ଆରଡି ଅଞ୍ଚଳରେ ବଢିବାରେ ଲାଗିଛି ବୈତରଣୀ ନଦୀର ବନ୍ୟାଜଳ

ଆରଡି: ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଲଗାଣବର୍ଷା ଯୋଗୁ ବୈତରଣୀ ନଦୀରେ ଆସିଛି ୨ୟ ବନ୍ୟାଜଳ। ଏବେ ବୈତରଣୀ ଉପରମୁଣ୍ଡରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ତଳମୁଣ୍ଡରେ ଅର୍ଥାତ ଭଦ୍ରକ ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଆଦି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀନଦୀର ବନ୍ୟାଜଳ ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବିଭିନ୍ନ ଏସକେପ ଓ ମାହାରା ଦେଇ ବନ୍ୟାଜଳ ଜନବସତି ଆଡକୁ ମାଡିବାରେ ଲାଗିଛି। ତାହାସହ ଆଖଣ୍ଡଳମଣିପକୁଆଖିଆ ୨୦ନଂ ଜାତୀୟରାଜପଥ ବୋଡକ ନିକଟରେ ବନ୍ୟାପାଣି ପ୍ରବାହିତ ହେବାରେ ଲାଗିଛି। ଏବେ ବୈତରଣୀନଦୀ କୂଳ ଲଂଘି ବନ୍ୟାଜଳ ଓଳଗ ପଞ୍ଚାୟତର ବୋଡକ ତଳସାହିରେ ପ୍ରବେଶ କରିବାରୁ ୫୦ରୁ ଊର୍ଦ୍ଧ୍ବ ପରିବାର ଏବେ ଜଳବନ୍ଦୀ ହୋଇ ରହିଛନ୍ତି। ବସବାସ କରୁଥିବା ଲୋକମାନେ ଅଣ୍ଟାଏ ପାଣିରେ ପଶି ଯାତାୟତ କରୁଛନ୍ତି। ଖବର ପାଇ ଭଦ୍ରକ ଜିଲାପାଳଙ୍କ ପରାମର୍ଶକ୍ରମେ ପ୍ରକଳ୍ପନିର୍ଦଶକ, ଚାନ୍ଦବାଲି ଅତିରିକ୍ତ ତହସିଲିଦାର, ୨ଜଣ ନୋଡାଲ ଅଫିସର ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ବନ୍ୟାଘେରରେ ଥିବା ଲୋକମାନଙ୍କୁ ଭେଟିଛନ୍ତି। ତାହାସହ ବନ୍ୟା ଘେରରେ ଥିବା ଲୋକମାନଙ୍କୁ ତୁରନ୍ତ ଆଶ୍ରୟସ୍ଥଳୀରେ ରଖିବା ସହ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଯୋଗାଇ ଦେବା ପାଇଁ ପ୍ରକଳ୍ପନିର୍ଦେଶକ ନୋଡାଲ ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି। ବନ୍ୟାପାଣିରେ ଅନେକସ୍ଥାନରେ ନଳକୂପ ବୁଡିଯାଇଥିବାରୁ ପିଇବାପାଣିର ସମସ୍ୟା ଦେଖାଦେଇଛି। ସେହିପରି ଶହଶହ ଏକର ଚାଷଜମିରେ ଲହଡି ଭାଙ୍ଗୁଛି ପାଣି। ଜୁଆର ସମୟରେ ବନ୍ୟାର ସ୍ଥିତି ଗମ୍ଭିର ହେବା ସହ ଅନେକ ଗାଁକୁ ବନ୍ୟାପାଣି ମାଡିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

Comments are closed.