ମନ୍ତ୍ରୀଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରାଯାଉ : ବିଜେପି

ଭୁୁବନେଶ୍ୱର : ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବିଜେପି ମହିଳା ମୋର୍ଚ୍ଚା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି। ମହିଳାମୋର୍ଚ୍ଚା ନେତ୍ରୀମାନେ ଏତଲା ଦେବାକୁ କ୍ୟାପିଟାଲ ଥାନା ଯାଇଥିବା ବେଳେ ସେମାନଙ୍କୁ ପୁଲିସ୍ ଅଟକାଇଥିଲା। ତେବେ ସେମାନେ ଥାନା ଭିତରକୁ ଧଶେଇ ପଶିଥିଲେ ଓ ନାରାବାଜି କରିଥିଲେ।
ମମିତା ମେହେର ହତ୍ୟାକଣ୍ଡରେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବାର ଯଥେଷ୍ଟ ପ୍ରମାଣ ସାମ୍ନାକୁ ଆସିଛି । ମୁଖ୍ୟ ଅଭିଯୁକ୍ତ ତଥା ସନସାଇନ ସ୍କୁଲର ସଂଚାଳକ ଗୋବିନ୍ଦ ସାହୁଙ୍କ ସହିତ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠ ସଂପର୍କ ଥିଲା ।  କଳା କାରନାମା ଏବଂ ଏହି କାରନାମାରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସମେତ ବହୁ ପ୍ରଭାବଶାଳୀ ମନ୍ତ୍ରୀ, ନେତା ଓ ଅଧିକାରୀଙ୍କ ସଂପୃକ୍ତି ବିଷୟରେ ଜାଣିଦେଇଥିବାରୁ ଷଡଯନ୍ତ୍ର କରାଯାଇ ହତ୍ୟା କରାଯାଇଛି ବୋଲି ମୃତ ମମିତାଙ୍କ ପରିବାରର ସ୍ପଷ୍ଟ ଅଭିଯୋଗ ସତ୍ୱେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତଦନ୍ତ କରିବା ପରିବର୍ତେ ସୁରକ୍ଷା ପ୍ରଦାନ କରାଯାଉଛି ।
ସମସ୍ତ ତଥ୍ୟକୁ ବିଚାର କଲେ ଏହା ସ୍ପଷ୍ଟ ହେଉଛି ଯେ, ଏଭଳି ଘୃଣ୍ୟ ଓ ଅନୈତିକ କାର୍ଯ୍ୟକଳାପର ଖୁଲାସା ହୋଇଯିବା ଭୟରେ ପୂର୍ବ ଯୋଜନା ଅନୁଯାୟୀ ଷଡଯନ୍ତ୍ର ରଚାଯାଇ ମମିତାଙ୍କୁ ହତ୍ୟା କରାଯାଇଛି । ଗୋବିନ୍ଦ ସାହୁ ଅଭିଯୁକ୍ତ ହେଲେ; ମନ୍ତ୍ରୀ ଶ୍ରୀ ମିଶ୍ର ହେଉଛନ୍ତି ମମିତା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ । ତେଣୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଗିରଫ କରାଯାଇ ତଦନ୍ତ ପରିସରଭୁକ୍ତ କରିବାକୁ ବିଜେପି ମହିଳା ମୋର୍ଚ୍ଚା ତରଫରୁ କ୍ୟାପିଟାଲ ଥାନାରେ ଏଫଆଇଆର ରୁଜୁ କରାଯାଇଛି।
ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପ ସଭାପତି ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଉପସଭାନେତ୍ରୀ ନିରୋଜ ନଳିନୀ ମହାଲିକ, କସ୍ତୁରୀ ମିଶ୍ର, ରାଜ୍ୟ ସଂପାଦିକା ଇତିଶ୍ରୀ ଜେନା, ରଶ୍ମୀରେଖା ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନସ୍ମିତା ଖୁଣ୍ଟିଆ, ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର ପ୍ରମୁଖ ସାମିଲ ଥିଲେ।

Comments are closed.