ହାତୀ ନଦୀରେ ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ନଦୀ କୂଳିଆ ଗ୍ରାମବାସୀ ଆତଙ୍କିତ

କଲମପୁର: ଗତ ୪୮ ଘଣ୍ଟା ଧରି ଲାଗି ରହିଛି ଲଗାଣ ବର୍ଷା। ହାତୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଏବେ ହାତୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆଶଙ୍କା ସୃଷ୍ଟି ହେଇଛି। ବନ୍ୟା ହେବା ଆଶଙ୍କା ଥିବାରୁ କଲମପୁର ବ୍ଲକ ଅଧିନସ୍ଥ ତଥା ନଦୀ କୂଳରେ ରହିଥିବା ଟେମରା, ପରୁଆଗୁଡା, ଖଙ୍ଗାରଗୁଡା, ବିରିପୁର, ମାଟିଖାଲ, ଜାମପଡା, କର୍ମେଲି, ବାଲିଛଡା ଓ ବଙ୍କାପଲା ସମେତ କମଳ ନଦୀ କୂଳରେ ଥିବା ସାନକୁଟୃ ଓ ରସଡୁମେର ପ୍ରମୁଖ ଗ୍ରାମବାସୀ ଏବେ ଆତଙ୍କିତ ହେଇ ପଡିଛିନ୍ତି।

ଗତ ୪୮ ଘଣ୍ଟା ମଧ୍ୟରେ କଲମପୁର ଅଂଚଳରେ ୧୭୦ ମିଲିମିଟରରୁ ଅଧିକ ବର୍ଷା ହେଇଥିବା ବେଳେ ଥୁଆମୁଳ ରାମପୁର ଅଂଚଳରେ ୨୬୪.୪ ମିଲିମିଟର ଓ ଜୟପାଟଣା ପ୍ରାୟ ୧୪୭ ମିଲିଲିଟର ବର୍ଷା ହେଇଥିବା ରେକର୍ଡ କରାଯାଇଛି। ଅନ୍ୟପଟେ ୧୫୦ ମେଗାୱାଟ ବିଦ୍ୟୁତ୍‍ ଉତ୍ପାଦିତ କରାଯାଉଥିବା ବେଳେ ୨୬୫ ଫୁଟ ଜ ଳଳ ଧାରଣ କ୍ଷମତା ଥିବା ମଙ୍ଗଳପୁର ବ୍ୟାରେଜରେ ଏବେ ୨୬୧ରେ ପହଂଚିଛି। ଉଭୟ ବାମ ଓ ଡାହାଣ ମୁଖ୍ୟ କେନାଲରେ ଜଳ ସେଚନକୁ ବନ୍ଦ କରାଯାଇଥିବା ବେଳେ ହାତୀ ନଦୀ ମାଧ୍ୟମରେ ତିନିଗୋଟି ଗୋଟ ଜରିଆରେ ୨୧୬.୫୮ କ୍ୟୁମେକ୍ସ ପାଣି ନିଷ୍କାସିତ କରାଯାଉଛି।

ସାମ୍ଭବ୍ୟ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି କଲମପୁର ବ୍ଲକ ପ୍ରଶାସନ ତରଫ୍ରୁ ବି.ଡି.ଓ ହେମ ସାଗର ଭୋଇ, ତହସିଲଦାର କରିସ୍ମା ବେଶ୍ରା ନଦୀ କୂଳରେ ଥିବା ବନ୍ୟା ପ୍ରଭାବିତ ଗ୍ରାମକୁ ପରିଦର୍ଶନ କରିବା ସହ ଲୋକଙ୍କୁ ସଚେତନ କରାଇଥିଲେ। ଶେଷ ଖବର ସୁଦ୍ଧା କଲମପୁର ଅଂଚଳରେ ବର୍ଷା କିଛି ସମୟ ଧରି ବନ୍ଦ ରହିଥିବା ବେଳେ ବରିପୁର ମାଟିଖାଲ ରାସ୍ତା ଉପରେ ପ୍ରାୟ ୨ ଫୁଟ ପାଣି ପ୍ରବାହିତ ହେଉଛି। ଅନ୍ୟପଟେ ମାଟିଖାଲର ତଳିଆ ଅଂଚଳରେ ପାଣି ପଶିବାକୁ ଲାଗୁଛି। ବ୍ଲକ ପ୍ରଶାସନର ସୁଚନା କ୍ରମେ ଗତ ରାତିରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‍ ଉତ୍ପାଦନ ବନ୍ଦ କରାଯାଇଥିଲା। ପୁନଃ ସକାଳେ ବିଦ୍ୟୁତ୍‍ ଉତ୍ପାଦନ ଜାରି ରହିଥିଲା। ଅନ୍ୟପଟେ ଇନ୍ଦ୍ରାବତୀ ଜଳ ଭଣ୍ଡାର ଜଳସ୍ତର ବୃଦ୍ଧି ପାଇଁ ୬୩୪.୨୫ ମିଟରରେ ପହଂଚିଛି।

Comments are closed.