MEllora 950×100

ସ୍କୁଲ ବନ୍ଦ ଓ ମିଶ୍ରଣ ନୀତି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ସ୍କୁଲ ବନ୍ଦ ଏବଂ ବନ୍ଦ ହେଉଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ ପ୍ରତିବାଦରେ କନ୍ଧମାଳ ଜିଲ୍ଲା ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ମଙ୍ଗଳବାର ପ୍ରତିବାଦ ଓ ବିକ୍ଷୋଭ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ବନ୍ଦ-ମିଶ୍ରଣ ନୀତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ଫୁଲବାଣୀ ବ୍ଲକ ଅନ୍ତର୍ଗତ ନିଳାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଖୋଲି ପାଠପଢ଼ା ଆରମ୍ଭ କରିବା ଦାବିରେ  ଏକ ଶୋଭାଯାତ୍ରା ମାଦିକୁନ୍ଦା ଛକଠାରୁ ଜିଲ୍ଲାପାଳଙ୍କ ଅଫିସ ପର୍ୟ୍ୟନ୍ତ ଯାଇଥିଲା।
ଶେଷରେ ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସୂଚନାଯୋଗ୍ୟ, ଏହି ବିକ୍ଷୋଭ କାର୍ୟ୍ୟକ୍ରମରେ ସ୍କୁଲର ଛୋଟ ଛୋଟ ଛାତ୍ରଛାତ୍ରୀମାନେ ସାମିଲ ଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରାଜ୍ୟ ସରକାର ୨୦୧୮ ମସିହାରେ ରାଜ୍ୟର ୧୪,୩୭୯ଟି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଯାହାକୁ ୨୦୨୦-୨୧ ଶିକ୍ଷାବର୍ଷରେ କାର୍ୟ୍ୟକାରୀ କରିବା ଆରମ୍ଭ କରିଥିଲେ। ଉପସ୍ଥାନ କମ୍ ଥିବା କାରଣ ଦର୍ଶାଇ ସରକାର କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ କରି ଦେଇଥିଲେ। ଏହି କାରଣରୁ ନିଳାପଦର ସ୍କୁଲକୁ ବନ୍ଦ କରି ଦିଆଯାଇଥିବାରୁ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ସ୍କୁଲକୁ ବନ୍ଦ କରି ଗ୍ରାମଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଅନ୍ୟ ଏକ ସ୍କୁଲ ସହ ମିଶ୍ରଣ କରାଯାଇଛି। ଏହି ସ୍କୁଲକୁ ଯିବାକୁ ହେଲେ ସମ୍ପୂର୍ଣ୍ଣ ଜଙ୍ଗଲିଆ ରାସ୍ତା ଦେଇ ଯିବାକୁ ପଡ଼ିଥାଏ। ରାସ୍ତାରେ ଜନ୍ତୁଙ୍କ ଭୟ ଥିବାବେଳେ କିପରି ଛୋଟ ଛୋଟ ଶିଶୁମାନେ ପ୍ରତିଦିନ ଜଙ୍ଗଲିଆ ରାସ୍ତା ଅତିକ୍ରମ କରି ଯିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ଗାଁର ଅଧିକାଂଶ ଲୋକେ ଗରିବ ଚାଷୀ ଓ ଶ୍ରମିକ ଶ୍ରେଣୀର ହୋଇଥିବାରୁ ପ୍ରତିଦିନ ପିଲାଙ୍କୁ ସ୍କୁଲକୁ ନେବାଆଣିବା କରିପାରିବେ ନାହିଁ। ଏଣୁ ସ୍କୁଲକୁ ଅନ୍ୟତ୍ର ମିଶ୍ରଣ ନ କରିବା ପାଇଁ ଗ୍ରାମବାସୀ ଓ ବିଦ୍ୟାଳୟ ସୁରକ୍ଷା କମିଟି ଦୃଢ ଦାବି କରିଛି।  ଏହି ବିକ୍ଷୋଭ କାର୍ୟ୍ୟକ୍ରମରେ ଅଲ୍ ଇଣ୍ଡିଆ ଡିଏସ୍ଓ ରାଜ୍ୟ ସଭାପତି ସୋମନାଥ ବେହେରା, ବିଦ୍ୟାଳୟ ସୁରକ୍ଷା କମିଟି ଜିଲ୍ଲା ସଂଯୋଜକ ପପୁନ ସାହୁ, ବିଦ୍ୟାଳୟ ସୁରକ୍ଷା କମିଟି ଗ୍ରାମ ସଭାପତି ସଦାଶିବ ମଲିକ, ସମ୍ପାଦକ ଶ୍ରୀକୃଷ୍ଣ ଦିଗାଲ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।

 

 

Comments are closed.