ଚାଷୀକୁଳଙ୍କ ଅଭିଯୋଗ ଚାଷ ଉଜାଡ଼ୁଛି ମନୁଷ୍ୟକୃତ ବନ୍ୟା

ନାଳମାନଙ୍କରେ ମାତ୍ରାଧିକ ଆଡ଼ିବନ୍ଧ ଏବଂ ଫୁକାର ବର୍ଷାଜଳ ନିଷ୍କାସିତ ହେବାରେ ପ୍ରତିବନ୍ଧକ

ବଡ଼ମ୍ବା : ଲଗାତର ଦୁଇବର୍ଷ ଧରି ବଡ଼ମ୍ବାର ଦୁଇ ତୃତୀୟାଂଶ ଚାଷଜମି ବନ୍ୟାଜଳ ଦ୍ୱାରା ଜଳମଗ୍ନ ହୋଇ ଫସଲ ଅମଳ ପୂର୍ବରୁ ପ୍ରଭାବିତ ହୋଇଛି । ଗତବର୍ଷ ମହାନଦୀ ବନ୍ୟାଜଳର ପେଲକ ପାଣି(ବ୍ୟାକ୍ଲଗ ଫ୍ଳଡ ୱାଟର) ଏବଂ ଚଳିତବର୍ଷ ବିଭିନ୍ନ ନାଳର ବର୍ଷାଜଳ ଦ୍ୱାରା ହଜାର ହଜାର ଏକର ଚାଷଜମି ଦୀର୍ଘଦିନ ଧରି ବନ୍ୟାଜଳରେ ବୁଡ଼ିରହିଲା । ଯାହାଫଳରେ ଖାଲଜମିରେ କରାଯାଇଥିବା ଧାନଚାଷ, ଆଖୁଚାଷ ସମେତ ବିଭିନ୍ନ ପନିପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପ୍ରକାଶ । ଲଗାତର ଦୁଇବର୍ଷ ଧରି କ୍ଷତି ସହିଥିବା ଏଭଳି ଅନେକ ଚାଷୀଙ୍କ ଦୁଃଖ ଓ ସମସ୍ୟାକୁ ଲାଘବ କରିପାରୁନି ସରକାରଙ୍କ ତରଫରୁ ମିଳୁଥିବା ସାମାନ୍ୟ କିଛିଟା ସହାୟତା ଯାହାକି ସମୁଦ୍ରକୁ ଶଂଖେ ସଦୃଶ। ଅପରପକ୍ଷରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଦୃଷ୍ଟି ଦିଆଯାଉନଥିବା ନେଇ ଚାଷୀକୁଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୂରଦୃଷ୍ଟିହିନ ପଦକ୍ଷେପ ସ୍ୱରୂପ ବିଭିନ୍ନ ନାଳମାନଙ୍କରେ ଏବେ ଯେଭଳିଭାବେ ମାତ୍ରାଧିକ ଆଡ଼ିବନ୍ଧ ଏବଂ ଫୁକାରମାନ କରାଯାଇଛି ସେସବୁ ବନ୍ୟାଜଳରେ ଚାଷଜମି ଜଳମଗ୍ନ ହେବାର ପ୍ରମୁଖ କାରଣ ବୋଲି ଅନେକ ଚାଷୀଙ୍କ ସମେତ କୃଷକ ସଂଗଠନମାନେ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଧରି ନିଷ୍କାସିତ ହୋଇ ନପାରି ବନ୍ୟାଜଳରେ ହଜାର ହଜାର ଏକର ଫସଲ ବୁଡ଼ିରହିବା ମୁନଷ୍ୟକୃତ ବୋଲି ଉକ୍ତ ସଂଗଠନ ଏବଂ ଚାଷୀମହଲରେ ଚର୍ଚ୍ଚା ହେଉଛି।

ଅନୁସନ୍ଧାନ କରିବାରେ ଜଣାଯାଇଛି ଚଳିତବର୍ଷ ଲଗାଣ ବର୍ଷା କାରଣରୁ ବଡ଼ମ୍ବାର ବିଭିନ୍ନ ନାଳରେ ପ୍ରବଳମାତ୍ରାରେ ପାହାଡ଼ିଜଳ ପ୍ରବାହିତ ହୋଇଥିଲା। ତେବେ ନାଳର ସୂଅପାଣି ପର୍ଯ୍ୟାପ୍ତ ନିଷ୍କାସିତ ହେବାରେ ସମସ୍ୟା ସୃଷ୍ଟି କରିଥିଲା ଅନେକ ଆଡ଼ିବନ୍ଧ ଏବଂ ଫୁକାର ସମୁହ । ନାଳର ଓସାର ୨୦ରୁ ୨୫ଫୁଟ ହୋଇଥିବା ବେଳେ ଅନେକ ସ୍ଥାନରେ କରାଯାଇଥିବା ଫୁକାରରେ ମାତ୍ର ୫/୬ଫୁଟ ଓସାରର ବନ୍ୟାଜଳ ପ୍ରବାହିତ ହେଉଥିଲା। ଯାହାଫଳରେ ବନ୍ୟାଜଳ ତାର ପାକୃତିକ ଗତିପଥ ଦେଇ ଉନ୍ମୁକ୍ତ ଭାବେ ନିଷ୍କାସିତ ହୋଇ ନପାରି ବିସ୍ତିର୍ଣ୍ଣ ଅଞ୍ଚଳକୁ ମାଡ଼ିଯିବା ସହ ଅନେକସ୍ଥାନରେ ରାସ୍ତା ଉପରେ ପ୍ରବାହିତ ହୋଇଥିଲା। ଏହି କାରଣରୁ ବଡ଼ମ୍ବାର ଧୋବଣୀ ନାଳର ବନ୍ୟାଜଳ ଦିଆନି ପାଟଣା ନିକଟ ଆଡ଼ିବନ୍ଧ ତଥା ଗୋପମଥୁରା ଆଡ଼ିବନ୍ଧ ସନ୍ନିକଟ ସିଆରିଆ ନାଳ ବନ୍ୟାଜଳ ଶଂଖାମେରୀ ପନ୍ଥେଇ ଠାକୁରାଣୀ ନିକଟ ରାସ୍ତା ତାଡ଼ି ଦେଇଥିବା ଦେଖାଯାଇଛି । ଦୀର୍ଘଦିନ ଧରି ବନ୍ୟାଜଳରେ ବଡ଼ମ୍ବା ବ୍ଲକର ଆନୁମାନିକ ପ୍ରାୟ ୫ହଜାର ଏକର ଚାଷଜମି ପ୍ରଭାବିତ ହୋଇଥିବା ବେଳେ ସରକାରୀ ଭାବେ ଏହା ୩ହଜାର ୬ଶହ ଏକର ପ୍ରାଥମିକ ଆକଳନ କରାଯାଇଥିବା ପ୍ରକାଶ। ଲଗାତରଭାବେ କୃଷିକ୍ଷେତ୍ରରେ ଉପୁଜିଥିବା ଏଭଳି ପରିସ୍ଥିତିକୁ ନେଇ ବଡ଼ମ୍ବା ବ୍ଲକ ଆତ୍ମା ସଂଗଠନର ଅଧ୍ୟକ୍ଷ ପ୍ରଦୀପ୍ତକୁମାର ସ୍ୱାଇଁ,ବଡ଼ମ୍ବା – ନରସିଂହପୁର କୃଷକ ଏକତାମଞ୍ଚର ଆବାହକ ମାନସରଞ୍ଜନ ମୁଦୁଲି, ଓକିଲସଂଘର ସଭାପତି ସନ୍ତୋଷକୁମାର ବେହେରା ତଥା ବାଙ୍ଗେରିସିଂହା, ନରଣପୁର,ଦିନିଆରୀ, ଇନ୍ଦ୍ରାଙ୍ଗ,ତୁଣପୁର, ମୁଗଗହୀର,ଗୋପମଥୁରା, ଶଂଖାମେରୀ,ମଙ୍ଗରାଜପୁର,ଇଛାପୁର,ଦେଉଳୀ ଆଦି ଅନେକ ପ୍ରଭାବିତ ଅଞ୍ଚଳର ଚାଷୀମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ବନ୍ୟାଜଳ ନିଷ୍କାସନ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଆଡ଼ିବନ୍ଧ ଏବଂ ଫୁକାର ସମୁହର ନବିକରଣ ତଥା ଉପୁଜୁଥିବା ସମସ୍ୟାର ସ୍ଥାୟୀ ପ୍ରତିକାର ଦିଗରେ ଆବଶ୍ୟକ ଦୃଷ୍ଟି ଦେବାକୁ ସେମାନେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି। ସେହିଭଳି ବାସ୍ତବତାକୁ ବିଚାରକରି ବନ୍ୟାଜଳ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆ ଯାଉଥିବା ସହାୟତା ରାଶିର ପରିମାଣ ବୃଦ୍ଧି କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।

 

Comments are closed.