ଦୟାନଦୀରେ ମାଛମରାକୁ କେନ୍ଦ୍ରକରି ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ; ଗୁଳି ଓ ବୋମାମାଡ଼, ୨ ଗୁରୁତର

କଣାସ : ଦୟାନଦୀରେ ମାଛଧରାକୁ କେନ୍ଦ୍ରକରି କଣାସ ବ୍ଲକର ଜାଗୁଳେଇପଦର ଏବଂ ନଈକୂଳପାଟଣା ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଗୁଳି ଓ ବୋମାମାଡ଼ ଯୋଗୁଁ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଉଭୟ ଗ୍ରାମବାସୀ ପରସ୍ପର ଉପରକୁ ୧୦ରୁ ଊର୍ଦ୍ଧ୍ବ ବୋମାମାଡ଼ କରିଥିବା ବେଳେ ଗୁଳି ଫୁଟାଇଥିବା ଜଣାପଡିଛି।
ତେବେ ଏଥିରେ କେହି ମୃତାହତ ହୋଇ ନ ଥିଲେ ବି ଗୁଳିମାଡ଼ରେ ନଈକୂଳପାଟଣା ଗ୍ରାମର ୨ ଜଣ ଗୁରୁତର ଆହତ ହୋଇଛନ୍ତି ା ପ୍ରମୋଦ ବେହେରା(୪୦)ଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହିପରି କବିତା ବେହେରା(୩୮) ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସ ନିଷ୍କ୍ରିୟତାକୁ ଦାୟୀ କରି ନଈକୂଳପାଟଣାର ଶତାଧିକ ମହିଳା ଗଡିଶାଗୋଦା ଥାନା ଘେରାଉ କରିଛନ୍ତି। ପରିସ୍ଥିତି ଉତ୍ତେଜନାମୂଳକ ଥିବାରୁ ଅଧିକ ପୁଲିସ ଫୋର୍ସ ଦୁଇ ଗ୍ରାମରେ ମୁତୟନ କରାଯାଇଛି।
ଚିଲିକା ମୁହାଁଣଠାରୁ କଉଡିଖଣି ପର୍ଯ୍ୟନ୍ତ ଦୟାନଦୀକୁ ମା’ କାଳୀଜାଈ ମତ୍ସ୍ୟଜୀବୀ ସଂଘ ପ୍ରତ୍ୟେକ ବର୍ଷ ନିଲାମ ନିଅନ୍ତି।
ମା’ କାଳୀଜାଈ ମତ୍ସ୍ୟଜୀବୀ ସଂଘରେ ଉଭୟ ଗୋପୀନାଥପୁର ପଞ୍ଚାୟତର ଜାଗୁଳେଇପଦର ଏବଂ ଗଡିଶାଗୋଦା ପଞ୍ଚାୟତର ନଈକୂଳପାଟଣା ଗ୍ରାମର ମତ୍ସଜୀବୀମାନେ ସଦସ୍ୟ ଅଛନ୍ତି। ନିଲାମରେ ୭୫ ଭାଗ ଜାଗୁଳେଇପଦର ଗ୍ରାମବାସୀ ଅର୍ଥ ଜମା କରୁଥିବା ବେଳେ ୨୫ ଭାଗ ଅର୍ଥ ନଈକୂଳପାଟଣା ଗ୍ରାମର ମତ୍ସ୍ୟଜୀବୀମାନେ ଦେଇଥାନ୍ତି। ଦୀର୍ଘ ୨ବର୍ଷ ହେଲା ମା’ କାଳୀଜାଈ ମତ୍ସ୍ୟଜୀବୀ ସଂଘ ଜାଗୁଳେଇପଦର ସଭ୍ୟମାନେ ବୈଠକରେ ନଈକୂଳପାଟଣାର ସଭ୍ୟଙ୍କୁ ଡାକୁ ନ ଥିବାରୁ ଦୁଇ ଗ୍ରାମ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। କିଛି ଦିନ ପୂର୍ବେ ଦୁଇ ଗ୍ରାମ‌େ‌ର ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନିର୍ଦେଶରେ କଣାସ ତହସିଲଦାର ଉଭୟ ଗ୍ରାମବାସୀଙ୍କୁ ଡାକି ଗଣ୍ଡଗୋଳ ନ କରି ମିଳିମିଶି ଚଳିବା ପାଇଁ ନିବେଦନ କରିଥିଲେ।
ଗତକାଲି ନଈକୂଳପାଟଣାର କେତେକ ବ୍ୟକ୍ତି ମାଛ ଧରୁଥିବା ବେଳେ ଜାଗୁଳେଇପଦର ଗ୍ରାମବାସୀ ବିରୋଧ କରିଥିଲେ। ଗତକାଲିଠାରୁ ଦୁଇ ଗ୍ରାମ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ରବିବାର ସକାଳେ ଏହା ଭୟଙ୍କର ରୂପ ଧାରଣ କରିଥିଲା ା ସଂଘର୍ଷ ସ୍ଥଳଠାରୁ ଗଡିଶାଗୋଦା ଥାନାର ଦୂରତା ୨୦୦ ମିଟର ହୋଇଥିଲେ ମଧ୍ୟ ପୁଲିସ ନିରବଦ୍ରଷ୍ଟା ସାଜିଥିବା ନଈକୂଳପାଟଣା ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ନଈକୂଳପାଟଣା ଗ୍ରାମର ୨ ଶହରୁ ଊର୍ଦ୍ଧ୍ବ ମହିଳାମାନେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନାକୁ ଘେରାଉ କରିଥିଲେ। ଖବରପାଇ କଣାସ ତହସିଲଦାର ଲକ୍ଷ୍ମୀଧର ମହାରଣା ଘଟଣାସ୍ଥଳରେ ପହଞ୍ଚି ଉଭୟ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହିତ ମଙ୍ଗଳବାର ଉଭୟ ଗ୍ରାମର ମୁରବି, ତହସିଲଦାର, ଗଡିଶାଗୋଦା ଥାନା ଆଇଆଇସି ଶୁଭାଶିଷ ମିଶ୍ର, ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ଦୁଇ ଗ୍ରାମପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କୁ ବୈଠକ କରିବାକୁ ନିଷ୍ପତ୍ତି ହୋଇଛି। ଦୁଇ ଗ୍ରାମବାସୀ ତହସିଲଦାରଙ୍କ କଥାକୁ ସ୍ୱାଗତ କରି ଗଣ୍ଡଗୋଳ ନ କରି ନିରବ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ପ୍ରମୋଦ ବେହେରାଙ୍କ ମୁଣ୍ଡରେ ଅ‌େସ୍ତ୍ରାପଚାର କରାଯାଇ ଗୋଟିଏ ଗୁଳି ବାହାର କରାଯାଇଛି।

Comments are closed.