୩୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଯାଜପୁର:  କଳ୍ପତରୁ ଦାସ ନ୍ୟାସନାଲ ଫାଣ୍ଡେସନ ତରଫରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଏ-୧ ଗ୍ରେଡ୍ ପାଇଥିବା ୩୨ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।  କଳ୍ପତରୁ ଦାସ ଷ୍ଠାଡିୟମରେ ଏଥିପାଇଁ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦେଇ ଏ-୧ ଗ୍ରେଡ୍ ପାଇଥିବା ୩୨ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଉଦୟବଟ ହାଇସ୍କୁଲର ପ୍ରଧାନ ଶିକ୍ଷକ ମୋହନ ଚରଣ ସାମଲ ଏବଂ ଖଣ୍ଡତର ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁନନ୍ଦ ରାଉତ ଏହି ଉତ୍ସବରେ ନିଜର ବକ୍ତବ୍ୟ ରଖିଥିବାବେଳେ ଏ-୧ ଗ୍ରେଡ୍ ପାଇଥିବା ୩୨ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଅର୍ପିତା ଦାସ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ପୃଷ୍ଟି ସମ୍ବର୍ଦ୍ଧିତ ଉତ୍ସବରେ ନିଜର ବକ୍ତବ୍ୟ ରଖି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ପିତା, ମାତାଙ୍କୁ ଶ୍ରେୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ-ଶିକ୍ଷା ଅଧିକାରୀ ଶଶିଧର ସିଂହ, ଧର୍ମଶାଳା ବ୍ଲକ୍ ଶିକ୍ଷା ଅଧିକାରୀ, ରସୁଲପୁର ବ୍ଲକ୍ ଶିକ୍ଷା ଅଧିକାରୀ, ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ରସୁଲପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତ, ୬୬ଟି ହାଇସ୍କୁଲର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ, ସମସ୍ତ ହାଇସ୍କୁଲ ପରିଚାଳନା କମିଟିର ସଭାପତି, ଏ-୧ ଗ୍ରେଡ୍ ପାଇଥିବା ସମସ୍ତ ପିଲାମାନଙ୍କର ଅଭିଭାବକ, ଡ. ପ୍ରିୟନାଥ ମହାପାତ୍ର, ନ୍ୟାସନାଲ ଫାଉଣ୍ଡେସନର ସଦସ୍ୟ ଜଳଧର ମହାନ୍ତି ଯୋଗ ଦେଇଥିଲେ। ଚନ୍ଦ୍ରଶେଖର ସ୍ୱାଇଁ ଏବଂ ଅମୂଲ୍ୟ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.