ବନ୍ୟା କ୍ଷୟକ୍ଷତି : କେନ୍ଦ୍ରକୁ ୧୫୬୯.୫୧ କୋଟିର ସହାୟତା ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟରେ ଗତ ଅଗଷ୍ଟ ମାସରେ ହୋଇଥିବା ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି ବାବଦରେ ରାଜ୍ୟ ସରକାର କେନ୍ଦ୍ରକୁ ୧୫୬୯କୋଟି ୫୧ଲକ୍ଷ ଟଙ୍କାର ସହାୟତା ମାଗିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ସହାୟତା ଦାବି ପ୍ରସ୍ତାବକୁ ଅନୁମୋଦନ  ମିଳିବା ପରେ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପଠାଯାଇଛି।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରିଲିଫ ଓ ଭିତ୍ତିଭୂମି ପୁନରୁଦ୍ଧାର ବାବଦରେ ୭୧୫କୋଟି ୯୧ ଲକ୍ଷ ଟଙ୍କା, କ୍ଷୟକ୍ଷତି ବାବଦରେ ଜଳସମ୍ପଦ ବିଭାଗର ୬୪୮କୋଟି ୯୦ ଲକ୍ଷ ଟଙ୍କା ଏବଂ ପୂର୍ତ୍ତ ବିଭାଗର ୨୦୪କୋଟି ୭୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ ଯେ ବନ୍ୟା କ୍ଷୟକ୍ଷତିର ଆକଳନ କରିବାକୁ ଗତ ସେପ୍ଟେମ୍ବର ୧୬ ଓ ୧୭ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଦଳ ଓଡ଼ିଶା ଆସିଥିଲେ। ସେତେବେଳେ ରାଜ୍ୟ ସରକାର ପ୍ରାଥମିକ ଆକଳନ ଅନୁସାରେ ୧୭୮୪ କୋଟି ୩୦ ଲକ୍ଷ ଟଙ୍କା କ୍ଷୟକ୍ଷତି ହୋଇଥିବା ଏବଂ ଏନଡିଆରଏଫ ନିୟମାବଳୀ ଅନୁସାରେ ୧୧୨୪ କୋଟି ୧୦ଲକ୍ଷ ଟଙ୍କା ବନ୍ୟା ସହାୟତା ଦେବାକୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ପ୍ରଭାବିତ ଜିଲାର ଜିଲାପାଳମାନେ କ୍ଷୟକ୍ଷତି ରିପୋର୍ଟ ଦେବା ପରେ ସରକାର କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏଥିରେ ବର୍ଷା ଓ ବନ୍ୟା ଯୋଗୁଁ ୧୬୪୨କୋଟି ୨୬ଲକ୍ଷ ଟଙ୍କା କ୍ଷୟକ୍ଷତି ହୋଇଥିବା ଦର୍ଶାଯାଇଛି। ସେଥିରେ ଭିତ୍ତିଭୂମି କ୍ଷୟକ୍ଷତି ବାବଦରେ ୮୫୮ କୋଟି ୧୨ ଲକ୍ଷ ଟଙ୍କା ସମେତ ଫସଲ ନଷ୍ଟ ବାବଦରେ ୫୪୨କୋଟି ୩୦ଲକ୍ଷ ଟଙ୍କା, ଘର ଭାଙ୍ଗି ନଷ୍ଟ ହେବା ବାବଦରେ ୧୦୮କୋଟି ୯୨ ଲକ୍ଷ ଟଙ୍କା ଏବଂ ରିଲିଫ ବାବଦକୁ ୧୩୨କୋଟି ୯୨ଲକ୍ଷ ଟଙ୍କା ରହିଛି। ଏନଡିଆରଏଫ ଓ ଏସଡିଆରଏଫ ନିୟମାବଳୀ ଅନୁସାରେ ସରକାର ସେଥିରୁ ୧୫୬୯କୋଟି ୫୧ଲକ୍ଷ ଟଙ୍କା ସହାୟତା ମାଗିଛନ୍ତି।
ଗତ ଜୁଲାଇ ଓ ଅଗଷ୍ଟ ମାସରେ ପ୍ରବଳ ବର୍ଷା ଓ ଅଗଷ୍ଟ ଶେଷ ସପ୍ତାହରେ ହୋଇଥିବା ବନ୍ୟାରେ ରାଜ୍ୟର ୨୭ଟି ଜିଲାର ୨୦୮ଟି ବ୍ଲକ ଓ ୩୦ଟି ପୌରାଞ୍ଚଳର ୩୮.୯୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ୩.୧୪ଲକ୍ଷ ହେକ୍ଟର ଜମିରେ ଫସଲ ପ୍ରଭାବିତ ହୋଇଥିଲା ଏବଂ ୨.୩୫ ଲକ୍ଷ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲା। ବନ୍ୟାରେ ୩୮ ଜଣଙ୍କ ମୃତ୍ୟୁ ହେବା ସହ ୭୮ ହଜାରରୁ ଅଧିକ ଘର ଭାଙ୍ଗିଥିଲା।

Comments are closed.