ତଥ୍ୟ ମିଳିଛି, ଆୟୋଗ ସମ୍ମୁଖରେ ରିପୋର୍ଟ ଉପସ୍ଥାପନ ହେବ – ଜନଜାତି ଆୟୋଗ ସଦସ୍ୟ

ସମ୍ବଲପୁର: ସମ୍ବଲପୁର ଠାରେ ବିଗତ ହନୁମାନ ଜୟନ୍ତୀ ଉତ୍ସବ ଅବସରରେ ହତ୍ୟାକାଣ୍ଡର ଶିକାର ହୋଇଥିବା ଝାରମୁଣ୍ଡାର ସ୍ୱର୍ଗତ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା, ଆହତ ହୋଇଥିବା ଭବାନୀପାଲି ନିବାସୀ ବିଶ୍ୱନାଥ ସିକ୍କାଙ୍କୁ ସାକ୍ଷାତ ସହିତ ଘଟିଯାଇଥିବା ଘଟଣା ଗୁଡିକ ସମ୍ପର୍କରେ ଅବଗତ ହୋଇ ରିପୋର୍ଟ ପ୍ରଦାନ ପାଇଁ ଜାତୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାୟକଙ୍କ ସହିତ ଏକ ପ୍ରତିନିଧି ମଣ୍ଡଳ ସମ୍ବଲପୁର ଗସ୍ତରେ ଆସିଥିଲେ। ମଙ୍ଗଳବାର ସକାଳ ସମୟରେ ଝାରସୁଗୁଡାରୁ ସମ୍ବଲପୁରକୁ ଆସି ପ୍ରତିନିଧି ମଣ୍ଡଳ ପ୍ରଥମେ ଝାରମୁଣ୍ଡା ଗସ୍ତରେ ଯାଇଥିବା ବେଳେ ସେଠାରେ ମୃତକଙ୍କ ପରିବାର ଲୋକେ ଘରେ ନ ଥିବାରୁ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଏହା ପରେ ଆୟୋଗର ସଦସ୍ୟ ମାନେ ଭବାନୀପାଲି ଯାଇ ଆହତ ବିଶ୍ୱନାଥ ସିକ୍କା (କାଳିଆ) ଓ ତାଙ୍କର ପରିବାଗବର୍ଗଙ୍କୁ ସାକ୍ଷାତକାର କରି ଆଲୋଚନା କରିବା ପରେ ସ୍ଥାନୀୟ ସାର୍କିଟ ହାଉସ ଠାରେ ଜିଲାପାଳ ଓ ଏସପିଙ୍କ ସହିତ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।

ଏହା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଗର ସଦସ୍ୟ ଅନନ୍ତ ନାୟକ କହିଛନ୍ତି ଯେ, ବିଗତ ଦିନରେ ଘଟିଥିବା ଘଟିଥିବା ହତ୍ୟା, ଆହତ ଓ ଅନ୍ୟାନ୍ୟ ଘଟଣା ବିଷୟରେ ବିଭିନ୍ନ ପତ୍ରିକା ମାଧ୍ୟମରେ ସୂଚନା ମିଳିଥିଲା। ଏଥି ସହ ଏହି ବିଷୟରେ ଅଞ୍ଚଳର ବିଭିନ୍ନ ସଙ୍ଗଠନ ଗୁଡିକ ମାଧ୍ୟମରେ ମଧ୍ୟ ଅଭିଯୋଗ କରାଯାଇଥିଲା। ଏହା ପରେ ପ୍ରଦେଶ ସରକାର ଓ ଜିଲା ପ୍ରଶାସନକୁ ୩ ଦିନ ମଧ୍ୟରେ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମଗାଯାଇଥିଲା। ଏହା ପରେ ଆୟୋଗ ଦ୍ୱାରା ତାଙ୍କର ନେତୃତ୍ୱରେ ଅନ୍ୟ ୨ ଜଣ ବିଭାଗୀୟ ବରିଷ୍ଠ ଅଧିକାରୀ ଙ୍କ ସହିତ ଏକ ବିଶେଷ ଦଳ ନିଯୁକ୍ତ କରାଯାଇଥିଲା। ଅଭିଯୋଗ ଗୁଡିକର ଆଧାରରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଦ୍ୱାରା ଏହି ଅଞ୍ଚଳର ପରିଦର୍ଶନର ନିଷ୍ପତ୍ତି ନିଆଯାଇଥିଲା। ଏଣୁ ସେ ପ୍ରତିନିଧି ମଣ୍ଡଳକୁ ନେଇ ସମ୍ବଲପୁର ଗସ୍ତରେ ଆସିଥିଲେ। ଏହି ପରିଦର୍ଶନ ସମୟରେ ମୃତକ ଓ ଆହତ ଙ୍କ ପରିବାର ସହିତ ଭେଟି ପ୍ରକୃତ ଘଟଣା ସମ୍ପର୍କରେ ଅବଗତ କରି ସୂଚନା ହାସିଲ କରିବାର ମୁଖ୍ୟ ଲକ୍ଷ୍ୟ ରହିଥିଲା। ପରିଦର୍ଶନ ସମୟରେ ମୃତକଙ୍କ ପରିବାର ସହିତ ସାକ୍ଷାତକାର ହୋଇ ପାରି ନ ଥିବା ବେଳେ ଆହତ ଓ ତାଙ୍କର ପରିଜନଙ୍କ ସହିତ ସାକ୍ଷାତକାର ହୋଇଥିଲା ଏବଂ ଆଲୋଚନା ପରେ ଆବଶ୍ୟକୀୟ ତଥ୍ୟ ମିଳିଛି। ପ୍ରତିନିଧି ମଣ୍ଡଳର ଯାଞ୍ଚ ସମୟରେ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ହାସଲ ହୋଇଛି, ଯାହାକୁ ଆୟୋଗ ସମ୍ମୁଖରେ ଉପସ୍ଥାପନ କରାଯିବ। ପୀଡିତଙ୍କୁ ଆଇନ ଅନୁଯାୟୀ ସହାୟତା ରାଶି ମିଳିଛି। ଅଞ୍ଚଳବାସୀଙ୍କ ଅଭିଯୋଗ, ଆୟୋଗକୁ ମିଳିଥିବା ତଥ୍ୟ, ଜିଲା ଓ ରାଜ୍ୟ ସରକାର ଦେଇଥିବା ରିପୋର୍ଟ ଆଦି ସମସ୍ତ ପକ୍ଷକୁ ବିଚାରକୁ ନିଆଯିବା ପରେ ଏହି ଘଟଣା ଉପରେ ଫଇସଲା କରାଯିବ। ଆବଶ୍ୟକସ୍ଥଳରେ ଜିଲା ପ୍ରଶାସନ ଓ ପ୍ରଦେଶ ଶାସନକୁ ମଧ୍ୟ ଡକାଯାଇ ତଦନ୍ତ କରାଯିବ ବୋଲି ସଦସ୍ୟ ଶ୍ରୀ ନାୟକ କହିଛନ୍ତି। ଏହି ଅବସରରେ ଉପସ୍ଥିତ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଘଟଣାରେ କ୍ଷୋଭ ପ୍ରକାଶ କରିବା ସହିତ ଜିଲା ପ୍ରଶାସନର କାର୍ଯ୍ୟକଳାପରେ ସ୍ୱଚ୍ଛତାର ଅଭାବକୁ ଦୃଢ଼ ନିନ୍ଦା କରିଛନ୍ତି।

ଜିଲା ପ୍ରଶାସନର ଅଧିକାରୀ ମାନଙ୍କ ଉପସ୍ଥିତି ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଦ୍ୱିଧା ଦେଖିବାକୁ ମିଳିଥିଲା। ତେବେ ପରବର୍ତ୍ତୀ ସମୟରେ ଗ୍ରାମବାସୀ ମାନେ ଅନେକ ପ୍ରକାରର ଅଭିଯୋଗ କରାଯିବା ସହିତ ଅନ୍ୟ ସୂଚନା ପ୍ରଦାନ ଆୟୋଗର ପ୍ରତିନିଧି ମଣ୍ଡଳକୁ ପ୍ରଦାନ କରାଯାଇଥିଲା। ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ ମୃତକ ଓ ଆହତଙ୍କ ସମୁଦାୟର ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନାନୁଯାୟୀ, ଏହି ଘଟଣାକୁ ରାଜନୈତିକ ରଙ୍ଗ ଦିଆଯାଉଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଅପରପକ୍ଷରେ ଆୟୋଗର ସମ୍ବଲପୁର ପରିଦର୍ଶନ ଓ ପ୍ରତିନିଧି ମଣ୍ଡଳର ରିପୋର୍ଟ ଦାଖଲ ପରେ ଏହି ଘଟଣା କେଉଁ ମୋଡ ନେବ, ତାକୁ ନେଇ ସମସ୍ତେ ଅପେକ୍ଷା କରିଛନ୍ତି।

Comments are closed.