ମନ୍ତ୍ରୀ ଝିଅଙ୍କ ନାଁରେ ରୁଜୁ ହେଲା କୋବିଦ ନିୟମ ଭଙ୍ଗ ମାମଲା

ଝାରସୁଗୁଡ଼ା: କୋବିଦ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କ ବିରୋଧରେ ଏତଲା ଦେଲା ଝାରସୁଗୁଡ଼ା ପ୍ରଶାସନ । ଝାରସୁଗୁଡ଼ା ପୌରପରିଷଦ ଅଧିକାରୀ ତଥା କୋବିଦ ୧୯ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ଝାରସୁଗୁଡ଼ା ଥାନାରେ ଏତଲା ଦେଇଛନ୍ତି । ଏଥିରେ ଦୀପାଳିଙ୍କ ସମେତ ଆଉ କିଛି ବ୍ୟକ୍ତିଙ୍କ ନାମ ମଧ୍ୟ ସଂଲଗ୍ନ କରାଯାଇଛି । ଏହା ପୂର୍ବରୁ କଂଗ୍ରେସ ପକ୍ଷରୁ ଦୀପାଳିଙ୍କ ବିରୋଧରେ ଏତଲା ଦିଆଯାଇଥିଲା । ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ଝିଅକୁ ପ୍ରତିନିଧି ଭାବରେ ଦେଇଥିବା ନିଯୁକ୍ତିକୁ ମଧ୍ୟ ପ୍ରତ୍ୟାହାର କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ମନ୍ତ୍ରୀ ନବ ଦାସଙ୍କ ବାପା ଓ ମାଙ୍କ ନାମରେ ଗଠିତ ଏକ ସ୍ବେଚ୍ଛାସେବୀ ସଙ୍ଗଠନର ବୈଠକ ଗତ ୨୨ ତାରିଖରେ ଝାରସୁଗୁଡ଼ା ଡ଼ିଆରଡ଼ିଏ କନ୍ଫରେନ୍ସ ହଲରେ କରାଯାଇଥିଲା । ଏହାର ଆୟୋଜନ ଦୀପାଳି କରିଥିଲେ ଏବଂ ଏହି ବୈଠକରେ ସରକାରଙ୍କ କୋବିଦ ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଥିଲା । କରୋନା ସମୟରେ ସଭାସମିତି କରାଯିବା ଉପରେ ସରକାରଙ୍କ ଅଙ୍କୁଶ ଥିବାବେଳେ ଦୀପାଳିଙ୍କ ଏହି କାର୍ଯ୍ୟକ୍ରମ ଆୟୋଜନକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିଲା ଓ ଥାନାରେ ଏତଲା ଦେଇଥିଲା । ଏହାପରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ଦାସ ନିଜ ନିର୍ବାଚନମଣ୍ଡଳୀରେ ତାଙ୍କ ପ୍ରତିନିଧି ରୂପେ ଦୀପାଳିଙ୍କୁ ଦେଇଥିବା ନିଯୁକ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି । ଗତ ଡ଼ିସେମ୍ବର ୨ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୀପାଳି ଦାସଙ୍କୁ ତାଙ୍କର ସରକାରୀ ପ୍ରତିନିଧି ଭାବରେ ନିଯୁକ୍ତି ନେଇ ଜିଲାପାଳଙ୍କୁ ଚିଠି କରାଯାଇଥିଲା । ମାତ୍ର ଏବେ ତାହାକୁ ପ୍ରତ୍ୟାହାର କରି ନିଆଯାଇଥିବା ମନ୍ତ୍ରୀ ଝାରସୁଗୁଡ଼ା ଜିଲା ପ୍ରଶାସନକୁ ଜଣାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.