ଆସାମ ମୁଖ୍ୟମନ୍ତ୍ରୀ, ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମରେ ଏତଲା ଦାଏର

ଆସାମର ଅଭିଯୋଗ- ମିଜୋରାମ ସରକାର ଜନସାଧାରଣଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଛନ୍ତି

ନୂଆଦିଲ୍ଲୀ: ଆସାମ ଓ ମିଜୋରାମ ମଧ୍ୟରେ ଜୁଲାଇ ୨୬ ତାରିଖରେ ଘଟିଥିବା ଘଟଣା ପରବର୍ତ୍ତୀ ସମୟରେ ଉତ୍ତେଜନା ବୃଦ୍ଧିପାଇବାରେ ଲାଗିଛି। ମିଜୋରାମ ସରକାରଙ୍କ ପକ୍ଷରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ରାଜ୍ୟର ପୁଲିସ ମହାନିରୀକ୍ଷକ, ଉପ ମହାନିରୀକ୍ଷକ ଏବଂ ଉପାୟୁକ୍ତଙ୍କ ସମେତ ମୋଟ ୭ ଜଣଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଜୁଲାଇ ୨୬ରେ ଦୁଇ ରାଜ୍ୟ ସୀମାନ୍ତରେ ଘଟିଥିବା ସଂଘର୍ଷରେ ୬ ଜଣ ପ୍ରାଣ ହରାଇଥିବାବେଳେ ଉଭୟ ପକ୍ଷରୁ ୧୦୦ରୁ ଅଧିକ ଆହତ ହୋଇଥିଲେ।

ମିଜୋରାମ ସରକାରଙ୍କ ପକ୍ଷରୁ ଆସାମ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ହତ୍ୟା ଓ ଅପରାଧମୂଳକ ଷଡଯନ୍ତ୍ର ଅଭିଯୋଗ ଅଣାଯାଇଛି। ଏଥିସହିତ ଆସାମର ପ୍ରାୟ ୨୦୦ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ମିଜୋରାମ ଏହିଭଳି ଏତଲା ଦାଏର କରିଛି। ଅବଶ୍ୟ ସେଥିରେ କାହାକୁ ଚିହ୍ନଟ କରାଯାଇନାହିଁ। ମିଜୋରାମସ୍ଥିତ ବହୁ ସଂଗଠନ ସୀମାନ୍ତ ଘଟଣା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଦାୟୀ କରିଛନ୍ତି ଏବଂ ସେଥିରେ ସେ ମୁଖ୍ୟ ଭୂମିକା ନେଇଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ ଆସାମ ପୁଲିସ ପକ୍ଷରୁ ମିଜୋରାମ ରାଜ୍ୟସଭା ସଦସ୍ୟ ଏବଂ ଛଅଜଣ ରାଜ୍ୟ ଅଧିକାରୀଙ୍କୁ ସମନ ପଠାଯିବା ପରେ ତାହାର ପ୍ରତିକ୍ରିୟାରେ ମିଜୋରାମ ଏଭଳି ପଦକ୍ଷେପ ନେଇଛି। ଇତିମଧ୍ୟରେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମ ଥାଙ୍ଗା ସୀମା ବିବାଦର ଶାନ୍ତିପୂଣ୍‍ର୍ଣ ସମାଧାନ ପାଇଁ ଆହ୍ୱାନ ଦେଇଛନ୍ତି। ପୂର୍ବରୁ ମଧ୍ୟ ସେ ଦୁଇ ରାଜ୍ୟର ସୀମାରେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ।

ଅନ୍ୟପକ୍ଷରେ ଆସାମର କାଚାର ଉପାୟୁକ୍ତ କୀର୍ତ୍ତି ଜାଲ୍ଲି କହିଛନ୍ତି ଯେ ମିଜୋରାମ ସରକାର ସାଧାରଣ ନାଗରିକଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଛନ୍ତି। ସେମାନଙ୍କ ମଧ୍ୟରେ କେତେକ ପୂର୍ବତନ ଉଗ୍ରବାଦୀ ମଧ୍ୟ ରହିଛନ୍ତି। ମିଜୋରାମ ସୀମାନ୍ତ ଅଞ୍ଚଳରେ ନୂଆ ପୁଲିସ ପୋଷ୍ଟ ସ୍ଥାପନ କରିବାକୁ ସର୍ଭେ କରାଯିବା ସମୟରେ ଏହା ଜଣାପଡିଥିବା ସେ କହିଛନ୍ତି। ମିଜୋରାମ ପଟୁ ଅନୁପ୍ରବେଶ କରାଯାଉଥିବା ଅଭିଯୋଗ କରି ଉପାୟୁକ୍ତ ଶୁକ୍ରବାର କହିଛନ୍ତି ଯେ ଉକ୍ତ ରାଜ୍ୟ ଆସାମ ସୀମା ମଧ୍ୟରେ ସଡକ ନିର୍ମାଣ କରିବା ସହିତ ଜଙ୍ଗଲ ମଧ୍ୟରେ ଶିବିର ସ୍ଥାପନ କରିଛି। ମିଜୋରାମର ଏହି ଅଭିଯାନ ରୋକିବାକୁ ସେମାନେ ଉଦ୍ୟମ କରୁଥିବା ଉପାୟୁକ୍ତ କହିଛନ୍ତି। ଇତିମଧ୍ୟରେ ଦଳମତ ନିର୍ବିଶେଷରେ ଆସାମର ବିଧାୟକମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପ୍ରତି ସୀମା ବିବାଦ ପ୍ରସଙ୍ଗରେ ସେମାନଙ୍କର ସମର୍ଥନ ଜଣାଇଛନ୍ତି।

Comments are closed.