କନିଷ୍ଠ ପୁରୁଷ ହକି ବିଶ୍ବକପ : ପୁଲ-ଡିରେ ଶୀର୍ଷରେ ଜର୍ମାନୀ

କ୍ବାର୍ଟରଫାଇନାଲ ଖେଳସୂଚୀ ଚୁଡାନ୍ତ

ଭୁବନେଶ୍ବର :  କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା କନିଷ୍ଠ ପୁରୁଷ ହକି ବିଶ୍ବକପର ଲିଗ୍‌ ପର୍ଯ୍ୟାୟ ରବିବାର ଶେଷହୋଇଛି । ପୁଲ-ଡିର ଶେଷ ଲିଗ୍‌ ମ୍ୟାଚରେ ଜର୍ମାନୀ ୧୧-୦ ଗୋଲରେ ଇଜିପ୍‌ଟକୁ ପରାସ୍ତକରି ଶୀର୍ଷ ସ୍ଥାନରେ ରହି କ୍ବାର୍ଟରଫାଇନାଲକୁ ଉନ୍ନୀତ ହୋଇଛି।
ଏହି ଏକତରଫା ମ୍ୟାଚ୍‌ରେ ଜର୍ମାନୀ ପକ୍ଷରୁ ଖେଳର ୯ ମିନିଟ୍‌ରେ ବେଣ୍ଟ୍ରିକ୍ଟ ସ୍ବଚାରଜାପୁଟ୍‌ ପ୍ରଥମ ଓ ୧୦ ମିନିଟ୍‌ରେ କୁଟେର ଖ୍ରୀଷ୍ଟୋଫର ୨ୟ ଗୋଲ ଦେଇଥିଲେ। ୧୬ ମିନିଟ୍‌ରେ ପାଉଲ୍‌ ସ୍ମିଥ୍‌ ୩ୟ, ୧୯ ମିନିଟ୍‌ରେ ବେଣ୍ଟ୍ରିକ୍ଟ ସ୍ବଚାରଜାପୁଟ୍‌ ୪ର୍ଥ, ୨୦ ମିନିଟ୍‌ରେ ମାସି ପିଫାଣ୍ଡ ୫ମ, ୨୨ ମିନିଟ୍‌ରେ ଆରୋନ ଫ୍ଲାଟିନ୍‌ ୬ଷ୍ଠ, ୩୦ ମିନିଟ୍ରେ ମାସି ପିଫାଣ୍ଡ ୭ମ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧରେ ଜର୍ମାନୀ ୭-୦ ଗୋଲରେ ଆଗୁଆ ରହିଥିଲା। ୩୮ ମିନିଟ୍‌ରେ ଇଜିପ୍‌ଟ ଆତ୍ମଘାତୀ ଗୋଲ ବରଣ କରିଥିଲା। ୪୪ ମିନିଟ୍‌ରେ ମିଚେଲ ଷ୍ଟ୍ରୁଟ୍‌ହପ୍‌ ୯ମ, ୪୯ ମିନିଟ୍‌ରେ ଖ୍ରୀଷ୍ଟୋଫର କୁଟେର ୧୦ମ ଓ ୫୮ ମିନିଟ୍‌ରେ ମାଟିଓ ପୋଲଜାରିକ୍‌ ୧୧ଶ ଗୋଲ ଦେଇଥିଲେ। ଜର୍ମାନୀର ମିଚେଲ ଷ୍ଟ୍ରୁଟହୋପ୍‌ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଜର୍ମାନୀ ପ୍ରଥମ ମ୍ୟାଚରେ ୫-୨ରେ ପାକିସ୍ତାନକୁ, ୨ୟ ମ୍ୟାଚରେ ୩-୨ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ସେହିପରି ଇଜିପ୍‌ଟ ଆର୍ଜେଣ୍ଟିନା ନିକଟରୁ ୧୪-୦ ଓ ପାକିସ୍ତାନ ନିକଟରୁ ୧-୩ ଗୋଲରେ ପରାଜିତ ହୋଇଥିଲା। ଅତିଥି ଭାବେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି ଓ ପୂର୍ବତନ ଟେଷ୍ଟ ଓପ୍‌ନର ଶିବସୁନ୍ଦର ଦାସ ଯୋଗ ଦେଇଥିଲେ।

 

କ୍ବାର୍ଟରଫାଇନାଲ ଖେଳସୂଚୀ,୧.୧୨.୨୦୨୧ (ବୁଧବାର)

ପ୍ରଥମ କ୍ବାର୍ଟରଫାଇନାଲ : ଭାରତ- ବେଲ୍‌ଜିିୟମ : ପୂର୍ବାହ୍ନ ୧୦ଟା୩୦
୨ୟ କ୍ବାର୍ଟରଫାଇନାଲ : ଜର୍ମାନୀ-ସ୍ପେନ୍‌ : ଅପରାହ୍ଣ ୧ଟା୩୦
୩ୟ କ୍ବାର୍ଟରଫାଇନାଲ : ଫ୍ରାନ୍‌ସ-ମାଲେସିଆ : ଅପରାହ୍ଣ ୪ଟା୩୦
୪ର୍ଥ କ୍ବାର୍ଟରଫାଇନାଲ: ଆର୍ଜେଣ୍ଟିନା-ନେଦରଲାଣ୍ଡ୍‌ସ: ସନ୍ଧ୍ୟା ୬.୩୦

Comments are closed.