ତହସିଲ ଏବଂ ଥାନା ପକ୍ଷରୁ ମିଳିତ ଯାଞ୍ଚ, ୭୩୦୦ଟଙ୍କା ଜରିମାନା ଆଦାୟ

ବେଗୁନିଆ : ବେଗୁନିଆ ତହସିଲ କାର୍ୟ୍ୟାଳୟର ଅତିରିକ୍ତ ତହସିଲଦାର ଏବଂ ବେଗୁନିଆ ଥାନା ପୋଲିସ ପକ୍ଷରୁ ଆଜି ମିଳିତ ଭାବରେ ବିଭିନ୍ନ ସ୍ଥାନରେ ତୁଣ୍ଡି, ସାମାଜିକ ଦୂରତା ଏବଂ ଲକଡାଉନରେ ଥିବା ଧାର୍ୟ୍ୟ ସମୟ ପରେ ଦୋକାନ ବଜାର ଖୋଲା ରଖିଥିବା ଅମାନିଆଁମାନଙ୍କ ଉପରେ ଚଢ଼ାଉ କରି ୭୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଅତିରିକ୍ତ ତହସିଲଦାର ସନାତନ ଆଚାର୍ୟ୍ୟ, ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବେଗୁନିଆ ଆର ଆଇ ବିଜୟକୁମାର ମାର୍ଥ। ଏବଂ ବେଗୁନିଆ ଥାନାର ଏସଆଇ ଆଶୁତୋଷ ପାଇକରାୟ ଏବଂ କର୍ମଚାରୀମାନେ ବେଗୁନିଆ, ବଡ଼ବେରେଣା, ସିମୋର ବାଘମାରୀ, ଦୁର୍ଗାପୁର, ଗୋଡି ଏବଂ ଡାଳତୋଳାଠାରେ ତୁଣ୍ଡି ଯାଞ୍ଚ କରି ୧୫୦୦ ଟଙ୍କା ଏବଂ କୋଭିଡ ନିୟମ ଉଲ୍ଲଂଘନ କରି ଦିନ ୧୧ ଟା ପରେ ଗୋଡି, ବାଘମାରୀ ଓ ସିମୋରଠାରେ ଦୋକାନ ଖୋଲା ରଖିଥିବା, ସମ୍ପୃକ୍ତ ଦୋକାନରେ ସାମାଜିକ ଦୂରତା ନଥିବା ଅଭିଯୋଗରେ ୪ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହିତ ଗୋଡି ଏବଂ ଡାଳତୋଳାଠାରେ ଦୁଇଟି ଦୋକାନ ଖୋଲା ରଖିଥିବାରୁ ଜରିମାନା ଦେବା ସହ କୋଭିଡ ନିୟମ ଉଲଂଘନ କରିବେ ନାହିଁ ବୋଲି ଅଣ୍ଡରଟେକିଙ୍ଗ ଲେଖି ଦେଇଛନ୍ତି । ଆଜି ଯାଞ୍ଚ କାର୍ୟ୍ୟ ଚାଲିଥିବାବେଳେ ଖୋର୍ଦ୍ଧା ଏ ପି ଡି ବାଘମାରୀଠାରେ ପହଞ୍ଚି ଯାଞ୍ଚ ପ୍ରକ୍ରିୟାକୁ ତଦାରଖ କରି ବୋତଳମା ପର୍ୟ୍ୟନ୍ତ ଯାଇଥିଲେ। ଗତକାଲି ଅତିରିକ୍ତ ତହସିଲଦାର ଶ୍ରୀ ଆଚାର୍ୟ୍ୟ ତହସିଲ କର୍ମଚାରୀମାନଙ୍କ ସହାୟତାରେ ସିମୋର ,କୋଟପଲ୍ଲା ,ପୋଡାଡିହ ,ଦିନିଆରୀ ଏବଂ ତୁଳସୀପୁରଠାରେ ତୁଣ୍ଡି ଯାଞ୍ଚ କରି ୧୮୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି।

Comments are closed.