ବନ୍ୟା ଧୋଇନେଲା ଚାଷୀଙ୍କ ବର୍ଷକର ଆହାର; ୧୧ଟି ପଞ୍ଚାୟତର ୫ହଜାର ଏକର ଜମିର ଧାନ ନଷ୍ଟ

କୃଷି ବିଭାଗ ଟିମ୍‍ର ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ

ହରଭଙ୍ଗା: ମହାନଦୀର ପ୍ରଳୟଙ୍କରୀ ବନ୍ୟା ବିତ୍ପାତରେ ହରଭଙ୍ଗା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବନ୍ୟା ପ୍ରଭାବରେ ଘରଦ୍ୱାର, ରାସ୍ତା, ପୋଲ ଭାଙ୍ଗିବା ସହିତ ଚାଷୀର କଷ୍ଟ ଉପାର୍ଜିତ ଧାନଫସଲ ପାଣିରେ ପଚିସଢି ନଷ୍ଟ ହୋଇଛି। ଫଳରେ ଚାଷୀଙ୍କ ବର୍ଷକର ଆହାର ମହାନଦୀ ବନ୍ୟାରେ ଧୋଇ ହୋଇଯାଇଛି। ଯାହାଦ୍ୱାରା ହରଭଙ୍ଗା ବ୍ଲକର ୧୧ଟି ନଦୀକୂଳିଆ ପଂଚାୟତର ୫ହଜାର ଏକର ଚାଷ ଜମିରେ ଧାନଚାଷ ନଷ୍ଟ ହେବା ସହ ବାଲିଚରରେ ପୋତି ହୋଇଥିବା ସରକାରୀସ୍ତରରେ ପ୍ରାଥମିକ ଆକଳନ କରାଯାଇଛି। ଆସନ୍ତା ୭ଦିନ ମଧ୍ୟରେ ରାଜସ୍ୱ ବିଭାଗ ଏବଂ କୃଷିବିଭାଗ ଦ୍ୱାରା ମିଳିତଭାବେ ଫସଲ କ୍ଷୟକ୍ଷତି ଆକଳନ କରାଯିବ ବୋଲି ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ସୂଚନା ଦେଇଛନ୍ତି। ଦୀର୍ଘ ୭ଦିନ ହେଲା ହେକ୍ଟର ହେକ୍ଟର ଧାନ ଚାଷ ଜମିରେ ବନ୍ୟା ପାଣି ଜମିରହିଥିବା ଦେଖାଯାଇଛି। ଫଳରେ ହରଭଙ୍ଗା, କୁଶଙ୍ଗ, ଶଙ୍କୁଲେଇ, ଧଳପୁର, ରାମଗଡ଼, ବୀରନରସିଂହପୁର, ମଥୁରା, ରାଧାନଗର, ସରସରା ଏବଂ ସମ୍ପୋଚ ଭଳି ୧୧ଟି ପଂଚାୟତର ହଜାର ହଜାର ଏକର ଚାଷ ଜମିରେ ଧାନ ଚାଷ ଉଜୁଡି ଯାଇଥିବା କୃଷି ବିଭାଗ ପ୍ରାଥମିକ ଆକଳନ କରିଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ କିଭଳି ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯିବ ଏନେଇ ହରଭଙ୍ଗା ବ୍ଲକ କୃଷି ଅଧିକାରୀ ସବ୍ୟସାଚୀ ଦାସଙ୍କ ନେତୃତ୍ୱରେ କୃଷି ଅଧିକାରୀ ରାଜେଶ ଚୌଧୁରୀ, କୃଷି ଗ୍ରାମସେବକ ବିଣାପାଣି ସାହୁ, ଆରତୀ ମେହେର, ଚମ୍ପେଶ୍ୱର ବେହେରା, ଭାଗିରଥି ଦୀପ, ଯୋଶେନ୍‍ ମହାକୁଡ, ଶୁଶିଲ ପଣ୍ଡା, ଶଶାଙ୍କ ଶେଖର ଦାସ ପ୍ରମୁଖ ବୁଧୁବାର ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଛନ୍ତି। ବର୍ତମାନ ସୁଦ୍ଧା ଅନେକ ଜମିରେ ବନ୍ୟାପାଣି ଲହଡି ଭାଙ୍ଗୁଥିବା କ୍ଷୟକ୍ଷତି ଆକଳନ ଏବଂ ଚାଷଜମି ପରିଦର୍ଶନ କରିବା କଷ୍ଟକର ହୋଇପଡୁଥିବା କୃଷି ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.