କରୋନା ଟିକା ପ୍ରସ୍ତୁତି ଓ ଉତ୍ପାଦନ କ୍ଷେତ୍ରରେ କେଉଁ ଦେଶ ଆଗରେ ଜାଣନ୍ତୁ….

ପୃଥିବୀର ଛଅ ଲକ୍ଷରୁ ଅଧିକ ଲୋକଙ୍କର ଜୀବନ ନେଇସାରିଥିବା କୋଭିଡ-୧୯ ଭୂତାଣୁଠାରୁ ମଣିଷକୁ ରକ୍ଷା କରିବାପାଇଁ କେଉଁ ଦେଶ କେତେଶୀଘ୍ର ଟିକା ପ୍ରସ୍ତୁତ ଓ ଉତ୍ପାଦନ କରିବ, ସେ ନେଇ ପ୍ରତିଯୋଗିତା ଚଳାଇଛନ୍ତି। ଆସନ୍ତୁ ଜାଣିବା କେଉଁ ଦେଶ ଏ କ୍ଷେତ୍ରରେ କେତେଦୂର ଅଗ୍ରଗତି କରିଛନ୍ତି..

ଭାରତ

ଭାରତରେ ସମ୍ପୂର୍ଣ୍ଣ ନିଜସ୍ବ ଜ୍ଞାନକୌଶଳରେ ବିକଶିତ ହେଉଥିବା କୋଭିଡ-୧୯ ଟିକା ‘କୋଭାକ୍ସିନ’ର ମାନବ ପରୀକ୍ଷଣ ଆରମ୍ଭ ହୋଇସାରିଛି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍) ଏମ୍‌ସ୍ ଦିଲ୍ଲୀ ଓ ଓଡ଼ିଶାର ସମ୍‌ ହସ୍‌ପିଟାଲ୍‌ ସମେତ ୧୨ଟି ସ୍ଥାନରେ ଏହି ମାନବ ପରୀକ୍ଷଣ ପାଇଁ ଅନୁମତି ଦେଇଛନ୍ତି। ମୋଟ ୩୭୫ ଜଣଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ପରୀକ୍ଷା କରାଯିବ।
ଅନ୍ୟପକ୍ଷରେ ଔଷଧ କମ୍ପାନୀ ଜାଇଡସ୍ କାଡିଲା ପକ୍ଷରୁ କୁହାଯାଇଛି ଯେ ତା’ର କୋଭିଡ-୧୯ ଟିକା ‘ଜାଇକଭ୍‌-ଡି’ର ମଧ୍ୟ ମାନବ ପରୀକ୍ଷଣ ଆରମ୍ଭ ହେବ। ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ହଜାରେ ଲୋକଙ୍କ ଉପରେ ଏହି ପରୀକ୍ଷା କରାଯିବ ବୋଲି କମ୍ପାନୀ କହିଛି।

ବ୍ରିଟେନ

କୋଭିଡ ଟିକା ବିକାଶ କ୍ଷେତ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଆଗରେ ରହିଛି ବ୍ରିଟେନ। ସେଠାକାର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଇମ୍ପେରିଆଲ୍‌ କଲେଜ୍‌ ଦ୍ବାରା ପ୍ରସ୍ତୁତ ଟିକା (ଏଜେଡ୍‌ଡି୧୨୨୨) ମାନବ ପରୀକ୍ଷଣର ଦ୍ବିତୀୟ/ତୃତୀୟ ପର୍ଯ୍ୟାୟରେ ରହିଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଫଳ ବେଶ୍ ସକାରାତ୍ମକ ହୋଇଛି। ଏଥିରେ ଶରୀରର ପ୍ରତିରକ୍ଷା ବ୍ୟବସ୍ଥା ଉଭୟ ଆଣ୍ଟିବଡିଜ୍‌ ଓ ଟି ସେଲ୍‌ ପ୍ରସ୍ତୁତ କରିପାରିଥିବା ଦେଖାଯାଇଛି। ଆଣ୍ଟିବଡିଜ୍‌ ଭୂତାଣୁକୁ ନିଷ୍କ୍ରିୟ କରିଥାଏ ଏବଂ ଟି ସେଲ୍‌ ସଂକ୍ରମିତ କୋଷିକାଗୁଡ଼ିକୁ ନଷ୍ଟ କରିବାରେ ସାହାଯ୍ୟ କରେ। ୧୦୭୭ ଲୋକଙ୍କ ଉପରେ ଏହି ପରୀକ୍ଷା କରାଯାଇଥିଲା। ଅନ୍ୟପକ୍ଷରେ ଦ୍ବିତୀୟ ପର୍ଯ୍ୟାୟରେ ୧୦୫ ଜଣଙ୍କୁ ଏହି ଟିକା ଦିଆଯିବ। ସେହିପରି ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୬,୦୦୦ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଭାରତରେ ମଧ୍ୟ ଏହା କରାଯିବାର ନିଷ୍ପତ୍ତି ନିଆଯାଇଛି।

ଚୀନ

ଟିକା ପ୍ରସ୍ତୁତିର ପ୍ରତିଯୋଗିତାରେ ଚୀନ ନିଜକୁ ଜଣେ ଶକ୍ତିଶାଳୀ ପ୍ରତିଯୋଗୀ ଭା​‌ବେ ଛିଡ଼ା କରିପାରିଛି। ସେଠାକାର ସିନୋଭାକ୍‌ ବାୟୋଟେକ୍‌ କୋଭିଡ ଟିକା (ଏଡି୫-ଏନ୍‌କୋଭ୍‌) ପ୍ରସ୍ତୁତ କରୁଛି ଏବଂ ମାନବ ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ପହଞ୍ଚିସାରିଛି। ଏହା ବିଶ୍ବର ପ୍ରଥମ ଟିକା ଯାହା ମାନବ ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି। ଏହାର ପ୍ରଥମ ଡୋଜ୍‌ ଆବୁ ଧାବିରେ ୧୫ ହଜାର ସ୍ବେଚ୍ଛାସେବୀଙ୍କୁ ଦିଆଯାଇଥିଲା। ୨୮ ଦିନ ଭିତରେ ସେମାନଙ୍କୁ ଦ୍ବିତୀୟ ଥର ଟିକା ଦିଆଯାଇଥିଲା ଓ ଗବେଷକମାନେ ସେମାନଙ୍କ ଶରୀରରେ ଆଣ୍ଟିବଡ଼ିଜ୍‌ ବିକଶିତ ହୋଇଥିବା ଦେଖିଥିଲେ। ଚୀନରେ ଆହୁରି ୭ଟି କୋଭିଡ-୧୯ ଟିକା ପ୍ରସ୍ତୁତ କରାଯାଉଛି। ସୂଚନାଯୋଗ୍ୟ ଯେ ସମଗ୍ର ବିଶ୍ବରେ ମାନବ ପରୀକ୍ଷଣ ପର୍ଯ୍ୟାୟରେ ରହିଥିବା ପ୍ରାୟ ୨୪ଟି ଟିକା ମଧ୍ୟରେ ଚୀନର ରହିଛି ୮ଟି। ଏହା ଯେ କୌଣସି ଦେଶଠାରୁ ଅଧିକ। ସାଇନୋଫାର୍ମ ଓ ଆଉ କେତେକ ଚୀନା କମ୍ପାନୀ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ଘୋଷଣା କରିସାରିଛନ୍ତି।

ଆମେରିକା

ମଡ଼ର୍ନା ସମେତ ଆଉ କେତେକ ଆମେରିକୀୟ କମ୍ପାନୀ କୋଭିଡ-୧୯ ଟିକା ପ୍ରସ୍ତୁତିରେ ଲାଗିଛନ୍ତି। ତେବେ ଇତିମଧ୍ୟରେ ମଡର୍ନାର ଟିକା ଏମଆର୍‌ଏନ୍‌ଏ-୧୨୭୩କୁ ୪୫ ଜଣଙ୍କୁ ଦିଆଯିବା ପରେ ତା’ର ସକାରାତ୍ମକ ଫଳ ମିଳିଥିବା କୁହାଯାଇଛି। ତିନିଟି ଡୋଜ୍‌ ମଧ୍ୟରୁ ଦୁଇଟି ସରିଥିବାବେଳେ ତୃତୀୟ ପର୍ଯ୍ୟାୟ ଜୁଲାଇ ୨୭ରୁ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ରୁଷିଆ

ଏକ ରିପୋର୍ଟ ଅନୁସାରେ, ଅଗଷ୍ଟ ୩ରୁ ରୁଷ୍‌ର ଏକ କମ୍ପାନୀ ଦ୍ବାରା ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବ। ଏଥିରେ ରୁଷିଆ ବ୍ୟତୀତ ସାଉଦି ଆରବ ଓ ୟୁନାଇଟେଡ ଆରବ ଏମିରେଟ୍‌ସର ସହସ୍ରାଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ।

ଜର୍ମାନୀ ଓ ଅଷ୍ଟ୍ରେଲିଆ

ଏହି ଦୁଇଟି ଦେଶ ଟିକା ବିକାଶ କ୍ଷେତ୍ରରେ ପଛରେ ପଡ଼ିଛନ୍ତି। ଜର୍ମାନୀ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଅଷ୍ଟ୍ରେଲିଆ ପ୍ରଥମ ପର୍ଯ୍ୟାୟରେ ରହିଛି।

Comments are closed.