ଖାଦ୍ୟ ସଂକଟ: ଛାଡୁଛନ୍ତି ଗାଁ, ଖୋଜୁଛନ୍ତି ନୂତନ ବସତି

ମାନଚିତ୍ରରୁ ୨ ଗାଁ ନିଶ୍ଚିହ୍ନ

ପାତ୍ରପୁର(ରବୀନ୍ଦ୍ର କୁମାର ମିଶ୍ର): ଦାରିଦ୍ର୍ୟତା ହେଉ କି ସରକାରୀ ଯୋଜନା ଅପହଞ୍ଚ ହେଉ, ବିଭିନ୍ନ କାରଣ ପାଇଁ ବଣପାହାଡ ଘେରା ଅଞ୍ଚଳରେ ରହୁଥିବା ଆଦିବାସୀ ଗ୍ରାମବାସୀ ଏବେ ଗାଁ ଛାଡି ନୂତନ ବସତି ମୁହାଁ ହୋଇଛନ୍ତି। ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ୫ ଆଦିବାସୀ ପଞ୍ଚାୟତରେ। ଜଙ୍ଗଲରୁ ପୂର୍ବଭଳି ଜଙ୍ଗଲଜାତ ଦ୍ରବ୍ୟ ଆଉ ମିଳୁ ନଥିବାରୁ ଖାଦ୍ୟ ସଂକଟ ଏଡାଇବାକୁ ଲୋକେ ଗାଁ ଛାଡି ଚାଲିଯାଉଥିବା ଏକ ଅନୁଧ୍ୟାନରୁ ଜଣାପଡିଛି। ଏପରିକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକରୀ ଯୋଜନା ଏମାନଙ୍କ ପାଇଁ ଏକପ୍ରକାର ଅପହଞ୍ଚ ହୋଇଛି।

ଏହି ବ୍ଲକରେ ଶତାଧିକ ଆଦିବାସୀ ଗ୍ରାମରେ ୧୭ହଜାରରୁ ଊର୍ଦ୍ଧ୍ବ ଆଦିବାସୀ ବାସ କରନ୍ତି। ବର୍ତ୍ତମାନ ସୁଦ୍ଧା ବି କେତେକ ଗ୍ରାମକୁ ମୌଳିକ ସୁବିଧା ପହଞ୍ଚି ପାରିନି। କିଛିବର୍ଷ ମଧ୍ୟରେ ଖାଦ୍ୟ ଅନ୍ୱେଷଣରେ ଲୋକେ ଗ୍ରାମ ଛାଡ଼ିବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି। ଏହି ବ୍ଲକର ତୁମ୍ବା, ଆଙ୍କୁଲି, ବୁରାତାଲ, ସାମନ୍ତରାପୁର, ଖାରିଆଗୁଡ଼ା ପଞ୍ଚାୟତର ୭୦ରୁ ଉର୍ଦ୍ଧ୍ବ ଗ୍ରାମ ପାହାଡ ଉପରେ ରହିଛି। ଲୋକେ କେଉଁ ଆବାହମାନକାଳରୁ ପ୍ରକୃତିର ଦାନସ୍ବରୂପ କରଞ୍ଜ, ହରଡା, ବହାଡା, ତେନ୍ତୁଳି, ଟୋଲ, ମହୁଲ, ଫୁଲ ଝାଡୁ, ମହୁ, ଲାଖ, ଝୁଣା ସଂଗ୍ରହ କରି ପାହାଡ ତଳକୁ ବଳଦ ପିଠିରେ ବୋଝେଇ କରି ଆଣି ବିକ୍ରି କରୁଥିଲେ। ଜଙ୍ଗଲରେ ପୋଡ଼ୁଚାଷ କରି ଘଣ୍ଟିଆ, ଜହ୍ନା, ବାଜରା, ମାଣ୍ଡିଆ, ସୁଆଁ, କାଙ୍ଗୁ ମଧ୍ୟ ଆଦାୟ କରୁଥିଲେ। ବର୍ଷର ୬ମାସ ଏଥିପାଇଁ ଗ୍ରାମ ଛାଡି ବଗଡ଼ରେ ଘର କରି ଲୋକେ ରହୁଥିଲେ। କିନ୍ତୁ ଏବେ ବଗଡ ଫସଲ ଆଶାନୁରୂପ ହେଉ ନଥିବା ବେଳେ ଜଙ୍ଗଲଜାତ ସାମଗ୍ରୀ ଆଉ ପୂର୍ବ ଭଳି ଉପଲବ୍ଧ ହେଉନି। ଏପରି ଅବସ୍ଥା ଭିତରେ ଏବେ ବି କିଛି ଗ୍ରାମକୁ ରାସ୍ତାଟିଏ ନିର୍ମାଣ ହୋଇପାରି ନାହିଁ। ବିଭିନ୍ନ ସମୟରେ ଗର୍ଭବତୀଙ୍କଠାରୁ ସାଧରଣ ରୋଗୀଙ୍କୁ ଦୋଳାରେ ବୁହାଯାଉଛି। ରେସନ ସାମଗ୍ରୀ ସଂଗ୍ରହ ପାଇଁ ଲୋକଙ୍କୁ ମାଇଲ୍‌ ମାଇଲ୍‌ ବାଟ ଚାଲିବାକୁ ପଡୁଛି।

ପରିସ୍ଥିତି ବଦଳିବା ସହ ସବୁଥିରେ ବ୍ୟତିକ୍ରମ ଦେଖା ଦେଇଛି। ଜଙ୍ଗଲୀ ପଶୁଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। କଷ୍ଟେମଷ୍ଟେ ଶିକ୍ଷାର୍ଜନ କରିଥିବା ଲୋକେ ପାହାଡ ଉପରେ ଆଉ କଷ୍ଟ ସହିବାକୁ ନ ଚାହିଁ ସହରମୁହଁା ହୋଇଛନ୍ତି। ଶ୍ରମିକବର୍ଗ ଗାଁ ଛାଡିବାରେ ଲାଗିଛନ୍ତି। ଏଭଳି ଅବସ୍ଥା ଗତ କିଛିବର୍ଷ ହେଲା ଦେଖିବାକୁ ମିଳିଛି। ଆଙ୍କୁଲି ପଞ୍ଚାୟତର ଦୁର୍ଗମ ଗ୍ରାମ ହଲଦୀବଟା ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯାଇଛି। ଏହି ଗ୍ରାମର ବାସ କରୁଥିବା ଲୋକେ କେଉଁ ଆଡେ ଚାଲି ଯାଇଛନ୍ତି ସେ ସଂକ୍ରାନ୍ତରେ ପ୍ରଶାସନ ପାଖରେ ଖବର ନାହିଁ। ପାଣି, ରାସ୍ତା ଏବଂ ଜୀବିକା କଷ୍ଟରେ କଲବଲ ଗ୍ରାମବାସୀ ପାହାଡ଼ ଉପରୁ ପ୍ରାୟ ତିନିକିଲୋମିଟର ଦୂର ପାହାଡ଼ ତଳଅଂଶକୁ ଆସି ହଲଦୀବଟା ମୌଜାର ବାହୁଦା ନଦୀପାର୍ଶ୍ୱ ବାଘଲଟି ଜଳଭଣ୍ଡାର ଉପର ଅଂଶ ଜଙ୍ଗଲ ଘେରା ମଧ୍ୟରେ ରହୁଛନ୍ତି। ଏହି ଗ୍ରାମ ନିକଟରେ ଦଶବର୍ଷ ପୂର୍ବେ ଝରବଡ ନୂତନ ଗ୍ରାମ ସୃଷ୍ଟି ହୋଇଛି। ସିରିସିଗଣ୍ଡ ଗ୍ରାମବାସୀ ଜଳ କଷ୍ଟ ସହି ନପାରି ଗ୍ରାମ ଛାଡି ବହୁଦାନଦୀ କୂଳରେ ନୂତନ ବସତି ସ୍ଥାପନ କରି ରହୁଛନ୍ତି। ତାବରଡା ଗ୍ରାମ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି। ଏହି ଗ୍ରାମର ଲୋକେ କରଡ଼ାମୂଳିଠାରେ ନୂତନ ବସତି ସ୍ଥାପନ କରିଛନ୍ତି। ସୁରଙ୍ଗୀ କମଳାର ପେଣ୍ଠସ୍ଥଳ ଭାବେ ପରିଚିତ ଜଳିଅର ଗ୍ରାମର ବହୁ ପରିବାର ଗ୍ରାମ ଛାଡ଼ି ନୂତନ ଗ୍ରାମ କମ୍ପୁଟରେ ରହୁଛନ୍ତି। ଅଣ୍ଡରାସିଙ୍ଗି ଗ୍ରାମବାସୀ କୋଡିଏ ବର୍ଷ ପୂର୍ବେ ପାହାଡ଼ ଛାଡି ସୁନାରୀବାଡ ଠାରେ ନୂତନ ବସତି ସ୍ଥାପନ କରି ରହୁଛନ୍ତି। ସେହିପରି ଗୁରୁଡା ଗ୍ରାମବାସୀ କୁମ୍ଭାରଢି଼ଅରେ, ଆଡ଼ପଥର ଗ୍ରାମବାସୀ ଲବର ଗଣ୍ଡରେ, ବଡ଼ଗାଁବାସୀ ଠଣ।ଗାଁରେ, ଆନ୍ଧ୍ର ସୀମାନ୍ତରେ ଥିବା ଲାଇଡା ଗ୍ରାମବାସୀ ଜୟପୁର ଶୂଳାରେ, ଡାବୁଥଳି, ଗୁଡିପଦର ଗ୍ରାମବାସୀ ଆନ୍ଧ୍ରର କଳିଙ୍ଗଦଳା ଜଳଭଣ୍ଡାର ପାର୍ଶ୍ୱରେ ବସତି ସ୍ଥାପନ କରି ରହୁଛନ୍ତି। ସାନ ଅଞ୍ଚୁପା, କୁସମଳା, ବଡ ଅଞ୍ଚୁପା ଗ୍ରାମର ୩ ୦ ପରିବାର ମହେନ୍ଦ୍ର ତନୟା ନଦୀ କୂଳ ଜାମଗଣ୍ଡ ନିକଟରେ ନୂତନ ବସତି କରି ରହୁଛନ୍ତି।

୨୦୧୨ରେ ଗଜପତି ଜିଲା ସୀମାରେ ରହିଥିବା ଏହି ବ୍ଲକର ଦୁଇଟି ନୂତନ ଗ୍ରାମ ଠାବ ହେବା ପରେ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା। ଏବେ ସେହି ଗ୍ରାମର ଲୋକଙ୍କ ଜମିପଟ୍ଟା, ଆଧାରକାର୍ଡ ସମେତ ଅନ୍ୟ ଠିକଣା ଗଜପତି ଜିଲାରେ ରହିଛି। ଆଦିବାସୀ ଇଲାକାରେ ପୁରୁଷ ଅପେକ୍ଷା ମହିଳାମାନେ ପ୍ରତ୍ୟେକ କାର୍ଯ୍ୟ​‌ରେ ଆଗୁଆ । ବଗଡରେ ଫସଲ ଉତ୍ପାଦନ ପାଇଁ ହାତରେ କୋଡ଼ି କୋଦାଳ ଧରି ଜଙ୍ଗଲ ସଫାଠାରୁ ବିହନ ବୁଣା ଓ ଫସଲ ଉତ୍ପାଦନ କରୁଛନ୍ତି। କେତେକ ମହିଳା ହଳ ଲଙ୍ଗଳ ଧରି ଜମି ଚାଷ ମଧ୍ୟ କରୁଛନ୍ତି। ଆଦିବାସୀ ଅଞ୍ଚଳଗୁଡିକ ସବୁକ୍ଷେତ୍ରରେ ଅବହେଳିତ କାରଣରୁ ପରିଶ୍ରମୀ ଯୁବଗୋଷ୍ଠୀ ରାଜ୍ୟ ବାହାରକୁ କିଛି ଦଲାଲଙ୍କ ପ୍ରରୋଚନାରେ କୁଲି ଖଟିବାକୁ ଯାଉଛନ୍ତି। ରାଜ୍ୟ ବାହାରୁ ଫେରିଲେ ପାହାଡ଼ ତଳଅଂଶରେ ରହିବାକୁ ପସନ୍ଦ କରୁଛନ୍ତି। ଦୀର୍ଘବର୍ଷ ହେଲା ନୂତନ ବସତିରେ ‘ମାଡା’ ସହ ତୁମ୍ବା ଉନ୍ନୟନ ସଂସ୍ଥା ଜରିଆରେ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତିନିବର୍ଷ ପୂର୍ବେ ନଗଡାର ଚିତ୍ର ତୋଳିଥିବା ଧୋବାଲିଙ୍ଗି ଗ୍ରାମରେ ରାଜ୍ୟ ଖାଦ୍ୟ କମିଶନଙ୍କ ସମେତ ବହୁ ପଦାଧିକାରୀ ପହଞ୍ଚି ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବିକାଶ ବେଳ ପ୍ରତିଶ୍ରୁତିରେ ଅଟକିଛି। ଗାଁ ଛାଡିବା ପ୍ରକ୍ରିୟା ବନ୍ଦ କରିବାକୁ ହେଲେ ପାହାଡ ଉପରେ ରହିଥିବା ଗଁାଗୁଡିକୁ ମୌଳିକ ସୁବିଧାସୁଯୋଗ ଯୋଗାଇବାକ୍ଷେତ୍ରରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Comments are closed.