ବେଆଇନ ଗୋ ହତ୍ୟା ବିରୋଧରେ ଧନୁପାଲି ଥାନାରେ ଏତାଲା

ଗୋ ହତ୍ୟାକାରୀ ମାନଙ୍କୁ ଗିରଫ ଦାବି

ସମ୍ବଲପୁର : ସମ୍ବଲପୁରରେ ବେଆଇନ ଭାବରେ ଗୋ ହତ୍ୟା ବିରୋଧରେ ବିଗତ କିଛି ମାସ ହେବ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଓ ଅନ୍ୟାନ୍ୟ ସଙ୍ଗଠନ ମାନେ ସ୍ୱର ଉତ୍ତୋଳନ ଜାରି ରଖିଛନ୍ତି। ଏହି କ୍ରମରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ସଭାପତି ଗିରିଶ ପଟେଲ ଧନୁପାଲି ଗୋ ସୁରକ୍ଷା ଦାବିରେ ଗୋ ହତ୍ୟାକାରୀ ଓ ଅବୈଧ କଂସେଇଖାନା ଗୁଡିକ ବିରୋଧରେ ଧନୁପାଲି ଥାନାରେ ଏତାଲା ଦେଇଛନ୍ତି। ଶନିବାର ପୂର୍ବାହ୍ନରେ ସମିତି ସଭାପତି ଶ୍ରୀ ପଟେଲ ଧନୁପାଲି ଥାନାକୁ ଯାଇ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଏହି ଥାନା ଅନ୍ତର୍ଗତ ସୁନାପାଲି ଓ ମୋତିଝରନ ଅଞ୍ଚଳରେ ନିୟମିତ ବେଆଇନ ୨୦ଟି କଂସେଇଖାନା ଗୁଡିକରେ ଗୋ ହତ୍ୟା କରଯାଉଛି, ଯାହାକି ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି। ଓଡ଼ିଶାରେ ଗୋ ହତ୍ୟା ବିରୋଧରେ କଠୋର ଆଇନ ରହିଥିବା ବେଳେ ବିଗତ ଦିନରେ କୁର୍ବାନୀ ଦିନ ଓ ଆଗାମୀ ଦିନରେ ଗୋ ହତ୍ୟାକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଦୃଢ଼ ପ୍ରତିଶୃତି ଦେଇଥିବାରୁ ସମିତି ପକ୍ଷରୁ ଆନ୍ଦୋଳାନାତ୍ମକ କାର୍ଯ୍ୟକ୍ରମ ଗୁଡିକୁ ସ୍ଥଗିତ ରଖାଯାଇଥିଲା। ଏହା ସତ୍ୱେ କୁର୍ବାନୀ ଦିନ ମୋତିଝରନ ଓ ସୁନାପାଲି ଅଞ୍ଚଳରେ କିଛି ବ୍ୟକ୍ତି ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିଶୃତିକୁ ବେଖାତିର କରି ଏବଂ ଆଇନକୁ ଅସମ୍ମାନ ଜଣାଇ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ଷଡଯନ୍ତ୍ର କରି ଘର ଭିତରେ ଗୋ ହତ୍ୟା କରିଛନ୍ତି। ଶୁକ୍ରବାର ସକାଳ ସମୟରେ ସୁନାପାଲି ଓ ମୋତିଝରନ ଅଞ୍ଚଳରେ ରାସ୍ତା ବୁଲୁଥିବା ଗାଈ ଚୋରି କରି ଆଣି ଗୋ ହତ୍ୟା କରାଯାଇଛି, ଯାହାର ପ୍ରମାଣ ଓ ଗୋ ହତ୍ୟାକାରୀଙ୍କ ନାମ ଆଦି ଧନୁପାଲି ଥାନା ଓ ପ୍ରଶାସନକୁ ଦିଆଯାଇଛି। ଏଣୁ ଏହି ଘଟଣା ଲୋକଙ୍କ ଧାର୍ମିକ ଭାବନାକୁ ଘୋର ଆଘାତ କରୁଥିବା ବେଳେ ଗୋ ମାତା ଉପରେ ବର୍ବର ଅତ୍ୟାଚାର, ଗାଈ ଚୋରିକରି ଆଣି ହତ୍ୟା କରିବା, ଆଇପିସି ଧାରା – ୪୨୯ର ବିରୋଧ, ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ପାଇଁ ଷଡଯନ୍ତ୍ର କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି। ସମିତି ସଭାପତି ଶ୍ରୀ ପଟେଲ ଥାନାରେ ଏତାଲା ଦେବା ସମୟରେ ସତ୍ୟନାରାୟଣ ପଣ୍ଡା, ପ୍ରଦୀପ ବହିଦାର, କର୍ଣ୍ଣେଲ ପ୍ରଭାତ ପଣ୍ଡା, ରାଜୀବ ଶତପଥୀ, ଦାମୋଦର କର, ଦେବେନ୍ଦ୍ର ମହାପାତ୍ର, ସୁଧିର ବହିଦାର, ସରୋଜ ଘଡେଇ, ଶ୍ୟାମଳ ବିଶ୍ୱାସ, ଦେବାଶିଷ ପୁରୋହିତ, ପ୍ରଦୀପ ବେହେରା, ନନ୍ଦକିଶୋର ମିଶ୍ରଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ରହିଥିଲେ।

Comments are closed.