ରାଜ୍ୟରେ ପ୍ରଥମ, ତିନିଲକ୍ଷ ଟଙ୍କାର ଫାଇବର ଘର

କଟକ: ଘର ପାଇଁ ଆଉ ଇଟା, ବାଲି, ସିମେଣ୍ଟ୍‍ ଦରକାର ପଡ଼ିବ ନାହିଁ କି ଗଢ଼ାଳିଙ୍କୁ ଲୋଡ଼ାଯିବ ନାହିଁ; କେବଳ ଖୋଲାସ୍ଥାନ ବା ଜମି ଆବଶ୍ୟକ, ଯେଉଁଠି ରେଡ଼ିମେଡ୍‍(ପୂର୍ଣ୍ଣ ପ୍ରସ୍ତୁତ) ଘରଟିକୁ ଆଣି ରଖି ଦିଆଯିବ। ସମ୍ପୂର୍ଣ୍ଣ ପରିବାର ରହିପାରିଲା ଭଳି ଫାଇବରରେ ନିର୍ମିତ ଏପରି ଘର ପ୍ରଥମ କରି ଓଡ଼ିଶାରେ ତିଆରି ହେଉଛି ତେଲେଙ୍ଗାପେଣ୍ଠର ଏକ କାରଖାନାରେ, ଯାହାକୁ ପ୍ରସ୍ତୁତ କରୁଛନ୍ତି କଲ୍ୟାଣୀନଗରର ଜଣେ ୨୨ ବର୍ଷୀୟା ଯୁବତୀ ସ୍ୱସ୍ତି ପଟ୍ଟନାୟକ। ପ୍ରଥମ ଦଫାରେ ସେ ଭିନ୍ନଭିନ୍ନ ଆକାରର ତିନିଟି ଘର ତିଆରି କରିସାରିଛନ୍ତି; ପ୍ରତିଟି ଘରେ ଶୟନକକ୍ଷ, ରୋଷେଇ ଓ ସ୍ନାନଗୃହ ସାଙ୍ଗକୁ ବାରଣ୍ଡା ଓ ଅଗଣା ବି ରହିଛି। ଫାଇବର ଭିତରେ ‘ଆଲୁମୁନିୟମ ପାଇପ୍‍ ଷ୍ଟ୍ରକ୍‍ଚର’ (କଠିନ ଧାତୁପାତ) ଦିଆଯାଇ, ସେହି ପଟାରେ ଘର ଛାତ, କାନ୍ଥ ଓ ଚଟାଣଠୁଁ ଆରମ୍ଭ କରି କବାଟ ଓ ଝରକା ପ୍ରସ୍ତୁତ ହେଉଛି। ଏକଶହରୁ ଛଅଶହ ବର୍ଗଫୁଟ ପର୍ଯ୍ୟନ୍ତ ଏହିଭଳି ଭ୍ରାମ୍ୟମାଣ କୁଟିର ଏଠି କାରଖାନାରେ ପ୍ରସ୍ତୁତ ହୋଇପାରିବ ଏବଂ ତାହାକୁ ବଡ଼ଟ୍ରକ୍‍ ଡ଼ାଲାରେ ସ୍ଥାନାନ୍ତର ମଧ୍ୟ ସହଜରେ କରିହେବ।

ଜୁଲାଇ ମାସରୁ ଏହି ‘ମୁଭେବୁଲ ହୋମ୍‍’ ବା ଭ୍ରାମ୍ୟମାଣ କୁଟୀରର ନିର୍ମାଣ ଆରମ୍ଭ ହୋଇଥିଲା ଏବଂ ମାତ୍ର ଦୁଇମାସ ଭିତରେ ତିନିଟି ଘର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇପାରିଲା; ବଡ଼ଘରଟି (୨୮୦ ବର୍ଗଫୁଟ୍‍ର)ର ମୂଲ୍ୟ ୩ଲକ୍ଷ ଟଙ୍କା ରହିଥିଲା ବେଳେ ମଧ୍ୟମ ଘରଟି ୧ଲକ୍ଷ ୯୦ ହଜାର ଓ ଛୋଟଟି ୧ଲକ୍ଷ ୨୦ ହଜାର ଟଙ୍କା ମୂଲ୍ୟ ଅଦ୍ୟାବଧି ସ୍ଥିର ହୋଇଛି। ଆଉ ଦୁଇଟି ଘରର ବରାଦ ମିଳିଛି ଏବଂ ତାହାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି; ଆଗାମୀ ଅକ୍ଟୋବର ମାସରେ ଏହି ଭ୍ରାମ୍ୟମାଣ କୁଟିରଗୁଡ଼ିକର ବିକ୍ରୟ ଯୋଜନା ରହିଛି, ଯାହା କି ଓଡ଼ିଶାରେ ପଥମ ହେବ ଏବଂ କଟକ ଫାଇବର କାରିଗରୀ କୌଶଳକୁ ଅଧିକ ରୁଦ୍ଧିମନ୍ତ କରି ତୋଳିବ।

Comments are closed.