ବାପା ସାଜିଲା ପୁଅର ହତ୍ୟାକାରୀ, ପୁଅକୁ ମାରି ବାଡି ପଛ ପଟେ ପୋତି ଦେଇଥିଲା ବାପା

ଆଠଗଡ : ପୁଅର ହତ୍ୟାକାରୀ ସାଜିଲା ବାପା । ସପ୍ତାହ ତଳେ ପୁଅକୁ ମାରି ବାଡ଼ି ପଛ ପଟେ ପୋତି ଦେଇଥିଲା ବାପା ।  ହେଲେ ଏବେ ସାମ୍ନାକୁ ଆସିଲା ସତ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କଟକ ଜିଲ୍ଲା ଆଠଗଡର ଅଞ୍ଚଳରେ । ମିଳିଥିବା ସୂଚନା ଅନୁସାରେ ଆଠଗଡ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁର ସିଆଳି ସାହିରେ ରହୁଥିବା ନରେନ୍ଦ୍ର ଦେହୁରୀ ତାଙ୍କ ବଡ଼ ପୁଅ କୁନିଆଁ କୁ ହତ୍ୟା କରି ବାଡି ପଛ ପଟେ ପୋତି ଦେଇଥିଲେ । ନରେନ୍ଦ୍ର ଦେହୁରୀ ଏବଂ ତାଙ୍କ ସାନ ପୁଅ ବଡ ପୁଅ କୁନିଆଁକୁ ହତ୍ୟା କରି ବାଡି ପଛ ପଟେ ପୋତିଥିଲେ ମଧ୍ୟ ଗାଁର କେହି ଏହି ଘଟଣାରେ ଟେର ପାଇ ନଥିଲେ । ସପ୍ତାହ ତଳେ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ଜଣାପଡିଛି । ଗାଁ ଲୋକ କୁନିଆଁକୁ ଦେଖିବାକୁ ନପାଇବାରୁ ସନ୍ଦେହ ହୋଇଥିଲା । ପରେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଶେଷରେ ଗାଁ ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ ଗାଁରେ ପହଞ୍ଚି କୁନିଆଁର ବାପା ନରେନ୍ଦ୍ରଙ୍କୁ ଜେରା କରିବା ପରେ ସେ ସତ ମାନିଥିଲେ । ପୁଲିସକୁ ନରେନ୍ଦ୍ର ଦେଇଥିବା ସୂଚନା ଅନୁସାରେ ତାଙ୍କ ବଡ ପୁଅ କୁନିଆଁ ସର୍ବଦା ନିଶାସକ୍ତ ରହୁଥିଲା । ନିୟମିତ ଭାବେ ମଦ, ଗଞ୍ଜେଇ ଖାଇ ଘରେ ପାଟିତୁଣ୍ଡ କରୁଥିଲା ଏବଂ ମାରପିଟ ବି କରୁଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ବିବାହିତ କୁନିଆଁର ସ୍ତ୍ରୀ ବି ପ୍ରାୟ ବର୍ଷେ ହେବ ଘର ଛାଡ଼ି ଚାଲିଯାଇଥିଲା । ପୁଅର ଦୌରାତ୍ମରେ ଅତିଷ୍ଠ ହୋଇ ବାପା ନରେନ୍ଦ୍ର ଦେହୁରୀ ଓ ତାଙ୍କ ସାନ ପୁଅ ଟିଟୁଆ ଦୁହେଁ ମିଶି ଯୋଜନାବଦ୍ଧ ଭାବେ ଗତ ରବିବାର ଦିନ କୁନିଆଁକୁ ଟାଙ୍ଗିଆ ଓ ଠେଙ୍ଗା ସହାୟତାରେ ମାରି ବାଡ଼ିପଟେ ଗାତ ଖୋଳି ପୋତି ଦେଇଥିଲେ ବୋଲି ସୂଚନା ମିଳିଛି ।

ପୁଲିସ ନରେନ୍ଦ୍ରଙ୍କ ସୂଚନାଅନୁସାରେ ବାଡି ପଟେ ଗାତ ଖୋଳି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୁଅକୁ ହତ୍ୟା କରିବା ଅଭିଯୋଗରେ ବାପା ନରେନ୍ଦ୍ରଙ୍କୁ ପୁଲିସ ଗିରଫ କରିଥିବା ବେଳେ ସାନ ଭାଇ ଟିଟୁଆ ଫେରାର ଥିବା ଜଣାପଡିଛି ।

Comments are closed.