ବଡ଼ମ୍ବା ବନାଞ୍ଚଳରେ ଅଚଳାବସ୍ଥା, ମୁକୁଳା ଜଙ୍ଗଲରୁ ଶାଳ-ଶାଗୁଆନ କାଠ ଲୁଟ

ଜେଲରେ ବଡ଼ମ୍ବା ବନାଞ୍ଚଳ ଅଧିକାରୀଙ୍କ ସହ ୨ ବନରକ୍ଷୀ ଏବଂ ୩ ବନପାଳ

ବଡ଼ମ୍ବା: ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ବନାଞ୍ଚଳ ଦୁର୍ଦିନ ଦେଇ ଗତିକରୁଛି। ଗତ ମାସ ୩୧ ତାରିଖରେ ବଡ଼ମ୍ବା ବନାଞ୍ଚଳରୁ ଏକ ଦାନ୍ତବହିନ ଦନ୍ତହାତୀର ମୃତଦେହ ଠାବ ହୋଇଥିଲା। ହାତୀକୁ ମାରି ଦାନ୍ତ ଲୁଟିଥିବା ଘଟଣାରେ ୩୪ଜଣ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ବନବିଭାଗ ଅଟକ ରଖି ହେପାଜତରେ ତଦନ୍ତ ଚଳାଇଥିଲା। ଏହି ସମୟରେ ବଡ଼ମ୍ବା ସାତଗୋଛିଆ ଗ୍ରାମର ଧନେଶ୍ୱର ବେହେରା(୫୯)ର ହେପାଜତରେ ମୃତ୍ୟୁ ହୋଇଥିଲା।

ପୁଲିସ ଏହି ଘଟଣାରେ ସଂପୃକ୍ତ ବଡ଼ମ୍ବା ବନାଞ୍ଚଳ ଅଧିକାରୀଙ୍କ ସମେତ ୨ ବନରକ୍ଷୀ ଏବଂ ୩ଜଣ ବନପାଳଙ୍କୁ ମିଶାଇ ୬ଜଣ ବନକର୍ମଚାରୀଙ୍କୁ ଗିରଫ କରିଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହୋଇଯିବାପରେ ପୁଲିସ ସମସ୍ତ ୬ଜଣଙ୍କୁ ଜେଲ ପଠାଇ ଦେଇଥିଲେ। ଏବେ ବନାଞ୍ଚଳ ଅଧିକାରୀଙ୍କ ସମେତ ୨ ବନରକ୍ଷୀ ଏବଂ ୩ ବନପାଳଙ୍କୁ ମିଶାଇ ୬ ବନକର୍ମଚାରୀ ଜେଲରେ ଅଛନ୍ତି। ସେମାନେ ଜେଲ ଯିବା ପରେ ବଡ଼ମ୍ବା ବନାଞ୍ଚଳରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି। ଏହାର ସୁଯୋଗ ନେଇ କାଠ ଲୁଟେରା ଏବଂ ବନ୍ୟଜନ୍ତୁ ଶିକାରୀ ସକ୍ରିୟ ହୋଇଉଠିଥିବା ସୂଚନା ମିଳିଛି।

ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସଂରକ୍ଷିତ ଜଙ୍ଗଲୁ ଗତ ୧୫ଦିନ ମଧ୍ୟରେ ଲକ୍ଷାଧିକ ଟଙ୍କାର ଶାଳ-ଶାଗୁଆନ ଗଛ କଟାଯାଇ ଲୁଟ ହୋଇଥିବା ଖବର ମିଳିଛି। ବିଶେଷକରି ବନାଞ୍ଚଳ ଅନ୍ତର୍ଗତ ଗୁଣ୍ଡଦ୍ୱାର ଗ୍ରାମ ସଂଲଗ୍ନ ଏକ ଶାଳବଣିରୁ ଶତାଧିକ ଶାଳ ଏବଂ ଶାଗୁଆନ ଗଛ କଟାଯାଇଥିବା ଦେଖାଯାଇଛି।

Comments are closed.