ସୁରାଟ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲେ ୧୬ ଛାତ୍ର

ଗାନ୍ଧୀନଗର : ଗୁଜୁରାଟର ସୁରାଟସ୍ଥିତ ତକ୍ଷଶିଳା କମ୍ପେ୍ଲକ୍ସରେ ଶୁକ୍ରବାର ଅପରାହ୍ନଣରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୬ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡର ସଠିକ୍‍ କାରଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା କୁହାଯାଉଛି।
ସୂଚନା ଅନୁସାରେ ତକ୍ଷଶିଳା କମ୍ପେ୍ଲକ୍ସରେ ଚତୁର୍ଥ ମହଲାରେ ଏକ କୋଚିଂ ସେଣ୍ଟର ଚାଲୁଥିଲା। କୌଣସି କାରଣରୁ କୋଚିଂ ସେଣ୍ଟରରେ ଅପରାହ୍ଣରେ ନିଆଁ ଲାଗିଯାଇଥିଲା। ଏଥିରେ ୧୬ ଜଣ ଛାତ୍ର ଜଳି ଯାଇଥିଲେ। କିଛି ଛାତ୍ରଛାତ୍ରୀ କୋଠାରୁ ତଳକୁ ଡେଇଁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। କୋଚିଂ ସେଣ୍ଟରରେ କେତେ ଜଣ ଛାତ୍ରଛାତ୍ରୀ ଥିଲେ ଓ କେତେ ଜଣ ତଳକୁ ଡେଇଁ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି । ସେ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହ ସେ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ।

Comments are closed.