ରଣଜୀ ମ୍ୟାଚ୍‌ରେ ଖେଳିଲେ ନାହିଁ ବୁମରା

ସୁରଟ୍ : ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା ଆଗାମୀ ଦିନରେ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ଭାରତୀୟ କ୍ରିକେଟ୍ ଦଳକୁ ଫେରିବେ। ଆଘାତପ୍ରାପ୍ତ ହୋଇ ବେଶ୍‌ କିଛିମାସ କ୍ରିକେଟ୍‌ରୁ ଦୂରେଇ ରହିଥିବା ବେଳେ ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ଫିଟ୍‌ ଅଛନ୍ତି। ତେବେ କେରଳ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ ଗୁଜରାଟ ଦଳ ତରଫରୁ ଖେଳି ନିଜ ଫିଟନେସ୍‌ ପ୍ରମାଣ ଦେବେ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିବା ବେଳେ ବର୍ତ୍ତମାନ ସେ ରଣଜୀ ଟ୍ରଫିରେ ଖେଳୁନଥିବା ଜଣାପଡିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଭାରତୀୟ ଦଳର ମନୋନୟନକାରୀ ଗୁଜରାଟ ଦଳର ମ୍ୟାନେଜ​‌େ​‌ମଣ୍ଟକୁ ପରାମର୍ଶ ଦେଇ କହିଥିଲେ ବୁମରା ରଣଜୀ ମ୍ୟାଚ୍‌ରେ ଗୋଟିଏ ଦିନରେ ୪ରୁ ୮ ଓଭର ବୋଲିଂ କରିବେ। ଏହାଠାରୁ ଅଧିକ ଓଭର ସେ ବୋଲିଂ କରିବେ ନାହିଁ।
ଅନ୍ୟପକ୍ଷରେ ମନୋନୟନକାରୀଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ଗୁଜରାଟ ଦଳର ମ୍ୟାନେଜମେଣ୍ଟ ଅନିଚ୍ଛା ପ୍ରକାଶ କରିଥିଲା। କଥା ଯାଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ କାନରେ ପଡ଼ିଥିଲା। ଗାଙ୍ଗୁଲି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ବୁମରା ରଣଜୀ ମ୍ୟାଚ୍‌ ଖେଳିବାର କୌଣସି ଆବଶ୍ୟକତା ନାହିଁ ବୋଲି ଦର୍ଶାଇଥିଲେ। ଏହାକୁ ଦୃଷ୍ଟିରେ ରଖି ବୁମରାଙ୍କୁ ଗୁଜରାଟ ରଣଜୀ ଦଳରୁ ବାଦ୍ ଦିଆଯାଇଥିଲା। ଆସନ୍ତା ବର୍ଷ ଫେବୃଆରୀ ୨୧ରୁ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିବ। ଏଥିପାଇଁ ହାତରେ ବହୁତ ସମୟ ଥିବାରୁ ବୁମରା ବର୍ତ୍ତମାନ ଠାରୁ ଅଧିକ ଓଭର ବୋଲିଂ କରିବାର କୌଣସି ଆବଶ୍ୟକତା ନାହିଁ। ସେ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ୪ ଓଭର ବୋଲିଂ କରି ନିଜ ଫିଟନେସ୍‌ ପ୍ରମାଣ ଦେଇପାରିବେ ବୋଲି ଗାଙ୍ଗୁଲି କହିଥିବା ଜଣାପଡ଼ିଛି। ସୂଚନାଥାଉକି ବୁମରା ୩ଟି ଯାକ ଫର୍ମାଟ୍‌ରେ ଭାରତୀୟ ଦଳର ପ୍ରମୁଖ ବୋଲର। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳାଯିବାକୁ ଥିବା ବେଳେ ବୁମରା ସେଥିପାଇଁ ଯେପରି ସଂପୂର୍ଣ୍ଣ ଫିଟ୍‌ ରହିବେ ସେଥିପ୍ରତି ଭାରତୀୟ ଦଳର ମ୍ୟାନେଜମେଣ୍ଟ ଗୁରୁତ୍ବାରୋପ କରୁଛି।

Comments are closed.