ନୂଆ ଷ୍ଟାଇଲରେ ତହସିଲଦାରଙ୍କ ଚଢାଉ, ୫ ବାଲି ବୋଝେଇ ଟ୍ରାକ୍ଟରରୁ ଜୋରିମାନା ଆଦାୟ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ପୁରୁଣାକଟକ ଆରଆଇ ସର୍କଲର ବୁରୁବୁଡା ଅଞ୍ଚଳରୁ ବୁଧୁବାର ହରଭଙ୍ଗା ତହସିଲଦାର ହରିଓମ ଭୋଇ ଚଢାଉ କରି ବାଲି ଚୋରା ଚାଲାଣ କରୁଥିବା ୫ଟି ଟ୍ରାକ୍ଟରରୁ ଜରିମାନା ଆଦାୟ କରିଥିବା ଜଣାପଡିଛି। ପ୍ରକାଶ ଯେ, ଧଳପୁର ମହାନଦୀ ଘାଟରୁ ବାଲି ଚୋରାଚାଲାଣ ହେଉଥିବା ଖବର ପାଇ ଆଜି ସକାଳୁ ତହସିଲଦାର ଶ୍ରୀ ଭୋଇ ନିଜ ବାଇକରେ ବାହାରି ପୁରୁଣାକଟକ ଧଲପୁର ରାସ୍ତାରେ ଚଢାଉ ପାଇଁ ବାହାରିଥିଲେ। ଏହି ସମୟରେ ବୁରୁବୁଡା ଠାରେ ୫ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରି ୨୫ହଜାରଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି। ତହସିଲଦାରଙ୍କ ନୂଆ ରଣନୀତି ଯୋଗୁଁ ଟ୍ରାକ୍ଟରଗୁଡିକ ଚଢାଉ ସମ୍ପର୍କରେ କୌଣସି ପୂର୍ବ ସୂଚନା ପାଇପାରି ନ ଥିଲେ। ତହସିଲଦାରଙ୍କ ବାଇକ ଯୋଗେ ନୂଆ ଷ୍ଟାଇଲରେ ଚଢାଉକୁ ନେଇ ସାରା ବ୍ଲକରେ ଚର୍ଚ୍ଚା ଜୋରଧରିଛି। ଶେଷରେ ଖବରପାଇ ପୁରୁଣାକଟକ ଆରଆଇ ନିଶିକାନ୍ତ ମେହେର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

Comments are closed.