ଓଡ଼ିଶାରେ ପ୍ରଥମ କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ସଫଳ

କଟକ : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏସସିବିଏମସିଏଚ୍‌) ଇତିହାସରେ ଆଉ ଏକ ନୂଆଫର୍ଦ ଯୋଡିହୋଇଛି। ରାଜ୍ୟର ପ୍ରଥମ ସରକାରୀ ମେଡିକାଲଭାବେ ଏସ୍‍ସିବିରେ ପ୍ରଥମଥର ଲାଗି କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହିତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ମସ୍ତିଷ୍କ ମୃତ(ବ୍ରେନ ଡେଡ) ଘୋଷିତ ଜଣେ ମହିଳାଙ୍କ କିଡନୀ ଅଣାଯାଇ କିଡ୍‌ନୀ ହରାଇଥିବା ଜଣେ ପୁରୁଷ ରୋଗୀଙ୍କୁ ବଞ୍ଚାଇବାକୁ ଏସ୍‌ସିବିର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ସହାୟତାରେ କିଡନୀ ପ୍ରତିରୋପଣ କରାଯାଇଥିଲା। ସୋମବାର ମଧ୍ୟରାତିରେ ଦୀର୍ଘ ୭ଘଣ୍ଟା ଧରି ଡାକ୍ତରୀ ଦଳ ଏହି ଅ​‌େ​‌ସ୍ତ୍ରାପଚାର କରିଥିଲେ। ସାଧାରଣତଃ ଜଣେ ମୃତବ୍ୟକ୍ତିଙ୍କ ଠାରୁ ଅଣାଯାଇଥିବା ଅଙ୍ଗକୁ ଅନ୍ୟଜଣଙ୍କ ଠାରେ ପ୍ରତିରୋପଣ କରାଯିବା ବ୍ୟବସ୍ଥାକୁ ଡାକ୍ତରୀ ଭାଷାରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ କୁହାଯାଏ। ଏଥିପାଇଁ ପ୍ରଥମେ କାଡାଭେରିକ ଡୋନର୍‌ଙ୍କୁ ଚିହ୍ନଟ କରାଯାଇଥାଏ। ତା’ ପରେ ତାଙ୍କର ଆନୁସଙ୍ଗିକ ପରୀକ୍ଷା ନିରୀକ୍ଷା କରାଯାଇ ବିଳମ୍ବିତ ରାତିରେ ଆପୋଲୋ ହସ୍ପିଟାଲରୁ ମୃତ ମହିଳାଙ୍କ ଶରୀରୁ କିଡନୀ କଢାଯାଇ ଏସସିବିକୁ ଅଣାଯାଇଥିଲା। ଭୋର ପ୍ରାୟ ୫ଟାରେ ଏସସିବିରେ କିଡନୀ ପ୍ରତିରୋପଣ ଆରମ୍ଭ ହୋଇଥିଲା। ପ୍ରାୟ ୨ଘଣ୍ଟାରୁ ଅଧିକ ସମୟ ଅକ୍ଳାନ୍ତ ପରିଶ୍ରମ ପରେ କିଡନୀ ପ୍ରତିରୋପଣ ପ୍ରକ୍ରିୟା ଶେଷ ହୋଇଥିଲା। ସେହିପରି ପ୍ରିୟଙ୍କାଙ୍କର ଅନ୍ୟ ଏକ କିଡ୍‌ନୀ ଆପୋଲୋରେ ଚିକିତ୍ସିତ ହେଉଥିବା ଜଣେ ବୟସ୍କ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯାଇଛି। ପ୍ରତିରୋପଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ତାଙ୍କ ପୁଅ ‘ସମାଜ’କୁ କହିଛନ୍ତି।

ସୂଚନା ଅନୁସାରେ, ଜାନୁଆରୀ ୨୭ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ର(୨୨) ଗୁରୁତର ଆହତ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୋମବାର ରାତିରେ ଆପୋଲୋ ଡାକ୍ତରୀ ଦଳ ପ୍ରିୟଙ୍କାଙ୍କ ବ୍ରେନ୍‌ ଡେଡ୍‌ (ମସ୍ତିଷ୍କ ମୃତ) ହୋଇଥିବା ପରିବାରବର୍ଗଙ୍କୁ ସୂଚନା ଦେଇଥିଲେ। ଝିଅର ମୃତ ସୂଚନା ପରେ ପରିବାର ଲୋକେ ପ୍ରିୟଙ୍କାଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଥିଲେ। କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥାରେ ପ୍ରିୟଙ୍କାଙ୍କ କିଡ୍‌ନୀ ଅନ୍ୟ ବ୍ୟକ୍ତିର ଶରୀରରେ ସ୍ଥାପନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କଟକ ବଡ଼ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ଏସସିବିରେ କିଡନୀ ପ୍ରତିରୋପଣ ହେଉଥିବାରୁ ସୋମବାର ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲର ମୂତ୍ରଶଲ୍ୟ ବିଭାଗର ବିଭାଗୀୟ ମୁଖ୍ୟ
ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା ଏବଂ କିଡନୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କରଙ୍କ ନେତୃତ୍ବରେ ଏକ ଡାକ୍ତରୀଦଳ ଆପୋଲୋ ହସ୍ପିଟାଲରେ ପହଞ୍ଚି ପ୍ରିୟଙ୍କାଙ୍କ ଶରୀରରୁ କିଡ୍‌ନୀ କାଢ଼ିଥିଲେ। ରାତି ପ୍ରାୟ ୨ଟା ୩୦ରେ ପ୍ରିୟଙ୍କାଙ୍କ ଶରୀରରୁ କିଡନୀ କାଢିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨ଘଣ୍ଟା ଧରି ଅ​‌େ​‌ସ୍ତ୍ରାପଚାର କରାଯାଇ ପ୍ରିୟଙ୍କାଙ୍କ ଶରୀରୁ କିଡନୀ କଢାଯାଇଥିଲା।

ସ୍ବାସ୍ଥ୍ୟ ବିଭାଗର ଅନୁମତି ପରେ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବାକୁ ଏସସିବିରେ ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି ଶେଷ କରି ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଆପୋଲୋ ହସ୍ପିଟାଲ ଯାଇଥିଲେ। ସେଠାରେ ଆପୋଲୋ ଡାକ୍ତରୀ ଟିମ୍‌ ସହାୟତାରେ ମୃତ ପ୍ରିୟଙ୍କାଙ୍କ ଶରୀରରୁ କିଡ୍‌ନୀ କଢ଼ାଯାଇଥିଲା। ତାହାକୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏସସିବିକୁ ଅଣାଯାଇଥିଲା। ମୂତ୍ରଶଲ୍ୟ ବିଭାଗରେ କିଡନୀ ପ୍ରତିରୋପଣ ପାଇଁ ୱାର୍ଡରେ ଥିବା ବରଗଡ ଜିଲା ଅତାବିରା ଅଞ୍ଚଳର ଫିରୋଜ ସାହୁ(୨୭)ଙ୍କ ଶରୀରରେ ଏହି କିଡନୀ ପ୍ରତିରୋପଣ କରାଯାଇଥିଲା। କିଡନୀ ପ୍ରତିରୋପଣ ପରେ ଫିରୋଜଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି। ବର୍ତ୍ତମାନ ତାଙ୍କୁ ଆଇସିୟୁରେ ୪୮ଘଣ୍ଟା ପର୍ଯ୍ୟନ୍ତ ଅନୁଧ୍ୟାନରେ ରଖାଯାଇଛି। ଏହା ପରେ ତାଙ୍କର ଆନୁସଙ୍ଗିକ ଚିକିତ୍ସା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସାଧାରଣତଃ ଜଣେ ବ୍ୟକ୍ତିର କିଡ୍‌ନୀ କଢ଼ାଯିବା ପରେ ତାହା ୫ ଘଣ୍ଟା ଭିତରେ ହିଁ ଅନ୍ୟଜଣକ ଶରୀରରେ ପ୍ରତିରୋପଣ କରାଯାଇଥାଏ। କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ପଦ୍ଧତିରେ ଜଣେ ମୃତ ବ୍ୟକ୍ତିଙ୍କଠାରୁ କିଡ୍‌ନୀ(ବୃକକ୍), ଲିଭର (ଯକୃତ), ହାର୍ଟ (ହୃତ୍‌ପିଣ୍ଡ), ଲଙ୍ଗ୍‌ସ (ଫୁସ୍‌ଫୁସ୍‌), ଆଇ (ଚକ୍ଷୁ), ପାନ୍‌କ୍ରିୟା (ଅଗ୍ନାଶୟ) ଆଦି ୬ଟି ଅଙ୍ଗର ପ୍ରତିରୋପଣ କରାଯାଇଥାଏ। ଏସସିବିରେ କେବଳ କିଡ୍‌ନୀ ପ୍ରତିରୋପଣ ବ୍ୟବସ୍ଥା ରହିଛି। ଏଠାରେ ସଂପର୍କୀୟ ତଥା ଜୀବନ୍ତ ବ୍ୟକ୍ତିଙ୍କଠାରୁ କିଡ୍‌ନୀ ପ୍ରତିରୋପଣ କରାଯାଉଥିବାବେଳେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ (ମୃତ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ଆଣି ଜୀବିତ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରିବା) ପ୍ରଥମ ଘଟଣା।

ପ୍ରକାଶଥାଉକି, ସୁରତରେ ଓଡ଼ିଆ ଯୁବକ ସୁରଜ ସେଠୀଙ୍କ ଦୁର୍ଘଟଣାରେ ମୃତ୍ୟୁଘଟିବା ପରେ ତାଙ୍କ ପରିବାର ଲୋକେ ଅଙ୍ଗପ୍ରତ୍ୟଙ୍ଗ ଦାନ ଲାଗି ଆଗ୍ରହ ଦେଖାଇଥିଲେ। ଫଳରେ ୭ ଜଣଙ୍କ ଜୀବନ ବଞ୍ଚିପାରିଥିଲା। ଓଡ଼ିଶା ସରକାର ସୁରଜଙ୍କ ପରିବାରକୁ ଏଭଳି ମହନୀୟ କାର୍ଯ୍ୟ ଲାଗି ୫ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଓ ପରିବାରକୁ ବିଜୁ କୁଡ଼ିଆ ଯୋଜନାରେ ସାମିଲ କରିଥିଲେ। ଏଥିସହିତ ପ୍ରତ୍ୟେକ ବର୍ଷ ସୁରଜଙ୍କ ନାମରେ ଅଙ୍ଗଦାନ ପ୍ରୋତ୍ସାହନ ପାଇଁ ପୁରସ୍କାର ଦେବାକୁ ଘୋଷଣା କରିଥିଲେ।

Comments are closed.