ଫୁଲପ୍ରେମୀ କେବଳ ପ୍ରଦର୍ଶନୀକୁ ଦେଖିପାରିବେ, କିଣିପାରିବେ ନାହିଁ; ଶେଷ ଶନିବାର, ରବିବାର ଭର୍ଚୁଆଲରେ ଫୁଲ ପ୍ରଦର୍ଶନୀ

ଭୁବନେଶ୍ୱର: ଏକାମ୍ର ଫୁଲ ପ୍ରଦର୍ଶନୀ ନେଇ ମିଳିଛି ସବୁଜ ସଂକେତ। ବଡ ଆୟୋଜନ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅନୁମତି ମିଳିଲାନି। କାଣ୍ଟଛାଣ୍ଟ କରାଯାଇ ପୂର୍ବ ନିର୍ଦ୍ଧାରିତ ସମୟରେ ୨ ଦିନ ପାଇଁ ପ୍ରଦର୍ଶନୀ କରାଯିବ। କରୋନା ପାଇଁ ଏଥର ଭର୍ଚୁଆଲରେ ପ୍ରଦର୍ଶନ ହେବା ନେଇ ସ୍ଥିର କରାଯାଇଛି। ସେଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଆସନ୍ତା ସୋମବାର କିମ୍ବା ମଙ୍ଗଳବାର କିଛି ଅନୁଷ୍ଠାନ ସହିତ ଆଉ ଏକ ବୈଠକ ହେବ ବୋଲି ଜଣାପଡ଼ିଛି। ଫୁଲ ପ୍ରଦର୍ଶନକୁ କିଭଳି ଅନଲାଇନରେ କରାଯାଇପାରିବ ସେ ନେଇ ଯୋଜନା କରାଯାଇଛି। ପୂର୍ବବର୍ଷ ଭଳି ଶିକ୍ଷାନୁଷ୍ଠାନ, କି​​‌ଚେନ ଗାର୍ଡେନ ଫୁଲ ଶୋ ଆଦି ଏଥିରେ ସାମିଲ ହେବେ। ପ୍ରତିଯୋଗିତା ମଧ୍ୟ କରାଯିବ। ଦୁଇରୁ ତିନି ଜଣ ଏହାର ମୂଲ୍ୟାୟନ କରିବେ ବୋଲି ଜଣାପଡ଼ିଛି। ଆରପିଆରସି ବା ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରତିଯୋଗୀଙ୍କୁ ଏକ ଲେ’ଆଉଟ ଡିଜାଇନ ପ୍ରଦାନ କରାଯିବ। ସେହି ଆଧାରରେ ସେମାନେ ପ୍ରଦର୍ଶନୀ ଲଗାଇବେ। ଏହାର ସୁଟିଂ , ୱେବସାଇଟ ଏବଂ କେଉଁ ଚ୍ୟାନେଲ ସହିତ ବୁଝାମଣା ହେବ ଏନେଇ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ଦର୍ଶକମାନଙ୍କୁ ଭିତରକୁ ଛଡାଯିବ ନାହିଁ। ଅନ୍ୟପକ୍ଷରେ ସାଧାରଣ ଦର୍ଶକ ବା ଫୁଲପ୍ରେମୀ କେବଳ ପ୍ରଦର୍ଶନୀକୁ ଦେଖିପାରିବେ; କିନ୍ତୁ ଫୁଲ, ମଞ୍ଜି, ଚାରା କିଣିପାରିବେ ନାହିଁ। ଡିସେମ୍ବର ମାସର ଶେଷ ଶନିବାର ଏବଂ ରବିବାର ଏହି ପ୍ରଦର୍ଶନୀ ହେବାକୁ ଧାର୍ଯ୍ୟ ହୋଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

Comments are closed.