ଉଠିଲା ଆର୍ଥିକ ମିତବ୍ୟୟିତା କଟକଣା, ରାଜକୋଷରୁ ଖର୍ଚ୍ଚ କରିବେ ବିଭାଗ

ଭୁବନେଶ୍ୱର: କରୋନା ମହାମାରୀକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୭ମାସ ତଳେ ଜାରି କରାଯାଇଥିବା ଆର୍ଥିକ ମିତବ୍ୟୟତାକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବୁଧବାର ଜାରି ନିର୍ଦେଶନାମାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମିନା ଦର୍ଶାଇଛନ୍ତି ଯେ ୨୦୨୦ ଜୁଲାଇ ୭ରେ ବିଭିନ୍ନ କ୍ଷେତ୍ରରେ ଯେଉଁ ଆର୍ଥିକ କଟକଣା ଲଗାଯାଇଥିଲା ସେଥିରୁ ସରକାର କେତେକ କ୍ଷେତ୍ରରେ ପ୍ରତ୍ୟାହାର କରିନେଇଛନ୍ତି। ଏବେ କୋଭିଡ଼ ମୁକାବିଲା ପାଇଁ ଟିକାକରଣ ଚାଲୁ ରହିଥିବାବେଳେ ରାଜ୍ୟର ଅର୍ଥ ନୀତି ସୁଧାର ଆଡକୁ ମୁହାଁଇଛି। ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ ସମ୍ବଳ ସଂଗ୍ରହ କରିପାରୁଛନ୍ତି। ଅର୍ଥନୈତିକ କ୍ଷେତ୍ରରେ ଅଧିକ ବିକାଶ ଲାଗି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରକୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗ ଉପରେ ଖର୍ଚ୍ଚକୁ ନେଇ ଯେଉଁ କଟକଣା ଲଗାଯାଇଥିଲା ତାହା ପ୍ରତ୍ୟାହାର କରି ନିଆଯାଇଛି। ମାତ୍ର ବିଭାଗ ପକ୍ଷରୁ ବାସ୍ତବରେ ଯେଉଁ ଖର୍ଚ୍ଚ ହେବ ତାକୁ ହିଁ ରାଜକୋଷରୁ ଉଠାଣ କରିପାରିବେ, ରାଜକୋଷରୁ ଟଙ୍କା ଉଠାଇ କୌଣସି ବ୍ୟାଙ୍କରେ ରଖିପାରିବେ ନାହିଁ ବୋଲି ଶ୍ରୀ ମୀନା ସ୍ପଷ୍ଟ ଦର୍ଶାଇଛନ୍ତି। ଏଣିକି ସବୁ ଅନୁଦାନପ୍ରାପ୍ତ ସରକାରୀ ଅନୁଷ୍ଠାନ, ସମବାୟ ସଂସ୍ଥା ଓ ସ୍ବୟଂଶାସିତ ସଙ୍ଗଠନ ଏହି କଟକଣାରୁ ମୁକ୍ତ ହୋଇପାରିବେ। ଏନେଇ ବିଭାଗୀୟ ଅଧିକାରୀ ସଂପୃକ୍ତ ଡିଡିଓଙ୍କୁ ଅବଗତ କରାଇବାକୁ ଶ୍ରୀ ମିନା ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ ଯେ କୋଭିଡ଼ ମହାମାରୀ ଯୋଗୁଁ ଅର୍ଥନୀତିରେ ମାନ୍ଦାବସ୍ଥା ସୃଷ୍ଟି ହୋଇଥିବାରୁ ଜୁଲାଇ ୭ରେ ଶ୍ରୀ ମୀନା ଏକ ଆର୍ଥିକ ମିତବ୍ୟୟିତା ଜାରି କରିଥିଲେ। ସେଥିରେ ବିଭିନ୍ନ ବିଭାଗ ମନଇଚ୍ଛା ସୌଖୀନ ଜିନିଷ କିଣି ପାରିବ ନାହିଁ, ବିଦେଶ ଭ୍ରମଣ କରିପାରିବେ ନାହିଁ, ନୂଆ ଗାଡି କିଣି ପାରିବେ ନାହିଁ, ନୂତନ ପଦ ସୃଷ୍ଟି ହୋଇପାରିବ ନାହିଁ ଭଳି ବିଭିନ୍ନ କ୍ଷେତ୍ରରେ କଟକଣା ଜାରି କରାଯାଇଥିଲା।

Comments are closed.