ବଢ଼ୁଛି ୧୦ ନଦୀ

ଭୁବନେଶ୍ବର : ଲଘୁଚାପ ବର୍ଷାର ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ରାଜ୍ୟର ପ୍ରାୟ ୧୦ଟି ନଦୀରେ ଜଳସ୍ତର ବଢ଼ୁଛି। ୫ଟି ପ୍ରମୁଖ ନଦୀ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖାରେ ବନ୍ୟା ଉତ୍କଟ ରୂପ ନେଉଥିବାବେଳେ କେତେକ ନଦୀର ଜଳସ୍ତର ଆଜି ରାତି ସୁଦ୍ଧା ବିପଦସଙ୍କେତ ଡେଇଁବାର ସମ୍ଭାବନା ରହିଛି। ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବଢ଼ିବା ସହିତ ବନ୍ୟା ଆଶଙ୍କା ଦେଖାଦେଇଛି। ବନ୍ୟା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିବା ଓ ଆବଶ୍ୟକ ସ୍ଥଳରେ ତଳିଆ ଅଞ୍ଚଳରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।
ଗୁରୁବାର ସନ୍ଧ୍ୟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୨.୦୮ଫୁଟ ଥିବାବେଳେ ୧୬ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫,୫୬,୦୧୦ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨,୬୮,୮୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଖଇରମାଳଠାରେ ୫,୩୪,୦୦୦, ବରମୂଳଠାରେ ୬,୪୩,୦୦୦ ଏବଂ ମୁଣ୍ଡଳି ଦେଇ ୭,୭୭,୮୯୩କ୍ୟୁସେକ ଜଳ ପ୍ରବାହିତ ହେଉଛି।
ଜଳସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମହାନଦୀ, ଦେବୀ, କୁଶଭଦ୍ରା, ଇବ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟାରେ ଜଳସ୍ତର ବଢ଼ିବାରେ ଲାଗିଛି। ନରାଜଠାରେ ମହାନଦୀ, ଆଳିପିଙ୍ଗଳଠାରେ ଦେବୀ, ନିମାପଡ଼ାଠାରେ କୁଶଭଦ୍ରା, ସୁନ୍ଦରଗଡ଼ଠାରେ ଇବ, ଜେନାପୁରଠାରେ ବ୍ରାହ୍ମଣୀ, ଆଖୁଆପଦାଠାରେ ବୈତରଣୀ, ରାଜଘାଟଠାରେ ସୁବର୍ଣ୍ଣରେଖା,
କାଶୀପୁରଠାରେ ବଂଶଧାରା, ପୁରୁଷୋତ୍ତମପୁରଠାରେ ଋଷିକୂଲ୍ୟା ବିପଦସଙ୍କେତ ନିକଟବର୍ତ୍ତୀ ରହିଛି।
ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ୁଥିବାରୁ ଏଠାରେ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ରହିଛି। ସେଥିପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇଛି ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଓ ଜିଲା ପ୍ରଶାସନକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି।
ତେଲ ନଦୀରେ ଜଳସ୍ତର ବଢ଼ୁଛି। ମହାନଦୀ ସିଷ୍ଟମରେ ବର୍ତ୍ତମାନ ସାଢ଼େ ୬ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଛି ଏବଂ ତାହା ଆଗାମୀ ୩ରୁ ୪ଦିନ ଜାରି ରହିବ। ପାଣିପାଗର ଯାହା ବିବରଣୀ ମିଳିଛି ଆଗାମୀ ୩ରୁ ୪ଦିନ ଓଡ଼ିଶାର ଉପର ବା ତଳ ଅଞ୍ଚଳରେ ବର୍ଷା ସମ୍ଭାବନା କମ ଅଛି। ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ସଚିବଙ୍କ ସହିତ ସମୀକ୍ଷା କରିଥିଲେ। ମୁଖ୍ୟ ସଚିବ ଭିଡ଼ିଓକନଫରେନ୍ସିଂ ଜରିଆରେ ବିଭିନ୍ନ ବିଭାଗର ସଚିବଙ୍କ ସମେତ ୧୨ଟି ଜିଲାର ଜିଲାପାଳ ଓ ଆରଡ଼ିସିଙ୍କ ସହିତ ପରିସ୍ଥିତିର ସମୀକ୍ଷା କରିଛନ୍ତି। ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ଏବଂ ବନ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ବନ୍ୟାଞ୍ଚଳରୁ ମିଳିଥିବା ଖବର ଅନୁସାରେ ଉତ୍ତର ଓଡ଼ିଶାର ଅଧିକାଂଶ ଗ୍ରାମ ଓ ଚାଷ ଜମି ଏବେ ଜଳମଗ୍ନ ହୋଇଛି। ତଳିଅା ଅଞ୍ଚଳରୁ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହୋଇଛି।
ଭଦ୍ରକ, କେନ୍ଦୁଝର ଜିଲା ସମେତ ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲାର ନଦୀକୁଳିଆ ଅଞ୍ଚଳରେ ପାଣି ମାଡ଼ିଆସୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ ପ୍ରବଳ ବର୍ଷା ଫଳରେ ବ୍ରାହ୍ମଣୀ, ବୈତରଣୀ ଓ ଅନ୍ୟାନ୍ୟ ନଦୀରେ ବନ୍ୟା ସମ୍ଭାବନା ରହିଛି। କୌଣସି ପ୍ରକାର ଅଘଟଣ ଆଶଙ୍କାରେ ବାରିପଦା ସହର, କେନ୍ଦୁଝରର ହାଟଡ଼ିହି ଏବଂ ଯାଜପୁର ଓ ବାଲେଶ୍ବର ଜିଲାର ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କାର୍ଯ୍ୟ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି। ମୟୂରଭଞ୍ଜର ଦୁଇ ଜଣ ଏବଂ କେନ୍ଦୁଝରର ଜଣେ ବ୍ୟକ୍ତି ବନ୍ୟାରେ ପ୍ରାଣ ହରାଇଥିବ ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed.