ଭାରତୀୟ ଫୁଟବଲ ମହାସଂଘକୁ ନିଲମ୍ବନ କଲା ଫିଫା

ନୂଆଦିଲ୍ଲୀ: ଭାରତୀୟ ଫୁଟବଲକୁ ଲାଗିଛି ବଡ ଝଟ୍‌କା । ଦେଶ ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଯାହା ଘଟି ନଥିଲା ତାହା ପ୍ରଥମ ଥର ପାଇଁ ଭାରତୀୟ ଫୁଟବଲ ସଂଘରେ ଦେଖିବାକୁ ମିଳିଛି । ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ସଂସ୍ଥା(ଫିଫା) ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ କାରଣରୁ ଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)କୁ ତତ୍କାଳ ପ୍ରଭାବ ଅନୁଯାୟୀ ନିଲମ୍ବିତ କରିଛି। ଫିଫା ନିୟମର ଘୋର ଉଲ୍ଲଙ୍ଘନ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି। ଗଣତାନ୍ତ୍ରିକ ପଦ୍ଧତିରେ ଏଆଇଏଫଏଫର ବିଭିନ୍ନ ପଦ ଲାଗି ନିର୍ବାଚନ ନହେବା ଯାଏଁ ନିଲମ୍ବନ ଆଦେଶ ବଳବତ୍ତର ରହିବ ବୋଲି ଫିଫା ପକ୍ଷରୁ କୁହାଯାଇଛି। ଏଥି ସହିତ ଫିଫା ଭାରତରେ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପକୁ ମଧ୍ୟ ସ୍ଥଗିତ ରଖିଛି।

ଏଆଇଏଫଏଫର ସଭାପତି ପ୍ରଫୁଲ୍ଲ ପଟେଲଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ମଧ୍ୟ ସଂଗଠନର ବିଭିନ୍ନ କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଛନ୍ତି। ପ୍ରଫୁଲ୍ଲଙ୍କ ବିରୋଧରେ ଏଆଇଏଫଏଫ ପ୍ରଶାସନିକ କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇଥିଲା। ସୁପ୍ରିମକୋର୍ଟ ପ୍ରଫୁଲ୍ଲଙ୍କ ହସ୍ତକ୍ଷେପକୁ ଅବୈଧ ଘୋଷଣା କରିଥିଲେ। ଏହା ପରେ ମଧ୍ୟ ପଟେଲ ଏଆଇଏଫଏଫ ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କରିଥିଲେ। ଏହା ଜଣାପଡିବା ପରେ ଫିଫା ଏଭଳି ନିଷ୍ପତ୍ତି ନେଇଛି। ଏଆଇଏଫଏଫ କାର୍ଯ୍ୟନିର୍ବାହୀ କମିଟି ଏବଂ ଏଆଇଏଫଏଫ ପ୍ରଶାସନର କ୍ଷମତା ଗ୍ରହଣ କରିବାକୁ ପ୍ରଶାସକଙ୍କ ଏକ କମିଟି ଗଠନ ଆଦେଶ ପରେ ଏହି ନିଲମ୍ବନ ହଟାଯିବ ବୋଲି ଫିଫା ପକ୍ଷରୁ କୁହାଯାଇଛି। ଫିଫା ନିୟମ ଅନୁଯାୟୀ ଯଦି କୌଣସି ଦେଶରେ ଫୁଟବଲ ପାଇଁ ନିର୍ଦ୍ଧିଷ୍ଟ ସଂସ୍ଥା ଓ ପରିଚାଳନା ପରିଷଦ ନଥିବ ତେବେ ତାହାର ମାନ୍ୟତା ପ୍ରତ୍ୟାହାର କରାଯାଇପାରିବ। ଉକ୍ତ ନିୟମ ଅନୁଯାୟୀ, ଫିଫା ଏଆଇଏଫଏଫକୁ ନିଲମ୍ବିତ କରିବା ଭଳି ପଦପେପ ଗ୍ରହଣ କରିଛି। ଦେଶର କ୍ରୀଡ଼ା ନୀତି ଅନୁଯାୟୀ, କେହି ବି ୩ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ଫୁଟବଲ ମହାସଂଘର ଅଧ୍ୟକ୍ଷ ରହିପାରିବେ ନାହିଁ। କିନ୍ତୁ ପ୍ରଫୁଲ୍ଲ ପଟେଲ ୧୩ ବର୍ଷ ଧରି ଏଆଇଏଫଏଫର ଅଧ୍ୟକ୍ଷ ରହିଥିଲେ।

ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ପରେ ପ୍ରଫୁଲ୍ଲ ପଟେଲ ଅଧ୍ୟକ୍ଷ ପଦ ଛାଡିଥିଲେ। ସର୍ବଭାରତୀୟ ଫୁଟବଲ ମହାସଂଘର ନିର୍ବାଚନ ନହେବା କାରଣରୁ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି ଅଫ ଆଡମିନିଷ୍ଟ୍ରେସନ ଭାରତୀୟ ଫୁଟବଲକୁ ପରିଚାଳନା କରୁଛନ୍ତି। ପୂର୍ବରୁ ଚଳିତ ମାସ ଆରମ୍ଭରୁ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ଆସୋସିଏସନ ଫୁଟବଲ(ଫିଫା) ତୃତୀୟ ପକ୍ଷ ହସ୍ତକ୍ଷେପ କାରଣ ଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ)କୁ ନିଲମ୍ବିତ କରିବା ନେଇ ଚେତାବନୀ ଦେଇଥିଲା। ଏହା ସହ ଫିଫା ଅକ୍ଟୋବରରେ ହେବାକୁ ଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ଫୁଟବଲ ବିଶ୍ବକପକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ଧମକ ଦେଇଥିଲା। ଏଆଇଏଫଏଫର ନିର୍ବାଚନକୁ ନେଇ ଗତ କିଛି ଦିନ ତଳେ ସୁପ୍ରିମକୋର୍ଟ ପକ୍ଷରୁ ମଧ୍ୟ ଚେତାବନୀ ଦିଆଯାଇଥିଲା। ଏହା ସ​‌େ​‌ତ୍ତ୍ବ ଭାରତୀୟ ଫୁଟବଲରେ ତୃତୀୟ ପକ୍ଷର ହସ୍ତକ୍ଷେପ ଦେଖିବାକୁ ମିଳିଥିଲା।

ଏପଟେ ଫୁଟବଲ ପରିଚାଳନା ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ପ୍ରଶାସକଙ୍କ ସମିତି ନିର୍ବାଚନ ପକ୍ରିୟା ଆରମ୍ଭ କରିଦେଇଛି। ଅଗଷ୍ଟ ୨୮ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ କରାଯାଇଛି। ଏ ନେଇ ମଧ୍ୟ ଭୋଟର ତାଲିକା ପ୍ରସ୍ତୁତ ଶେଷ ହୋଇଛି। ଭାରତୀୟ ଫୁଟବଲ ସଂଘକୁ ଫିଫା ନିଲମ୍ବିତ କରିବା ପରେ ଭାରତରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ ଫିଫା ମହିଳା ଫୁଟବଲ ବିଶ୍ବକପ ଆୟୋଜନ ଆଶଙ୍କା ସୃଷ୍ଟି ହୋଇଛି। ଫିଫାର ନିଲମ୍ବନ ଆଦେଶ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଭାରତ ଏଏଫ୍‌ସି ଏସିଆନ କପରେ ମଧ୍ୟ ଅଂଶଗ୍ରହଣ କରିପାରିବ ନାହିଁ କିମ୍ବା ଆଇଏସ୍‌ଏଲରେ ମଧ୍ୟ ବିଦେଶୀ ଖେଳାଳି ଖେଳିପାରିବେ ନାହିଁ।

Comments are closed.