ବାଂଲାଦେଶ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଅଗ୍ନିକାଣ୍ଡ; ଜଳିଗଲା ୧୨୦୦ ଘର

ଢାକା: ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାୟ ୧୨୦୦ ପରିବାରର ଘର ପୋଡି ପାଉଁଶ ହୋଇଯାଇଛି । ରବିବାର ଦିନ ଏହି ଅଗ୍ନି ଦୁର୍ଘଟଣା ଘଟିଥିବା ବାଂଲାଦେଶ ପୁଲିସ ସୂତ୍ରରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ବାଂଲାଦେଶର କକ୍ସ ବଜାର ନିକଟ ମ୍ୟାଁମାର ସୀମାନ୍ତରେ ପ୍ରାୟ ୮୫୦,୦୦୦ ସଂଖ୍ୟାରେ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରଗୁଡିକର ବାସ କରୁଛନ୍ତି । ରବିବାର ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୪.୪୦ରେ ଶରଣାର୍ଥୀ ଶିବିରରେ ନିଆଁ ଲାଗିଥିଲା । ଅଗ୍ନିଶମ କର୍ମଚାରୀମାନେ ଆପ୍ରାଣ ଉଦ୍ୟମ କରି ସଂଧ୍ୟା ପ୍ରାୟ ୬.୩୦ ସୁଦ୍ଧା ନିଆଁକୁ ଆୟତ୍ତ କରିଥିଲେ । ଏହା ପୂର୍ବରୁ ଗତବର୍ଷ ମାର୍ଚ୍ଚ ମାସରେ ବିଶ୍ୱର ଏହି ସର୍ବବୃହତ ଶରଣାର୍ଥୀ ଶିବିରରେ ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୫୦ ହଜାର ଲୋକ ବାସହୀନ ହୋଇପଡିଥିଲେ । ମ୍ୟାଁମାରରେ ଅତ୍ୟାଚାରିତ ଏହି ରୋହିଙ୍ଗ୍ୟାମାନଙ୍କୁ ବାଂଲାଦେଶ ଆଶ୍ରୟ ଦେଇଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ବାସଗୃହ ଯୋଗାଇଦେବାରେ ଏପର୍ଯ୍ୟନ୍ତ ସମର୍ଥ ହୋଇନାହିଁ । ଫଳରେ ଅସ୍ଥାୟୀ ଘରେ ସଂକୀର୍ଣ୍ଣ ପରିବେଶରେ ଗଢି ଉଠିଥିବା ଏହି ଶିବିରଗୁଡିକରେ ବାରମ୍ବାର ଅଗ୍ନି ଦୁର୍ବିପାକ ଘଟୁଛି ।

Comments are closed.