ଚିକେନ୍‍ ବ୍ୟବସାୟକୁ ନେଇ ରକ୍ତାକ୍ତ ସଂଘର୍ଷ; ଗାଡି ଭଙ୍ଗାରୁଜା ଜଣେ ଆହତ

ବାପା-ଦୁଇ ପୁଅ ଗିରଫ

ଭଞ୍ଜନଗର : ଗାଲେରୀ ଗ୍ରାମରେ ଦୁଇ ଚିକେନ୍‍ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଉପୁଜି ଗାଡି ଭଙ୍ଗାରୁଜା ଓ ହାଣକାଟ ପରି ପରିସ୍ଥିତି ଉପୁଜିଛି। ପୁଲିସ୍‍ ଏ ସଂକ୍ରାନ୍ତରେ ଦୁଇଟି ମକଦମା ରୁଜୁ କରିଛି। ସଂର୍ଘଷରେ ଗୁରୁତର ଆହତ ହୋଇଥିବା ବିଦେଶୀ ସେଠୀକୁ ଭଞ୍ଜନଗର ସରକାରୀ ହାସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆକ୍ରମଣକାରୀ ବାପା ସୁବାସ ବେହେରା ଓ ତାର ଦୁଇ ପୁଅ ଅଭିମନ୍ୟୁ ବେହେରା ଓ ସିଲୁ ଓରଫ ଅମିତ୍‍ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରା ପ୍ରକାଶ କରିଛନ୍ତି।
ବିଦେଶୀ ସେଠୀ ଓ ସୁବାସ ବେହେରା ପାଖାପାଖି ଦୁଇଟି ଚିକେନ୍‍ ସେଣ୍ଟର କରିଛନ୍ତି। ଉଭୟଙ୍କ ବ୍ୟବବସାୟିକ କାରବାରକୁ ନେଇ ସର୍ବଦା ବିବାଦ ଲାଗି ରହିଥିଲା। ଦୁଇଦିନ ତଳେ ସୁବାସ ବେହେରାଙ୍କ ବାଇକଟି ନିଜ ଘରର ବାରଣ୍ଡା ତଳେ ଥିବା ବେଳେ ରାତିରେ କୌଣସି ଦୁବୃର୍ତ୍ତ କୁରାଢିରେ ଭଙ୍ଗାରୁଜା କରିଥିଲା। ଏଥିରେ ବିଦେଶୀକୁ ସୁବାସର ପରିବାର ଲୋକେ ସନ୍ଦେହ କରିଥିଲେ। ଶତ୍ରୁତାରୁ ବିଦେଶୀ ବାଇକ ଭାଙ୍ଗି ଦେଇଥିବା ସନ୍ଦେହ କରିଥିଲେ। ଶନିବାର ରାତିରେ ସୁବାସ ଓ ତାର ଦୁଇପୁଅ ଅଭିମନ୍ୟୁ ଓ ସିଲୁ ଟାଙ୍ଗିଆ ଓ ଠେଙ୍ଗା ଧରି ବିଦେଶୀର ଘରେ ପଶି ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଦେଶୀ ଧରାଶାୟୀ ହୋଇ ପଡିଥିଲା। ଘଟଣାସ୍ଥଳରେ ଗ୍ରାମବସୀ ରୁଣ୍ଡ ହୋଇ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ବିଦେଶୀକୁ ପ୍ରଥମେ ଗାଲେରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଂଜନଗର ହାସପିଟାଲରେ ଭର୍ତ୍ତି କରାଯାଇଛି। ଏ ସଂକ୍ରାନ୍ତରେ ଉଭୟ ପକ୍ଷରୁ ୨୬୩/୨୦ ଓ ୨୬୪/୨୦ରେ ପୁଲିସ୍‍ ଦୁଇଟି ମକଦମା ରୁଜୁ କରାଯାଇଛି। ସୁବାଷ ଓ ତାର ଦୁଇ ପୁଅକୁ ଗିରଫ କରି ଭଂଜନଗର କୋର୍ଟକୁ ଚାଲାଣ କରାଯାଇଛି।

Comments are closed.