଅନୁଚିତ । ଯେତେବେଳେ ବଳକା ଖାଦ୍ୟଶସ୍ୟ ଆମ ଗୋଦାମରେ ଉପଲବ୍ଧ, ସେତେବେଳେ ପ୍ରାୟ ଏକ ତୃତୀୟାଂଶ ଜନତା ଭୋକଉପାସରେ ରହିବା ଦେଶ ପକ୍ଷେ ଲଜ୍ଜାଜନକ। ଏଣୁ ସରକାରଙ୍କ ପକ୍ଷେ କେବଳ ମାତ୍ର ‘ସ୍ମାର୍ଟ’ ହେବା ଏକ ପ୍ରକାର ସାମାଜିକ ବିଚାରଧାରାର ପରିପନ୍ଥୀ ହେବ। ସୁତରାଂ ବିକଳ୍ପ ଯୋଜନାମାନ ଆବଶ୍ୟକ, ଯେଉଁଥିରେ ସମସ୍ତଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରିବା ସହ ଖାଦ୍ୟ ସୁରକ୍ଷା ଯୋଜନା ସ୍ମାର୍ଟ ହୋଇପାରିବ ।

ସୁକାନ୍ତ କୁମାର ପଟେଲ
ଅଭିନବ ବିଡ଼ାନାସୀ, କଟକ
ଦୂରଭାଷ:୭୦୦୮୩୫୦୪୭୭

Comments are closed.