ଲକ୍ଷ୍ନୌ ପରାସ୍ତ ; ସିଏସ୍‌କେର ପ୍ରଥମ ବିଜୟ

ଚେନ୍ନଇ : ୪ ବର୍ଷ ପରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଓ ମହେନ୍ଦ୍ର ସିଂହ ଧୋନି ଘରୋଇ ପଡ଼ିଆକୁ ଫେରିଛନ୍ତି । ଫଳରେ ଚଳିତ ଆଇପିଏଲ୍‌ରେ ସିଏସ୍‌କେ ବିଜୟଧାରାକୁ ଫେରିଛି। ସୋମବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୧୨ ରନ୍‌ରେ ପରାସ୍ତକରି ୨ୟ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି ୪ଥର ଚମ୍ପିଆନ୍‌ ଚେନ୍ନଇ। ଋତୁରାଜ ଗାଏକ୍‌ୱାଡ୍‌ଙ୍କ ସହ ଉପର ଅର୍ଡରର ବ୍ୟାଟ୍‌ସ ମ୍ୟାନଙ୍କ ସଫଳତା ବଳରେ ପ୍ରଥମେ ବ୍ୟାଟିଂକରି ସିଏସ୍‌କେ ୭ ୱିକେଟରେ ୨୧୭ ରନ୍‌ କରିଥିଲା। ପରେ କାଏଲ୍‌ ମେୟର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ଲକ୍ଷ୍ନୌ ୭ ୱିକେଟରେ ୨୦୫ ରନ୍‌ କରି ପାରିଥିଲା। ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିବା ଲକ୍ଷ୍ନୌର ଏହା ପ୍ରଥମ ପରାଜୟ।
ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ୨୧୮ ରନ୍‌ର ପିଛା କରିଥିବା ବେଳେ କ୍ରମାଗତ ୨ୟ ମ୍ୟାଚ୍‌ରେ କାଏଲ୍‌ ମେୟର୍ସଙ୍କ ବ୍ୟାଟ୍‌ ଗର୍ଜିଥିଲା। ମାତ୍ର ୨୧ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିବା ପରେ ମେୟର୍ସ ଆଉଟ୍‌ ହୋଇଥିଲେ। ମେୟର୍ସ ୨୨ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୫୩ ରନ୍‌ କରିଥିଲେ। ହେଲେ ମେୟର୍ସଙ୍କ ଆଉଟ୍‌ ହେବା ସହ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସର ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ୩ ରନ୍‌ରେ ଏହା ୩ଟି ୱିକେଟ ହରାଇ ଚିନ୍ତାରେ ପଡ଼ି ଯାଇଥିଲା। ଦୀପକ ହୁଡା ୨ ରନ୍‌କରି ବିଦାୟ ନେଇଥିଲେ। ୮ମ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ଅଧିନାୟକ କେ.ଏଲ୍‌. ରାହୁଲ ୧୮ ବଲ୍‌ରୁ ୨ଟି ଚୌକା ସହ ୨୦ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ଏହି ୩ଟି ୱିକେଟ ପଡ଼ିବା ନିର୍ଣ୍ଣାୟକ ହୋଇଥିଲା ଏବଂ ଲକ୍ଷ୍ନୌ ମ୍ୟାଚ୍‌କୁ ଫେରି ପାରିନଥିଲା। କ୍ରୁନାଲ ପାଣ୍ଡ୍ୟା ୯ ବଲ୍‌ରୁ ୯ ରନ୍‌ କରିଏକ ବେପରୁଆ ସଟ୍‌ ଖେଳି ଆଉଟ୍‌ ହୋଇଥିଲେ। ୨୫ ରନ୍‌ ଯୋଡ଼ିବା ପରେ ଅଷ୍ଟ୍ରେଲୀୟ ମାର୍କସ ଷ୍ଟଇନିସ୍‌ ୧୮ ବଲ୍‌ରୁ ୨୧ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ନିକୋଲାସ୍ ପୁରନ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ହେଲେ ବଡ଼ ସଟ୍‌ ମାରିବା ପ୍ରୟାସରେ ପୁରନ୍ ମଧ୍ୟ ଆଉଟ୍‌ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ର ଏହି ପୂର୍ବତନ ଅଧିନାୟକ ୧୮ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୨ ରନ୍‌ କରିଥିଲେ। ଆଭେସ୍ ଖାଁଙ୍କ ସ୍ଥାନରେ ଇମ୍ପାକ୍ଟ ଖେଳାଳି ଭାବେ ଖେଳିିଥିବା ଆୟୁଷ ବଦୋନି ୧୮ ବଲ୍‌ରୁ ୨୩ ରନ୍‌ କରିଥିଲେ। କୃଷ୍ଣପ୍ପା ଗୌତମ ୧୭ ଓ ମାର୍କ ଉଡ୍‌ ୧୦ ରନ୍‌କରି ଅପରାଜିତ ଥିଲେ। ମୋଇନ୍ ଅଲୀ ୪ଟି ଓ ତୁଷାର ଦେଶପାଣ୍ଡେ ୨ଟି ୱିକେଟ ନେଇଥିଲେ।
ଟସ୍ ଜିତି ଏଲ୍‌ଏସ୍‌ଜି ଫିଲ୍‌ଡିଂ ନେବା ପରେ ସିଏସ୍‌କେର ଦୁଇ ଓପ୍‌ନର ଋତୁରାଜ ଗାଏକ୍‌ୱାଡ୍‌ ଓ ଡେଭନ୍ କନ୍‌ୱେ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୬ ଓଭରର ପାୱରପ୍ଲେରେ ଦୁହେଁ ୭୯ ରନ୍‌ କରିଥିଲେ। ଏହି ଭାଗିଦାରୀରେ ଋତୁରାଜ ପ୍ରାଧାନ୍ୟ ବିସ୍ତାର କରିଥିଲେ। ୯ ଓଭରରେ ୧୧୦ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ଋତୁରାଜ ଗାଏକ୍‌ୱାଡ୍‌ ଆଉଟ୍‌ ହୋଇଥିଲେ। କ୍ରମାଗତ ୨ୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ମାରିଥିବା ଋତୁରାଜ ମାତ୍ର ୩୧ ବଲ୍‌ରୁ ୪ଟି ଛକା ଓ ୩ଟି ଚୌକା ସହ ୫୭ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡର ବାମହାତି କନ୍‌ୱେ ୨୯ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୪୭ ରନ୍‌ କରିଥିଲେ। ଶିବମ୍ ଦୁବେ ୧୬ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୭ ଏବଂ ମୋଇନ୍ ଅଲୀ ୧୩ ବଲ୍‌ରୁ ୩ଟି ଚୌକା ସହ ୧୯ ରନ୍‌ କରିଥିଲେ। ବେନ୍‌ ଷ୍ଟୋକ୍‌ସ ୮ ଓ ରବୀନ୍ଦ୍ର ଜାଡ଼େଜା ୩ ରନ୍‌ କରି ପାରିଥିଲେ। ଅମ୍ବତି ରାୟୁଡୁ ଇନିଂସ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ରାୟୁଡୁ ୧୪ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୭ ରନ୍‌ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆସି ପ୍ରଥମ ୨ଟି ବଲ୍‌କୁ ଛକାମାରିବା ପରେ ୩ୟ ବଲ୍‌ରେ ଆଉଟ୍‌ ହୋଇଥିଲେ। ମାର୍କ ଉଡ୍‌ ଓ ରବି ବିଷ୍ଣୋଇ ୩ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.