ପରିବେଶ ପ୍ରଦୂଷକ ଧୂମକୁହୁଡ଼ି

ଆମ ଦେଶରେ ଏବେ କେତେକ ଅଞ୍ଚଳରେ ସକାଳୁ ଉଠିଲା ବେଳକୁ ପରିବେଶ ଘନ କୁହୁଡ଼ିରେ ପୂରିଯାଉଥିବା ଦେଖାଯାଉଛି। ଏପରିକି ସମ୍ମୁଖରେ କିଏ ଆସୁଛି, କିଏ ଯାଉଛି ଦେଖିବା କଷ୍ଟକର ହୋଇପଡ଼ୁଛି। ଘନ କୁହୁଡ଼ିକୁ ଭେଦକରି ସୂର୍ଯ୍ୟକିରଣ ଆମ ପାଖରେ ପହଞ୍ଚିପାରେ ନାହିଁ। ଯାନବାହନ, ଉଡ଼ାଜାହାଜ ଚଳାଚଳ ପ୍ରାୟ ବାଧାପ୍ରାପ୍ତ ହୁଏ। ଧୂଆଁ ଭଳି ଦିଶୁଥିବା ପରିବେଶକୁ ଆମେ ‘କୁହୁଡ଼ି’ କହୁ। ଏହାକୁ ‘କୁହେଳିକା’ ବା ‘କୁଜ୍‌ଝଟିକା’ ମଧ୍ୟ କୁହାଯାଏ। ଆମ ବାୟୁମଣ୍ଡଳରେ ଥିବା ଜଳକଣାରୁ କୁହୁଡ଼ି ସୃଷ୍ଟି ହୁଏ।
ଶୀତପ୍ରଧାନ ଅଞ୍ଚଳରେ ସକାଳେ ସକାଳେ ଭୂଇଁ ଉପରେ ବରଫ ପଡ଼ିଲେ ତା’ ଉପରେ କୁହୁଡ଼ି ସୃଷ୍ଟି ହୋଇଥାଏ। ଉପସାଗରୀୟ ଅଞ୍ଚଳ ଉପର ଦେଇ ପ୍ରବାହିତ ଉଷ୍ଣ ବାୟୁ ଯେତେବେଳେ କାନାଡ଼ାର ଉତ୍ତର-ପୂର୍ବ ଅଞ୍ଚଳ ଲାବ୍ରାଡୋରର ଶୀତଳ ସ୍ରୋତ ଉପରେ ଗତିକରେ, ସେତେବେଳେ ଗରମବାୟୁରେ ଥିବା ଜଳୀୟବାଷ୍ପ ଘନୀଭୂତ ହୁଏ ଏବଂ କୁହୁଡ଼ି ସୃଷ୍ଟି ହୁଏ। ଏହା ସାଗରପୃଷ୍ଠଠାରୁ ବହୁ ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପେ। ଆକାଶ ଶାନ୍ତ ଓ ନିର୍ମଳ ଥିବା ସମୟରେ ଆଉ ଗୋଟିଏ ପ୍ରକାରର କୁହୁଡ଼ି କେବଳ ସ୍ଥଳଭାଗ ଉପରେ ସୃଷ୍ଟି ହୋଇଥାଏ। ଏହାକୁ ବିକିରଣ କୁହୁଡ଼ି କୁହାଯାଏ। ଏହା ଭୂଇଁ ଉପରେ କୁହୁଡ଼ି ରୂପରେ ଜମାଟ ବାନ୍ଧେ। ସୂର୍ଯ୍ୟ କିରଣ ପଡ଼ିଲା ପରେ ଧୀରେଧୀରେ ଏହି କୁହୁଡ଼ି ଅପସରି ଯାଏ। ଯେତେବେଳେ ଦ୍ରୁତଗତିରେ ଆସୁଥିବା ପବନ ନିଜର ଗତିପଥରେ ରହିଥିବା ଗଡ଼ାଣିଆ ପର୍ବତ ଦେହରେ ଧକ୍କା ଖାଏ, ତାହା ସେଠାରେ ଅଟକି ନ ଯାଇ ବରଂ ଏହା ପର୍ବତର କ୍ରମଶଃ ଉଠାଣିଆ ପୃଷ୍ଠର ସହାୟତାରେ ନିମ୍ନ ଅଞ୍ଚଳରୁ ଉପର ଅଞ୍ଚଳକୁ ଉଠିଯାଏ। ପବନରେ ଉପରକୁ ଉଠିଥିବା ଜଳୀୟବାଷ୍ପର ପରିମାଣ ଉପରେ ଏହି ଊର୍ଦ୍ଧ୍ବାରୋହଣ କୁହୁଡ଼ିର ଘନତ୍ବ ନିର୍ଭର କରେ।
ବାୟୁରେ ରହିଥିବା କିଛି ଜଳୀୟବାଷ୍ପ ଶୀତଳ ହୋଇ ଜଳକଣାରେ ପରିଣତ ହୁଏ। ଏହି ଅଧଃକ୍ଷେପଣ କୁହୁଡ଼ି ସୃଷ୍ଟି ହେବାପାଇଁ ଅଧଃକ୍ଷେପଣ ତାପମାତ୍ରାଠାରୁ ଆହୁରି ଥଣ୍ଡା ପରିବେଶ ଅାବଶ୍ୟକ। ଅନ୍ୟପକ୍ଷରେ ପ୍ରଦୂଷିତ କୁହୁଡ଼ି(ସ୍ମଗ୍‌) କୁହୁଡ଼ିର ଏକ ଭୟଙ୍କର ରୂପ। ସାଧାରଣତଃ ସବୁ ପ୍ରକାରର କୁହୁଡ଼ି ଆମ ଜୀବନ ପ୍ରଣାଳୀରେ ବାଧା ସୃଷ୍ଟି କରେ; କିନ୍ତୁ ସବୁଠୁ ଅଧିକ କ୍ଷତି ସୃଷ୍ଟି କରିଥାଏ ଧୂମକୁହୁଡ଼ି। ଏହା ଏକ ବିଷାକ୍ତ କୁହୁଡ଼ି। ଆମର ଶିଳ୍ପାୟନ ଓ ଅତ୍ୟାଧୁନିକତା ଏଥିପାଇଁ ମୁଖ୍ୟତଃ ଦାୟୀ। ଧୂଆଁ ଓ କୁହୁଡ଼ିର ସମ୍ମିଶ୍ରଣରେ ‘ଧୂମକୁହୁଡ଼ି’ ସୃଷ୍ଟି ହୁଏ।
୧୯୦୫ ମସିହାରେ ଏଚ.ଏ.ଦେସ୍‌ ଭୋକ୍ସ ନାମକ ଜଣେ ବିଖ୍ୟାତ ପରିବେଶ ବିଜ୍ଞାନୀ ବ୍ରିଟେନର କେତେକ ସହର ଉପରେ ବାୟୁମଣ୍ଡଳୀୟ ଅବସ୍ଥା ସମ୍ପର୍କରେ ବର୍ଣ୍ଣନା କରିବା ଅବସରରେ ସ୍ମଗ୍‌ ଶବ୍ଦ ପ୍ରଥମେ ବ୍ୟବହାର କରିଥିଲେ। କଳକାରଖାନାରୁ ଚିମ୍‌ନି ମାଧ୍ୟମରେ ନିର୍ଗତ ହେଉଥିବା ଦୂଷିତ ବାଷ୍ପରେ ଅକ୍ସାଇଡ ଅଫ କାରବନ, ସଲଫର୍‌ ଓ ନାଇଟ୍ରୋଜେନ ଭଳି ଦୂଷିତ ରାସାୟନିକ ପଦାର୍ଥ ଥାଏ। ଏହି ଦୂଷିତ ବାଷ୍ପ ବାୟୁମଣ୍ଡଳର କୁହୁଡ଼ି ସଂସ୍ପର୍ଶରେ ଆସି ଧୂମକୁହୁଡ଼ି ବା ସ୍ମଗରେ ପରିଣତ ହୁଏ। ବାୟୁରେ ଅଧିକ ଧୂଳିକଣା ଥିଲେ ଧୂମ କୁହୁଡ଼ି ଅଧିକ ଘନ ହୁଏ। ଏହା ସହରାଞ୍ଚଳ ତଥା ଶିଳ୍ପାଞ୍ଚଳରେ ଶୀତଦିନେ ବେଶି ଦେଖାଯାଏ। ଏହି ଧୂମକୁହୁଡ଼ି ସମୟ ସମୟରେ ସୁଦୀର୍ଘ ବାୟୁମଣ୍ଡଳକୁ ଆଚ୍ଛାଦିତ କରେ। ଏପରିକି ସୂର୍ଯ୍ୟକିରଣ ଏହାକୁ ଭେଦ କରିପାରେନା।
ଧୂମକୁହୁଡ଼ିର ଅନ୍ୟ ଏକ କୁଗୁଣ ହେଲା, ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତି ବାଇଗଣୀ କିରଣକୁ ସହଜରେ ଏହା ମଧ୍ୟଦେଇ ପୃଥିବୀ ପୃଷ୍ଠରେ ପଡ଼ିବାକୁ ଅନୁମତି ଦିଏ, ମାତ୍ର ପୃଥିବୀପୃଷ୍ଠରୁ ପ୍ରତିଫଳିତ ଇନ୍‌ଫ୍ରାରେଡ୍‌ କିରଣକୁ ଊର୍ଦ୍ଧ୍ବକୁ ଯିବାକୁ ଅନୁମତି ଦିଏ ନାହିଁ। ଫଳରେ ପୃଥିବୀପୃଷ୍ଠ ଅଧିକ ଉତ୍ତପ୍ତ ହୁଏ। ଏହା ବିଶ୍ବ ତାପମାତ୍ରା ବୃଦ୍ଧିର ଏକ କାରଣ ଅଟେ। ଶୀତଦିନେ ଏହା ‘ଧୂମକୁହୁଡ଼ି’ର ରୂପ ନିଏ ଓ ଏହା ବୃଷ୍ଟି ସଂସ୍ପର୍ଶରେ ଆସିଲେ ‘ଅମ୍ଳବୃଷ୍ଟି’ ଆକାରରେ ନଦୀ, ହ୍ରଦର ପାଣିକୁ ଅମ୍ଳରେ ପରିଣତ କରାଏ। ଫଳରେ ଅଧିକ ଅମ୍ଳ ପାଣିରେ ମାଛ ଓ ଅନ୍ୟାନ୍ୟ ଜଳଜ ପ୍ରାଣୀ ବହୁ ସଂଖ୍ୟାରେ ମରି ଭାସନ୍ତି। ସ୍ଥଳଭାଗରେ ଧାନ, ଗହମ, ବୃକ୍ଷଲତା, ଗୁଳ୍ମଗୁଡ଼ିକର ଅମ୍ଳବୃଷ୍ଟି ଯୋଗୁଁ ଉତ୍ପାଦନ ଶକ୍ତି ହ୍ରାସପାଏ।
୧୯୫୨ ମସିହା ଡିସେମ୍ବର ମାସରେ ଏଭଳି ବିଷାକ୍ତ ଧୂମକୁହୁଡ଼ି ଲଣ୍ଡନ ସହରକୁ ପ୍ରାୟ ୧୦ ଦିନଧରି ଆଚ୍ଛାଦିତ କରି ରଖିଥିଲା। ଫଳରେ ୧୦୦ରୁ ଊର୍ଦ୍ଧ୍ବ ଯାନବାହନ କେଉଁଠି ହ୍ରଦକୁ, କେଉଁଠି ନଦୀକୁ ଏବଂ କେଉଁଠି ରାସ୍ତା କଡ଼କୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା; ଯେଉଁଥିରେ ପ୍ରାୟ ୪୦୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନେକ ଲୋକ ଆହତ ହୋଇଥିଲେ।
କୋଇଲା ଭଳି କେତେକ ଜୀବାଶ୍ମ ଜାଳେଣିରେ ଗନ୍ଧକ ରହିଥାଏ। ସେଗୁଡ଼ିକ ଜଳିଲେ ସେଥିରୁ ନିର୍ଗତ ସଲଫର ଅକ୍ସାଇଡ ମିଶ୍ରିତ ଧୂଆଁ ବାୟୁମଣ୍ଡଳରେ ମିଶି ‘ସଲଫରସ୍‌ ସ୍ମଗ’ ସୃଷ୍ଟି କରିଥାଏ। ବାୟୁରେ ସାଧାରଣତଃ କ୍ଷୁଦ୍ରରୁ ଅତିକ୍ଷୁଦ୍ର କଣିକାମାନ ଥାଏ। ଭାସମାନ ଅବସ୍ଥାରେ ଏଗୁଡ଼ିକର ଆର୍ଦ୍ରତା ବାୟୁରେ ବଢ଼ିଗଲେ ତାହା ସ୍ମଗ୍‌ର ମାତ୍ରା ବୃଦ୍ଧିରେ ସାହାଯ୍ୟ କରେ। ଏହା ପୃଥିବୀ ପୃଷ୍ଠର ତାପ ବଢ଼ାଇବା ସହିତ ପ୍ରାଣୀ ଓ ଉଦ୍ଭିଦର ଜୀବନ ପ୍ରଣାଳୀରେ ଘୋର ବାଧା ସୃଷ୍ଟି କରେ। ‘ଫଟୋକେମିକାଲ ସ୍ମଗ୍‌’ ନାମରେ ଆଉ ଏକ ପ୍ରକାର କ୍ଷତିକାରକ ଧୂମକୁହୁଡ଼ି ରହିଛି। ‘ସ୍ମଗ୍‌’ର ସଂଜ୍ଞା କୁହୁଡ଼ି ଓ ଧୂଆଁକୁ ନେଇ ନିରୂପଣ ହୋଇଥାଏ। ‘ଫଟୋକେମିକାଲ ସ୍ମଗ’ ସୃଷ୍ଟି ହେବାପାଇଁ ଧୂଆଁକିମ୍ବା କୁହୁଡ଼ିର ଆବଶ୍ୟକତା ନ ଥାଏ। ଏହା ସାଧାରଣତଃ ଅତି ମାତ୍ରାରେ ଗାଡ଼ି, ମୋଟର ଯା’ଆସ କରୁଥିବା ଘନ ଜନବସତି ଅଞ୍ଚଳରେ ଦେଖାଯାଏ। ଗାଡ଼ି ଓ ମୋଟରରୁ ନିର୍ଗତ ପ୍ରଦୂଷକଗୁଡ଼ିକର ରାସାୟନିକ ପ୍ରତିକ୍ରିୟା ଯୋଗୁଁ ଫଟୋକେମିକାଲ ସ୍ମଗ୍‌ ସୃଷ୍ଟି ହୁଏ ଏବଂ ଏଥିରେ ସୂର୍ଯ୍ୟକିରଣ ସହାୟତା କରିଥାଏ।
ଦିଲ୍ଲୀ ସହର ଆଜି ଭାରତରେ ସବୁଠୁ ଅଧିକ ‘ଧୂମକୁହୁଡ଼ି’ରେ କବଳିତ। ଅନ୍ୟପକ୍ଷରେ ଏହାର ଯମୁନା ନଦୀର ପାଣି ଅଧିକ ପରିମାଣରେ ଦୂଷିତ। ଏମୋନିୟମ ଫସଫେଟର ମାତ୍ରା ଅଧିକ ଥିବା କାରଣରୁ ପାଣି ଉପରେ ଧଳା ​‌େ​‌ଢଉ ଓ ଫେଣ ସୃ​‌ଷ୍ଟି ହୋଇଛି। ଏଥିରେ ସ୍ନାନ କଲେ ଚର୍ମରୋଗ ଓ ମୁଣ୍ଡର ବାଳ ଝଡ଼ିବା ଭଳି ରୋଗ ସୃଷ୍ଟି ହୁଏ। ଆମେ ସମସ୍ତେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ସତତ ଚେଷ୍ଟିତ ହେବା ଆବଶ୍ୟକ।

ଅଜୟ କୁମାର ପାତ୍ର

ଭୁବନେଶ୍ବର, ଦୂରଭାଷ: ୦୯୪୩୮୬୨୧୩୯୧

Comments are closed.