ମନ୍ତ୍ରୀ ଝିଅଙ୍କ ନାଁରେ ଏତଲା; କୋବିଦ କଟକଣା ଭାଙ୍ଗିଥିବା ଅଭିଯୋଗ

ଝାରସୁଗୁଡ଼ା: କୋବିଦ ଆଇନ ଭାଙ୍ଗିବା ଅଭିଯୋଗରେ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ନାଁରେ ହୋଇଛି ଏତଲା । ଝାରସୁଗୁଡ଼ା ଜିଲା କଂଗ୍ରେସ କମିଟି ପକ୍ଷରୁ ଦୀପାଳିଙକ ବିରୋଧରେ ଝାରସୁଗୁଡ଼ା ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ହୋଇଛି ଯେ ମନ୍ତ୍ରୀ ନବ କିଶୋର ଦାସ ଙ୍କ ମାତା ଓ ପିତାଙ୍କ ନାମରେ ଗଠିତ ଟ୍ରଷ୍ଟ ନରସିଂହ-ବିଷ୍ଣୁପ୍ରିୟା ଟ୍ରଷ୍ଟ ପକ୍ଷରୁ ଗତ ୨୨ ତାରିଖରେ ଝାରସୁଗୁଡ଼ା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋବିଦ କଟକଣାକୁ ଉଲ୍ଲଙ୍ଘନ କରାଯାଇଥିଲା । ଆଜି ଜିଲା କଂଗ୍ରେସ ପକ୍ଷରୁ ମହେନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଝାରସୁଗୁଡା ଥାନାକୁ ଯାଇ ଲିଖିତ ଭାବେ ଦୀପାଳିଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି। ଏହାସହ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି କଂଗ୍ରେସ।

ଗୋଟିଏ ପଟେ କରୋନା ମୁକାବିଲା ସମୟରେ ବହୁ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର । ପ୍ରଶାସନ ପକ୍ଷରୁ ସରକାରୀ କାର୍ଯ୍ୟାଳୟ ରେ କୌଣସି ସଭା ସମିତିକୁ ଅନୁମତି ଦେଉ ନଥିବା ବେଳେ ଏକ ବେସରକାରୀ ସଂସ୍ଥା କୁ କିଭଳି ଭାବେ ସରକାରୀ କାର୍ଯ୍ୟାଳୟରେ ସଭା ଆୟୋଜନ ପାଇଁ ଅନୁମତି ଦିଆଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ରାଜନୈତିକ ଚାପରେ ପ୍ରଶାସନିକ ସ୍ତରରୁ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସୁଯୋଗ ଦେଇଥିବାରୁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଜିଲ୍ଲା କଂଗ୍ରେସ ।

Comments are closed.