ବିଦେଶ ଯିବାକୁ କରୋନା ରୋକିଛି; ରୋଜଗାରର ବାଟ ଦେଖାଇଛି ବାୟୋଫ୍ଲକରେ ମାଛ ଚାଷ

ବାସୁଦେବପୁର : କରୋନା ମହାମାରୀ ବିଦେଶରୁ ଫେରାଇ ଆଣିଛି ପ୍ରବାସୀ ଓଡ଼ିଆଙ୍କୁ। ରୋଜଗାର ହରାଇଛନ୍ତି ବହୁ ପ୍ରବାସୀ। ମହାମାରୀ ପ୍ରକୋପ ସାମାନ୍ୟ କମିଥିଲେ ବି ଏଯାଏ ଭୟ ଦୂର ହୋଇନି। ପ୍ରବାସୀଙ୍କୁ ବିଦେଶ ଯିବାକୁ କରୋନା ଏବେବି ରୋକ ଲଗାଇଛି। ଜୀବନ ଜୀବିକାକୁ ନେଇ ବହୁ ପ୍ରବାସୀ ଦୋଛକିରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ମିରିଗା ଗ୍ରାମର ସଞ୍ଜୟ କୁମାର ରାଉଳଙ୍କୁ କୁଣ୍ଡରେ ମାଛଚାଷ(ବାୟୋଫ୍ଲକ)ରୋଜଗାରର ବାଟ ଦେଖାଇଛି। ଦେଶୀ କଉ ମାଛ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି। ଚାରି ମାସରେ ଦୁଇଟି କୁଣ୍ଡରୁ ତିନିଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର ହୋଇପାରିବ ବୋଲି କହିଛନ୍ତି। ବିଦେଶ ଯାଇ ବାର ଘଣ୍ଟିଆ କାମ କରିବା ଅପେକ୍ଷା ଉଦ୍ୟମ କଲେ ଗାଁ ମାଟିରେ ନିଶ୍ଚୟ ଆଶାନୁରୂପକ ପାରିଶ୍ରମିକ ମିଳିପାରିବ ବୋଲି ସଞ୍ଜୟ କହିଛନ୍ତି।
ସଞ୍ଜୟଙ୍କ କହିବା ଅନୁଯାୟୀ; ଗୁଜୁରାଟର ବରୋଦ ଅଞ୍ଚଳରେ ମାର୍କେଟିଂ ଲାଇନରେ କାମ କରୁଥିଲେ। ଯାହା ପାରିଶ୍ରମିକ ମିଳୁଥିଲା ଖାଇବା ପିଇବା ଓ ଘରଭଡା ଦେବା ପରେ ବିଶେଷ କିଛି ବଞ୍ଚୁ ନଥିଲା। ବିକଳ୍ପ ନଥିବାରୁ ବାଧ୍ୟ ହୋଇ ସେହି କାମ କରିବାକୁ ପଡ଼ୁଥିଲା। ହେଲେ କରୋନା ମହାମାରୀର ବାଧକ ସାଜିଲା। ଜୀବନ ବିକଳରେ ଘରକୁ ଫେରିଥିଲୁ। ଘରେ ଦୁଇ/ତିନି ମାସ ବସିବା ପରେ ରୋଜଗାରର ଚିନ୍ତା ପଡ଼ିଥିଲା। ଚଳିବାକୁ ବହୁ ଅସୁବିଧା ହେଲା। କିଛି ରୋଜଗାର କରିବା ଆଶାରେ ଛୋଟମୋଟ ବେପାର କରିଥିଲେ ବି ଫେଲ ମାରିଥିଲା। ତଥାପି ହତାଶ ନହୋଇ ସାଙ୍ଗମାନଙ୍କ ସହ ପରାମର୍ଶ କରି କୁଣ୍ଡରେ ମାଛ ଚାଷ କରିବାକୁ ଉଦ୍ୟମ କରିଥିଲେ। ନିଜର ଘର ଦୁଆର ଆଗରେ ଥିବା ଜମିରେ ଦୁଇଟି କୁଣ୍ଡ ତିଆରି କରିଥିଲା। ଅଳ୍ପ ଉଚ୍ଚତାରେ ଇଟା ବସାଇ କୁଣ୍ଡର ମୂଳଦୁଆ ତିଆରି କରିଥିଲେ। ତାରଜାଲି ସହ ମୋଟା ପଲିଥିନି ଲଗାଇ ପାଖାପାଖି ପାଞ୍ଚଫୁଟ ଉଚ୍ଚତାର ଦୁଇଟି କୁଣ୍ଡ ତିଆରି କରି ଚାଷ କରିବାକୁ ଅଣ୍ଟା ଭିଡ଼ିଥିଲେ। ଏହି ପ୍ରକଳ୍ପ ଭିତରେ ବିଦ୍ୟୁତକରଣ ସହ ମାଛଙ୍କ ଶ୍ୱାସକ୍ରିୟା ପାଇଁ ଏୟାର ପାଇପ, ମୋଟର, ପାଣିପମ୍ପ ଆଦି ବ୍ୟବହାର କରିଛନ୍ତି। ଏଥିପାଇଁ ତାଙ୍କୁ ୧ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ପମ୍ପ ଜରିଆରେ କୁଣ୍ଡରେ ପାଣି ଭର୍ତ୍ତି କରିବା ପରେ ଦୁଇଟି କୁଣ୍ଡରେ ୧୦ ହଜାର ଦେଶୀ କଉ ଜାଆଁଳ ଛାଡ଼ିଛନ୍ତି। ବେଙ୍ଗଲରୁ ଏହି ଜାଆଁଳ ଆଣିଥିବା କହିଛନ୍ତି। ଜାଆଁଳ ଛାଡ଼ିବାର ପାଖାପାଖି ମାସେ ହୋଇଛି। ପ୍ରତିଦିନ ତିନିଟି ପର୍ଯ୍ୟାୟରେ ଖାଦ୍ୟ ଦିଆଯାଉଛି। ମାଛଗୁଡ଼ିକ ଏବେ ୧୫/୧୬ ଗ୍ରାମ ହୋଇଛନ୍ତି। ଘର ଆଗରେ କଉମାଛ କୁଣ୍ଡରେ ଉବୁଟୁବୁ ହେଉଛନ୍ତି। ଚାରି ମାସରେ ୬୦ ଗ୍ରାମ ହେବ। ଏହି ସମୟରେ ମାଛ ଧରାଯାଇ ବିକ୍ରି ହେବ। ଜାଅାଁଳ ଦେଇଥିବା କମ୍ପାନୀ ମାଛ ନେଇପାରେ ନହେଲେ ବଜାରରେ ମାଛ ବିକ୍ରି କରିବେ। ଦେଶୀ ମାଛର ଚାହିଦା ଥିବାରୁ ଲାଭ ଭଲହେବ। ଚାରି ମାସ ମଧ୍ୟରେ ତିନିଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ରଖିଛନ୍ତି। କରୋନା ମହାମାରୀ ମୋର ଜୀବିକା ବଦଳାଇ ଦେଇଛି। କୁଣ୍ଡରେ ମାଛ ଚାଷ ମୋର ରୋଜଗାରର ବାଟ ଦେଖାଇଛି ବୋଲି ସଞ୍ଜୟ କହିଛନ୍ତି। ସଞ୍ଜୟଙ୍କର ଏହି ଉଦ୍ୟମ ନିଶ୍ଚୟ ଅନ୍ୟ ଯୁବପିଢିଙ୍କ ପାଇଁ ଉଦାହରଣ ପାଲଟିଛି।

Comments are closed.