ଅଲିମ୍ପିକ୍‌ସ ବକ୍ସିଂ : ଯୋଗ୍ୟତା ଅର୍ଜନ କଲେ ୫ ଭାରତୀୟ ବକ୍ସର

ଓମାନ୍‌  : ଚଳିତବର୍ଷ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି ୫ ଜଣ ଭାରତୀୟ ବକ୍ସର।  ଓମାନ୍‌ରେ ଖେଳାଯାଉଥିବା ଏସୀୟ ବକ୍ସରଙ୍କ ନିମନ୍ତେ ଅଲିମ୍ପିକ୍‌ସ ଯୋଗ୍ୟତା ଅର୍ଜନ ପର୍ଯ୍ୟାୟର ମହିଳା ୭୫ କେଜି ବିଭାଗ କ୍ବାର୍ଟର ଫାଇନାଲରେ ପୂଜା ରାଣୀ ଥାଇଲାଣ୍ଡର ପୋର୍ଣ୍ଣିପା ଚୁଟେଙ୍କୁ ୫-୦ ରେଫରି ନିଷ୍ପତ୍ତିରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ସେମିଫାଇନାଲରେ ପ୍ରବେଶ କରିଥିବାରୁ ପୂଜା ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି।

ଅନ୍ୟପକ୍ଷରେ ପୁରୁଷ ୬୯ କେଜି ବିଭାଗରେ ଭାରତର ବିକାଶ କ୍ରିଷ୍ଣା କ୍ବାର୍ଟର ଫାଇନାଲରେ ଜାପାନର ଓକାଜାୱାଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିବା ସହ ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି। ତେବେ ପୁରୁଷ ୮୧ କେଜି ବିଭାଗ କ୍ବାର୍ଟର ଫାଇନାଲରେ ଭାରତର ସଚିନ କୁମାର ଚୀନ୍‌ର ଚେନ୍‌ ଡାକ୍ସିଙ୍ଗ୍‌ଠାରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି।

ସେହିପରି ପୂଜା ରାଣୀ ଓ ବିକାଶ କ୍ରିଷ୍ଣାଙ୍କ ସମେତ ଲୋଭଲିନା, ଆଶିଷ କୁମାର ଓ ସତିଶ ମଧ୍ୟ ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି।

 

Comments are closed.